ଅଧିକ ସୁଧର ପ୍ରଲୋଭନ ଦେଖାଇ ୬୬ ଲକ୍ଷ ଚଳୁ ; ଠକ ଗିରଫ

ଅଧିକ ସୁଧର ପ୍ରଲୋଭନ ଦେଖାଇ ୬୬ ଲକ୍ଷ ଚଳୁ ; ଠକ ଗିରଫ


 ଭୁବନେଶ୍ୱର, ୩୦ା୪ : ବିଭିନ୍ନ ସରକାରୀ ଅଫିସରଙ୍କୁ ସୁଧ ଲଗାଇ ୩ ଗୁଣା ଟଙ୍କା ଫେରସ୍ତର ପ୍ରତିଶୃତି ଦେଇ ଅଭିଯୋଗକାରୀଙ୍କ ଠାରୁ ୬୬ ଲକ୍ଷ ଠକେଇ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ୪୭୮ରେ ମାମଲା ରୁଜୁକରି ତଦନ୍ତ ଚଳାଇବା ସହ ଜଣେ ଠକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ସୁନ୍ଦରପଦା ହାଇଟେକ୍- ପ୍ଲାଜାର ରାଜେଶ କୁମାର ନାୟକ ଓରଫ ରାଜୁ । ମଙ୍ଗଳବାର ଦିନ ଦଫା ୨୯୪, ୩୦୭, ୩୨୩, ୩୪୧, ୩୪୨, ୩୫୨, ୪୧୭, ୪୨୦, ୪୨୬, ୫୦୬, ୧୨୦-ବି/୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଠକଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି ।
 ସୂଚନାଯୋଗ୍ୟଯେ, ଗତ କିଛି ବର୍ଷ ପୂର୍ବେ ଅଭିଯୋଗକାରୀ ରଶ୍ମୀରଞ୍ଜନ ଧଳ ଜଣେ ମୁ୍ୟଚୁଆଲ ଫଣ୍ଡ ଏକ୍ଷପାର୍ଟଙ୍କ ନିକଟକୁ ଯାଇଥିଲେ । ସେଠାରେ ଅଭିଯୁକ୍ତଙ୍କ ସହିତ ତାଙ୍କର ସାାକ୍ଷାତ ହୋଇଥିଲା । ଅଭିଯୁକ୍ତ ଜଣଙ୍କ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ତାଙ୍କର ଭଲ ଚିହ୍ନା ଥିବା ଦର୍ଶାଇ ତାଙ୍କୁ ସେ ଭଲ ସୁଧରେ ଟଙ୍କା ଫେରାଇବେ ବୋଲି ପ୍ରଥମେ ପ୍ରତିଶୃତି ଦେଇଥିଲେ । ପରେ ଅଭିଯୁକ୍ତ ରାଜେଶ ଅଭିଯୋଗକାରୀଙ୍କୁ ନେଇ ଅନ୍ୟ ଜଣେ ଅଭିଯୁକ୍ତ ରାକେଶ ସହିତ ସାକ୍ଷାତ କରାଇବା ସହିତ ସେ ଜଣେ ଅନଲାଇନ୍ ଟ୍ରେଡିଙ୍ଗ ଏକ୍ସପୋର୍ଟ ବୋଲି କହିଥିଲେ । ଉଭୟ ଅଭିଯୁକ୍ତଙ୍କ ସହିତ କଥା ହେବା ପରେ ଅଭିଯୋଗକାରୀ ଜଣକ ପ୍ରଥମେ ୧୫ ଲକ୍ଷ ଟଙ୍କା ଦେଇଥିବା ବେଳେ, ଉଭୟ ଅଭିଯୁକ୍ତ ଅଭିଯୋଗକାରୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ଲାଗି ତାଙ୍କୁ ମାସ ଶେଷରେ ୪ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ । ଏହା ଦେଖି ଅଭିଯୋଗକାରୀଙ୍କ ମନରେ ସେମାନଙ୍କ ପ୍ରତି ବିଶ୍ୱାସ ଆସିବା ପରେ ସେ ସେମାନଙ୍କୁ ଆହୁରି ୨୮ ଲକ୍ଷ ଟଙ୍କା ଅନଲାଇନ୍ ଜରିଆରେ, ୧୫ ଲକ୍ଷ ଟଙ୍କା ନିଜର ଜଣେ ବନ୍ଧୁଙ୍କ ମାଆଙ୍କ ଆକାଉଣ୍ଟରୁ ଏବଂ ୩୮ ଲକ୍ଷ ଟଙ୍କା ନଗଦ ଆକାରରେ ଦେଇଥିଲେ । ଏହିପରି ଭାବେ ଉଭୟ ଅଭିଯୁକ୍ତ ଅଭିଯୋଗକାରୀଙ୍କ ଠାରୁ ମୋଟ ୮୧ ଲକ୍ଷ ଟଙ୍କା ନେଇଥିଲେ ମଧ୍ୟ ସେଥିରୁ ମାତ୍ର ୧୪ ଲକ୍ଷ ୯୩ ହଜାର ୬୩୦ ଟଙ୍କା ଫେରସ୍ତ କରିଥିଲେ ଏବଂ ବାକି ଟଙ୍କା ଫେରସ୍ତ ଲାଗି ଏକ ଚେକ୍ ଦେଇଥିଲେ, ଯାହାକି ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ତାହା ବାଉନ୍ସ ହୋଇଯାଇଥିଲା । ପରେ ଟଙ୍କା ଫେରସ୍ତ ଲାଗି ଉଭୟ ଅଭିଯୁକ୍ତଙ୍କୁ କହିବାରୁ ସେମାନେ ଦିନ ପରେ ଦିନ ଗଡାଇ ଚାଲିଥିଲେ । ହେଲେ ଟଙ୍କା ଦେବାର ନାଁ ଧରୁନଥିଲେ । ଏନେଇ ଅଭିଯୋଗକାରୀ ଲକ୍ଷ୍ମୀସାଗର ଥାନାରେ ଗତ ଡ଼ିସେମ୍ବର ମାସ ୧୩ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଠକକୁ ଗିରଫ କରିଛି । ଅଭିଯୁକ୍ତ ନାମରେ ପୂର୍ବରୁ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରହିଥିବା ଜଣାପଡ଼ିଛି ।