ନୂଆପଡାରେ ନବୀନଙ୍କ ବିଶାଳ ରୋଡ ଶୋ’
- ଲୋକଙ୍କ ହୃଦୟ ଜିତିପାରିବନି ବିଜେପି
- ଖରିଆରରୋଡରେ ମାରାଥନ ପ୍ରଚାର
- ପରକୋଡରେ ନିର୍ବାଚନୀ ସଭା
ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଦିନିକିଆ ନୂଆପଡା ଗସ୍ତରେ ଯାଇ ସେଠାରେ ମାରାଥନ୍ ନିର୍ବାଚନ ପ୍ରଚାର କରିଛନ୍ତି । ଦୀର୍ଘ ତିନି ଘଣ୍ଟା ଧରି ଖରିଆର ରୋଡ ଓ ନୂଆପଡାରେ ବିଶାଳ ରୋଡ ଶୋ ରେ ଯୋଗ ଦେଇ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିଥିଲେ । ହଜାର ହଜାର ଲୋକ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ ।
ଏହି ରୋଡ ଶୋ ଅବସରରେ ଶ୍ରୀ ପଟ୍ଟନାୟକ ରାସ୍ତାର ଦୁଇ ପଟରେ ଥିବା ହଜାର ହଜାର ଶୁଭେଚ୍ଛୁ ମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ ଖରିଆର ରୋଡର ଡାଗା ଛକ, ବିଜୁ ପଟ୍ଟନାୟକ ଛକ ଓ ଲଖନିଆ ପେଟ୍ରୋଲ୍ ପମ୍ପ ଛକ ମାନଙ୍କରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ସେହିପରି ନୂଆପଡା ଏନଏସି. ଅଞ୍ଚଳର ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ମଧ୍ୟ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧନ କରି ଆଗାମୀ ଏଗାର ତାରିଖ ନିର୍ବାଚନରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିବା ସହିତ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବା ପାଇଁ ଅନୁରୋଧ କରିଥିଲେ ।
ପରେ ପରକୋଡ ପଡିଆରେ ସମବେତ ବିଶାଳ ସମାବେଶରେ ଉଦ୍ବୋଧନ ଦେଇ ନବୀନ ବିଜେପି ସରକାର ଉପରେ ତୀବ୍ର ଆକ୍ରମଣ କରିଥିଲେ । ସେ କହିଥିଲେ ଯେ ମିଛ ପ୍ରଚାରରେ ବିକାଶ ହୁଏ ନାହିଁ । ଖାଲି ରଙ୍ଗ ମାରି ଦେଲେ ବିକାଶ ହୁଏ ନାହିଁ । ମିଛ ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ । ବିଜୁ ଜନତା ଦଳ ସରକାର ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପାନୀୟ ଜଳ, ଜଳସେଚନ, ଆଦିବାସୀ କଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭୁତ ବିକାଶ ଆସିଥିଲା । ତାଙ୍କ ସରକାର ସମୟରେ ହୋଇଥିବା ବିଜୁ ଏକ୍ସପ୍ରେସ ୱେ ଆଜି ନୂଆପଡାର ଆର୍ଥିକ ବିକାଶ ପାଇଁ ସୁଯୋଗ ଆଣି ଦେଇଛି । ଆଜି ସାରା ରାଜ୍ୟରେ ବିକାଶ କାମ ପୂରା ବନ୍ଦ । ୫୦୦ ଦିନ ପୂରଣ କରିଥିବା ବିଜେପି ସରକାର ଲୋକଙ୍କ ପାଇଁ କ’ଣ କରିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ୩୦୦ ୟୁନିଟ୍ ମାଗଣା ବିଜୁଳି, ୩୫୦୦ ଟଙ୍କା ପେନ୍ସନ୍, ଚାଷୀ ଭାଇଙ୍କୁ ୟୁରିଆ ସାର, ଯୁବକଙ୍କୁ ଚାକିରି ଆଦି ପ୍ରତିଶ୍ରୁତି ପୂରଣରେ ସରକାର ବିଫଳ ହୋଇଛି ବୋଲି ସେ କଟାକ୍ଷ କରିଥିଲେ । ସେ କହିଲେ ଯେ ଏହି ୫୦୦ ଦିନ ମଧ୍ୟରେ ଲୋକଙ୍କୁ କେବଳ ମିଳିଛି ଧୋକା, ଧୋକା, ଡବଲ ଧୋକା । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏମାନେ ମିଛ କହି ସରକାର କରିପାରନ୍ତି । ପ୍ରାର୍ଥୀ ବି ଚୋରି କରି ପାରନ୍ତି । କିନ୍ତୁ ସେମାନେ ଲୋକଙ୍କ ହୃଦୟ ଜିତି ପାରିବେ ନାହିଁ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହିତ ଦଳର ସ୍ଥାନୀୟ ନେତାମାନେ ଉପସ୍ଥିତ ଥିଲେ ।