ନୂତନ ମାଣତ୍ରୀ ବ୍ଲକ ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବି
ବଡ଼ସାହି : ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ ବଡ଼ସାହି ବ୍ଲକ ବିଭାଜନ ପୂର୍ବକ ୧୦ଟି ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ ପାଇଁ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଯୁଗ୍ମ ଜନଶୁଣାଣି ଶିବିରରେ ଦାବି ଉପସ୍ଥାପନ କରାଯାଇଛି । ନିର୍ବାଚିତ ଜନପ୍ରତିନିଧି, ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଓ ବୁଦ୍ଧିଜୀବୀ ବଡସାହି ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣିରେ ଜିଲ୍ଲାପାଳ ହେମକାନ୍ତ ସଏଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ଅନୁସାରେ ବଡସାହି ବ୍ଲକର ୩୦ଟି ପଞ୍ଚାୟତ ପାଇଁ ଜନସାଧାରଣ ସରକାରୀ ସୁବିଧାସୁଯୋଗ ସଠିକ୍ ଭାବରେ ପାଇପାରୁନାହାନ୍ତି । ତତ୍ସହିତ ବିକାଶ କାର୍ଯ୍ୟ ମଧ୍ୟ ବିଳମ୍ବିତ ହେଉଛି । ତେବେ ବ୍ଲକ୍ର ପୂର୍ବଭାଗ ମାଣତ୍ରୀ ଜିଲ୍ଲା ପରିଷଦ ଜୋନ୍ (ନଂ-୨୪)ରେ ୯ଟି ପଞ୍ଚାୟତ ଅନ୍ତର୍ଭୁକ୍ତ ତତ୍ସହିତ ଯୋଗୀନୂଆଗାଁ ପଞ୍ଚାୟତକୁ ମିଶାଇ ୧୦ଟି ପଞ୍ଚାୟତରେ ଏକ ବ୍ଲକ ଗଠନର ସମ୍ଭାବନା ସୃଷ୍ଟି ହୋଇଛି । କାରଣ ଉପରୋକ୍ତ ଜୋନର ପଞ୍ଚାୟତ ଗୁଡିକ ଜିଲ୍ଲାର ସୀମାନ୍ତବର୍ତ୍ତୀ (ବାଲେଶ୍ୱର) ଅଞ୍ଚଳକୁ ଲାଗିଛି । ତତ୍ସହିତ ବୁଢାବଳଙ୍ଗ ଓ ଗଙ୍ଗାହାର ନଦୀ ସଂଲଗ୍ନ ପଞ୍ଚାୟତ ହେତୁ ଏକ ବନ୍ୟାପ୍ରବଣ ଅଞ୍ଚଳ । ସମ୍ପୃକ୍ତ ଅଞ୍ଚଳବାସୀ ସରକାରୀ ସହାୟତା ଆଦି ପାଇବା ପାଇଁ ସ୍ଥଳବିଶେଷରେ ଦୀର୍ଘ ୨୫/୩୦ କିମିରୁ ଊର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରି ବଡ଼ସାହି ବ୍ଲକ/ତହସିଲ କାର୍ଯ୍ୟାଳୟକୁ ଆସିବାକୁ ପଡେ । ଏଥିପାଇଁ ସମୟ, ଅର୍ଥ ଓ ଅଧିକ ପରିଶ୍ରମ ସାଧାରଣ ଲୋକଙ୍କୁ ବିନିଯୋଗ କରିବାକୁ ହୋଇଥାଏ । ଏତଦ୍ବ୍ୟତୀତ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଅତ୍ୟନ୍ତ କଷ୍ଟଦାୟକ ଏବଂ ଦୁଃଖଦାୟକ ହୋଇଥାଏ । ତେଣୁ ସାଂପ୍ରତିକ ପରିସ୍ଥିତିରେ ଏକ ନୂତନ ବ୍ଲକ୍ ଗଠନ ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ । ୧୦ଗୋଟି ପଞ୍ଚାୟତ ଯଥା, ଶାଳଗାଁ, ମାନଗୋବିନ୍ଦପୁର, ଭୀମଦା, ଚନ୍ଦନପୁର, ପଟିସାରୀ, ଦୁର୍ଗାପୁର, କେନ୍ଦୁଡ଼ିହା ଓ ଯୋଗୀନୂଆଗାଁର ମଧ୍ୟବର୍ତ୍ତୀ ଅଞ୍ଚଳ ମାଣତ୍ରୀ ହୋଇଥିବାରୁ ମାଣତ୍ରୀ ଠାରେ ନୂତନ ବ୍ଲକ୍ ଗଠନକୁ ଅଗ୍ରାଧିକାର ନିମନ୍ତେ ସର୍ବସାଧାରଣ ଓ ପଞ୍ଚାୟତ ଗୁଡିକର ନିର୍ବାଚିତ ପ୍ରତିନିଧିଙ୍କ ତରଫରୁ ମୁଖ୍ୟ ସମସ୍ୟାର ଦୂରୀକରଣ ଦିଗରେ ଧ୍ୟାନ ଦୃଷ୍ଟି ଦେଇ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବିପତ୍ରରେ ଦର୍ଶାଯାଇଛି । ଜିଲ୍ଲାପାଳ ଦାବି ସମ୍ବନ୍ଧରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । କାର୍ଯ୍ୟକାରୀ କମିଟିର ଉପାଧ୍ୟକ୍ଷ ତଥା ବଡସାହି ବ୍ଲକ ଅଧ୍ୟକ୍ଷା ମୀନତି ସିଂ, ସାଧାରଣ ସମ୍ପାଦକ ପ୍ରଭାତ କୁମାର ଜେନା, ସରପଞ୍ଚ ସଂଘ ସଭାପତି ହରିଶ୍ଚନ୍ଦ୍ର ମୁର୍ମୁ, ସମିତିସଭ୍ୟ ସଂଘ ସଭାପତି ରାକେଶ କୁମାର ମହାପାତ୍ର, ଅନନ୍ତ ପଶା, ପ୍ରକାଶ ଚନ୍ଦ୍ର ଦଳେଇ, ଶଙ୍କର୍ଷଣ ବିଶ୍ୱାଳ, ସୁମିତ୍ରା ବଳବନ୍ତରାୟ, ସଂଗ୍ରାମ କେଶରୀ ପାତ୍ର, ନିହାର ରଞ୍ଜନ ମହାପାତ୍ର, ଗୋପାଳ ମହାନ୍ତି, ରାକେଶ ମିଶ୍ର, ସୁଧୀର ଷଢଙ୍ଗୀଙ୍କ ସମେତ ସରପଞ୍ଚ, ସମିତିସଭ୍ୟ, ନାଏବ ସରପଞ୍ଚ ଓ ବହୁ ସଦସ୍ୟ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।