ନୂଆପଡ଼ା ରଣନୀତି : ଗାଁ ଜଗିବାକୁ ଗଲେଣି ମାଳମାଳ ନେତା

  • ନାମାଙ୍କନ ବେଳେ ଶକ୍ତି ପ୍ରଦର୍ଶନ
  • ପାଖ ନିର୍ବାଚନମଣ୍ଡଳୀରୁ ଆସିବେ କର୍ମୀ
  • ଆଜି ଜୟ ଓ ଘାସିରାମଙ୍କ ନାମାଙ୍କନ
  • ୧୯ରେ ସ୍ନେହାଙ୍ଗିନୀଙ୍କ ରୋଡ଼ ଶୋ’

ଭୁବନେଶ୍ୱର/ନୂଆପଡ଼ା : ନୂଆପଡ଼ାରେ ଧିରେଧିରେ ରାଜନୀତିକ ଉଷ୍ମତା ବଢ଼ିବାରେ ଲାଗିଛି । ନାମାଙ୍କନ ବେଳେ ତିନି ଦଳ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ନୂଆପଡ଼ାର ପଡେ଼ାଶୀ ନିର୍ବାଚନମଣ୍ଡଳୀରୁ ମଧ୍ୟ ତିନି ଦଳ କର୍ମୀମାନଙ୍କୁ ଠୁଳ କରିବେ । ସେହିପରି ଗାଁ ଜଗିବାକୁ ମାଳମାଳ ନେତା ଏବେ ନୂଆପଡ଼ା ମୁହାଁ ହୋଇଗଲେଣି । ଆସନ୍ତାକାଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନାମାଙ୍କନ ପତ୍ର ଦାଖଲ କରିବେ । ଏଥିପାଇଁ ୱାରରୁମ୍‌ରେ ଶୋଭାଯାତ୍ରାକୁ ଭବ୍ୟ କରିବାକୁ ଯୋଜନା କରାଯାଉଛି । କିଏ କେତେ ଲୋକ ଆଣିବେ, କେଉଁ ଅଞ୍ଚଳରୁ କେତେ ଲୋକ ଆସିବେ ସେନେଇ ଟାର୍ଗେଟ୍‌ ଦିଆଯିବା ସହ ଟଙ୍କା ବି ବଣ୍ଟା ହୋଇଛି । ନୂଆପଡ଼ା ଜିଲ୍ଲା ସମେତ କଳାହାଣ୍ଡି ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାରୁ ବି ଲୋକଙ୍କୁ ଅଣାଯାଉଥିବା ଜାଣିବାକୁ ମିଳିଛି ।

   ଗତ ୧୬ରେ ଜୟ ଢୋଲକିଆଙ୍କ ନାମାଙ୍କନ ହେବାର ଥିଲା । ତେବେ ତିଥିବାର ପାଇଁ ଜୟ ନାମାଙ୍କନ ଭରିପାରିନଥିଲେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା । ଆସନ୍ତାକାଲି ଜୟ ନାମାଙ୍କନ ପତ୍ର ଦାଖଲ କରିବେ । ପ୍ରାୟ ୨୦ ହଜାର ଲୋକଙ୍କର ରାଲି କରି ଶକ୍ତି ପ୍ରଦର୍ଶନ କରିବାକୁ ବିଜେପି ଯୋଜନା କରିଛି । ଏଥିପାଇଁ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଏବେ ନୂଆପଡ଼ାର ବିଭିନ୍ନ ବ୍ଳକ ଓ ଏନଏସିରେ ରଣନୀତି କରୁଛନ୍ତି  । ସେହିପରି ବିଜେଡ଼ି ଓ କଂଗ୍ରେସ ଭଳି ବିଜେପି ମଧ୍ୟ କେଉଁ ନେତା କେଉଁ ମଣ୍ଡଳ ଦାୟିତ୍ୱରେ ରହିବେ ସେନେଇ ତାଲିକା ପ୍ରସ୍ତୁତ କରିଛି । ମନ୍ତ୍ରୀମାନଙ୍କୁ ମଣ୍ଡଳ ଦାୟିତ୍ୱରେ ରଖାଯିବ । ପଞ୍ଚାୟତ ଦାୟିତ୍ୱରେ ବରିଷ୍ଠ ନେତା ଓ ବିଧାୟକମାନେ ରହିବେ ।

   କଂଗ୍ରେସ ବି ରଣନୀତିରେ ପଛରେ ପଡ଼ିନାହିଁ । କଂଗ୍ରେସ ବି ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ବ୍ଳକ ଓ ପଞ୍ଚାୟତ ଦାୟିତ୍ୱ ଦେଇଛି  । ସେମାନେ ନିର୍ବାଚନ ସରିବା ପର୍ଯ୍ୟନ୍ତ ପଞ୍ଚାୟତରେ ରହିବେ । ଦଳର ଭୋଟ୍‌ କିଭଳି ବଢ଼ିବ ସେନେଇ ଧ୍ୟାନ ଦେବେ । ବିଜେଡ଼ି କିମ୍ବା ବିଜେପି ଯେଭଳି ପ୍ରଲୋଭିତ କରି ତାଙ୍କ ଭୋଟରକୁ ନନେବେ ସେନେଇ କଂଗ୍ରେସ ରଣନୀତି କରିଛି । ଆସନ୍ତାକାଲି ଦଶ ପନ୍ଦର ହଜାର ଲୋକଙ୍କର ବିଶାଳ ଶୋଭାଯାତ୍ରାରେ ଘାସିରାମ ପ୍ରାର୍ଥୀପତ୍ର ଦାଖଲ କରିବେ । ଏଥିପାଇଁ ଭୁବନେଶ୍ୱରରୁ ବହୁ ବରିଷ୍ଠ ନେତା ନୂଆପଡ଼ା ଯାଉଛନ୍ତି  । ଅନେକ ସେଠାରେ ବିଭିନ୍ନ ବ୍ଳକରୁ କିଭଳି ଲୋକ ଆସିବେ ସେନେଇ ରଣନୀତି କରୁଛନ୍ତି ।

   ସେହିପରି ବିଜୁ ଜନତା ଦଳ ୧୯ ଜଣିଆ ନିର୍ବାଚନ ପରିଚାଳନା କମିଟି ଗଠନ କରିବା ସହ ୫୨ ନେତାଙ୍କୁ ପଞ୍ଚାୟତ ଓ ଏନଏସି ଦାୟିତ୍ୱ ଦେଇଛି । ଏନେଇ ଦଳ ପକ୍ଷରୁ ତାଲିକା ଜାରି କରାଯିବା ସହ ନେତାଙ୍କୁ ଦାୟିତ୍ୱ ଆବଣ୍ଟନ କରାଯାଇଛି । ଆସନ୍ତା ୧୯ରେ ବିଜେଡ଼ି ରୋଡ଼ଶୋ’ କରିବ, ତେବେ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ସ୍ନେହାଙ୍ଗିନୀ ନାମାଙ୍କନ ପତ୍ର ଦାଖଲ କରିବେ । ଅନ୍ୟ ଦୁଇ ଦଳ ଭଳି ବିଜେଡ଼ି ମଧ୍ୟ ପଡେ଼ାଶୀ ନିର୍ବାଚନମଣ୍ଡଳୀରୁ ଲୋକ ଆଣିବ । ସ୍ନେହାଙ୍ଗିନୀ ନିର୍ବାଚନ ଲଢୁଥିବାରୁ ଅତାବିରାରୁ ବି ହଜାର ହଜାର ଲୋକ ତାଙ୍କ ପ୍ରାର୍ଥୀପତ୍ର ଶୋଭାଯାତ୍ରାରେ ସାମିଲ୍‌ ହେବେ ।ତିନି ଦଳର ହେଭିୱେଟ୍‌ ନେତାମାନେ ଏବେ ନୂଆପଡ଼ାରେ ଡେରା ପକାଇଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପରେପରେ ସେମାନେ ନିଜ ନିଜ ଦାୟିତ୍ୱରେ ଥିବା ପଞ୍ଚାୟତ ଓ ଏନଏସିରେ ଡେରା ପକାଇବେ । ଏଥିପାଇଁ ପାର୍ଟି ଅଫିସ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି । ସେହିସବୁ ନେତାମାନଙ୍କୁ ସ୍ଥାନୀୟ ଅଞ୍ଚଳର କେଉଁ ନେତା ସହଯୋଗ କରିବେ ତାହାର ବି ତାଲିକା କରାଯାଉଛି ।