ନୂଆପଡ଼ାରେ ଚମକାଇ ଦେଲା ବିଜେଡ଼ି
ସ୍ନେହାଙ୍ଗିନୀଙ୍କ ବିଶାଳ ରୋଡ଼ ଶୋ’
ଭୁବନେଶ୍ୱର/ନୂଆପଡ଼ା : ବିଜେପି କହିଲା, ନୂଆପଡ଼ା ଲଢେ଼ଇ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ । ବିଜେଡ଼ି ଲଢେ଼ଇରେ ନାହିଁ । କଂଗ୍ରେସ ବି ସମାନ କଥା କହିଲା । ହେଲେ ଆଜି ଉଭୟ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ଆହ୍ୱାନକୁ ସ୍ୱୀକାର କରି ଦମ୍ ଦେଖାଇଲା ବିଜୁ ଜନତା ଦଳ । ଦୁଇ ଦଳ ପ୍ରାର୍ଥୀପତ୍ର ଦାଖଲ ବେଳେ ଯେଉଁ ରାଲି କରିଥିଲେ ତାହାଠୁ ଆହୁରି ବିଶାଳ ରାଲି କରି ଚମକାଇ ଦେଇଛି ବିଜେଡ଼ି । ବିଜେଡ଼ି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରୀଆ ଆଜି ୮ ହଜାରରୁ ଉଦ୍ଧ୍ୱର୍ ନେତା ଓ କର୍ମୀଙ୍କୁ ନେଇ ବିଶାଳ ରୋଡ଼ ଶୋ’ କରିଛନ୍ତି ।
ଆଜି ପୂର୍ବାହ୍ନରେ ନୂଆପଡ଼ାର ତେଲିପଦା ଛକଠାରୁ ବିଜେଡ଼ି ଆରମ୍ଭ କରିଥିଲା ବିଶାଳ ରୋଡ଼ ଶୋ’ । ସାରା ରାସ୍ତା ଶଙ୍ଖ ପତାକାରେ ଛାଇ ଯାଇଥିଲା । ବିଜେଡ଼ିର ସବୁ ବଡ଼ ବଡ଼ ନେତାମାନେ ଉପସ୍ଥିତ ଥିଲେ । ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ପ୍ରୀତିରଞ୍ଜନ ଘଡେ଼ଇ, ସୁଦାମ ମାରାଣ୍ଡିଙ୍କ ଠାରୁ ନେଇ ଚିନ୍ମୟ ସାହୁ ଓ ଇପ୍ସିତା ସାହୁଙ୍କ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ଥିଲେ । ନୂଆପଡ଼ା, କୋମନା, ଖରିଆର ରୋଡ଼ର ହଜାର ହଜାର ବିଜେଡ଼ି କର୍ମୀମାନେ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ପ୍ରାୟ ୧ ଘଣ୍ଟା କାଳ ଚାଲିଥିବା ଏହି ଶୋଭାଯାତ୍ରା ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଥିଲା । ତେବେ ଆସନ୍ତାକାଲି ଅର୍ଥାତ୍ ଶେଷଦିନରେ ସ୍ନେହାଙ୍ଗିନୀ ଛୁରୀଆ ନାମାଙ୍କନ ପତ୍ର ଦାଖଲ କରିବେ ।
ବିଶାଳ ରୋଡ଼ଶୋ’ ନୂଆପଡ଼ାର ବିଜେଡ଼ି କର୍ମୀମାନଙ୍କୁ ରିଚାର୍ଜ କରିଦେଇଛି । ଜୟ ଢୋଲକିଆ ଦଳ ଛାଡ଼ିବା ଓ ସ୍ନେହାଙ୍ଗିନୀ ଛୁରୀଆଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡ଼ି ଶିବିରରେ ହତାଶ ଭାବ ପରିଲକ୍ଷିତ ହୋଇଥିଲା । ତେବେ ବିଶାଳ ରୋଡ଼ ଶୋ’ରେ ଶକ୍ତି ପ୍ରଦର୍ଶନ ପାଇଁ ଗତ କିଛିଦିନ ଧରି ବିଜେଡ଼ି ନେତାମାନେ ନୂଆପଡ଼ାରେ ଡେରା ପକାଇଥିଲେ । ଗତକାଲି ସ୍ନେହାଙ୍ଗିନୀଙ୍କୁ ସ୍ୱାଗତ କରିବା ପାଇଁ ବି ଦୁଇ ତିନି ହଜାର କର୍ମୀ ଏକାଠି ହୋଇଥିଲେ । ତେଣୁ ରୋଡ଼ଶୋ’ ବି ଦମଦାର ହେବବୋଲି ଆଶା କରାଯାଉଥିଲା । ଯାହା ଆଶା କରାଯାଉଥିଲା ଆଜି ସେଇଆ ହିଁ ଦେଖିବାକୁ ମିଳିଥିଲା । ଏମିତିକି ଉଭୟ ବିଜେପି ଓ କଂଗ୍ରେସର ରୋଡ଼ଶୋ’ରେ ଯେତିକି ଲୋକ ଥିଲେ ତା’ଠାରୁ ଅଧିକ ଲୋକ ବିଜେଡ଼ିର ରୋଡ଼ ଶୋ’ରେ ଦେଖିବାକୁ ମିଳିଥିଲା ।