ନୂତନ ଯାନ୍ତ୍ରିକ ସଫେଇ ଯାନର ଶୁଭାରମ୍ଭ  : ବିଏମ୍‌ସି ଆଖପାଖ ପଞ୍ଚାୟତ ଅଞ୍ଚଳରେ ହେବ ଯାନ୍ତ୍ରିକ ସଫେଇ

ନୂତନ ଯାନ୍ତ୍ରିକ ସଫେଇ ଯାନର ଶୁଭାରମ୍ଭ  : ବିଏମ୍‌ସି ଆଖପାଖ ପଞ୍ଚାୟତ ଅଞ୍ଚଳରେ ହେବ ଯାନ୍ତ୍ରିକ ସଫେଇ

ଭୁବନେଶ୍ୱର : ମହାନଗର ନିଗମ (ବିଏମ୍‌ସି) ରାଜ୍ୟର ସର୍ବ ବୃହତ୍‌ ସହରାଞ୍ଚଳ ସଂସ୍ଥା ହୋଇଥିବାରୁ ଏହାର ନାଗରିକ କୈନ୍ଦିକ ଆଭିମୁଖ୍ୟ ଏବଂ ବିକାଶ ମୂଳକ ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ଉନ୍ନତି ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି । ନୂତନ ଭାବେ ଯୋଡ଼ି ହୋଇଥିବା ରାସ୍ତାଗୁଡିକୁ ତିନୋଟି ପ୍ୟାକେଜରେ ବିଭକ୍ତ କରାଯାଇଛି । ଦୁଇଟି ପ୍ୟାକେଜ୍‌ ଚୂଡାନ୍ତ ହୋଇସାରିଛି । ଏହି ଦୁଇଟି ପ୍ୟାକେଜ୍‌ ପାଇଁ ମେସର୍ସ ଲାୟନ ସର୍ଭିସେସ୍‌ ଏବଂ ମେସର୍ସ ଜାଗୃତି ଓ୍‌ୱେଲଫେୟାର ଅର୍ଗାନାଇଜେସନ ଏଜେନ୍ସିଙ୍କୁ ଚୟନ କରାଯାଇଛି ଏବଂ ସେମାନେ ତିନୋଟି ଲେଖାଏଁ ଯାନ୍ତ୍ରିକ ସଫେଇ ଯାନ ନିୟୋଜିତ କରିବେ । ଏହି ପରିପ୍ରେକ୍ଷିରେ, ଚୂଡାନ୍ତ ହୋଇଥିବା ଦୁଇଟି ପ୍ୟାକେଜ୍‌ ପାଇଁ ଆଜି ଛଅଗୋଟି ନୂଆ ଯାନ୍ତ୍ରିକ ସଫେଇ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । 

        ଏହି ଯାନଗୁଡିକ ପିଏମ୍‌ ୨.୫ ଧୂଳି କଣିକାକୁ ଶୋଷିବାରେ ସକ୍ଷମ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜିରେ ସଜ୍ଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଳ ରାଣା,ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ ପ୍ରମୁଖ ମଞ୍ଚାୟନ ଥିବା ବେଳେ ବିଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀ, ଏଜେନ୍ସିଗୁଡିକର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ୧୬ ନମ୍ବର ଜାତୀୟ ରାଜପଥରେ ପୂର୍ବରୁ ରସୁଲଗଡ ପର୍ଯ୍ୟନ୍ତ ଯାନ୍ତ୍ରିକ ସଡକ ସଫେଇ କରାଯାଉଥିଲା । ଏହାକୁ ନଖରା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ପୂର୍ବରୁ ଖଣ୍ଡଗିରି ପର୍ଯ୍ୟନ୍ତ ସଫେଇ କରାଯାଉଥିଲା । ଏବେ ତାହାକୁ ଡିଏନ୍‌  ରେଗାଲିଆ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ପଟିଆରୁ ନନ୍ଦନ କାନନ ପର୍ଯ୍ୟନ୍ତ, ଜାତୀୟ ରାଜପଥରୁ ଏମ୍ସ ହସ୍ପିଟାଲ ରାସ୍ତା, ଡି ଏନ୍‌ ରେଗାଲିଆରୁ କଳିଙ୍ଗ ବିହାର ୧ ଓ ୨, ଏନ୍‌ଏଚ୍‌ରୁ କୋଳଥିଆ ରାସ୍ତା ଭାୟା ମଣିପାଲ ହସ୍ପିଟାଲ ଦେଇ ଖଣ୍ଡଗିରି ଚାରିଛକ, ଖଣ୍ଡଗିରି ଚାରିଛକରୁ କଳିଙ୍ଗ ଷ୍ଟୁଡିଓ ଏବଂ କଳିଙ୍ଗ ଷ୍ଟୁଡିଓ ଛକରୁ ସିଆରପିଏଫ ଛକ ପର୍ଯ୍ୟନ୍ତ ଥିବା ସମସ୍ତ ସଡକର ଯାନ୍ତ୍ରିକ ସଫେଇ କରାଯିବ । ପୂର୍ବରୁ ମାତ୍ର ୮୦ କିଲୋମିଟର ରାସ୍ତାର ମେକାନିକାଲ ସଫେଇ ହେଉଥିଲା । ଏଣିକି ୧୬୬ କିଲୋମିଟର ବା ୭୧୫ ଲେନ୍‌ କିଲୋମିଟର ସଫେଇ କରାଯିବ । ପରିମଳର ସମସ୍ତ  ଦିଗ କିପରି ସହରର ମାନାଙ୍କ ବୃଦ୍ଧି ସହିତ ସୁବ୍ୟବସ୍ଥିତ ହେବ ସେଥିପାଇଁ ଆମେ ପ୍ରଯୁକ୍ତିର ଉପଯୋଗ ସାଙ୍ଗକୁ ରାତିରେ ଯାନ୍ତ୍ରିକ ସଫେଇକୁ କଡାକଡି କରିବାର ନକ୍ସା ପ୍ରସ୍ତୁତ କରାଯାଇଥିବା କହିଛନ୍ତି କମିଶନର ।