ନେପାଳରେ ସୁଶୀଳା ସରକାର
ନୂଆଦିଲ୍ଲୀ : ନେପାଳକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାରକୀ ହେଲେ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ । ତାଙ୍କୁ ଆଜି ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ । ସୁଶୀଳାଙ୍କ ନେତୃତ୍ୱରେ ଗଠନ ହେଲା ଅନ୍ତରୀଣ ସରକାର । ସୋସିିଆଲ ମିଡିଆ ବ୍ୟାନ ଓ ବ୍ୟାପକ ଦୁର୍ନୀତି ବିରୋଧରେ ଯୁବ ପିଢିଙ୍କ ଆନ୍ଦୋଳନ ପରେ ଚାରି ଦିନ ତଳେ କେପି ଶର୍ମା ଓଲି ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବଡ କଥା ହେଉଛି ସୁଶୀଳା କାରକୀ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇଥିବା ବେଳେ ବର୍ତ୍ତମାନ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଶପଥ ନେବା ପରେ ସୁଶୀଳା ପ୍ରଥମ କ୍ୟାବିନେଟ ବୈଠକ କରିଥିଲେ । ୨୦୨୬ ମାର୍ଚ୍ଚ ୪ ତାରିଖରେ ନୂତନ ସାଧାରଣ ନିର୍ବାଚନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଆଗାମୀ ଛଅ ମାସ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ନିର୍ବାଚନ ସମ୍ପର୍କରେ ଖୁବ୍ ଶୀଘ୍ର ଏକ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ରହିଛି । ଦେଶର ବର୍ତ୍ତମାନର ପରିସ୍ଥିତିକୁ ବିଚାର କରି କାରକୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ମଧ୍ୟ ସୁପାରିଶ କରିପାରନ୍ତି । କ୍ୟାବିନେଟର ସୁପାରିଶ ପରେ ରାଷ୍ଟ୍ରପତି ଅନୁମୋଦନ ଦେବେ ବୋଲି ଆଶା କରାଯାଉଛି । ଏହା ଯଦି ହୁଏ ସମଗ୍ର ନେପାଳରେ ଜରୁରୀକାଳୀନ ପରିସ୍ଥିତି କାର୍ଯ୍ୟକାରୀ ହେବ । ସୁଶୀଳାଙ୍କୁ ପ୍ରଧାନମନ୍ତ୍ରୀ ବାଛିବା ପୂର୍ବରୁ ରାଷ୍ଟ୍ରପତି, ସେନାବାହିନୀ ମୁଖ୍ୟ ଓ ଜେନ-ଜେଡଙ୍କ ମଧ୍ୟରେ ବୈଠକ ବସିଥିଲା । ଜେନ-ଜେଡଙ୍କ ସହମତି ପରେ ସୁଶୀଳାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବଛାଯାଇଥିଲା । ଦୁର୍ନୀତି ବିରୋଧରେ ତାଙ୍କର କଠୋର ମନୋଭାବ ପାଇଁ ଜଣାଶୁଣା, ସୁଶୀଳା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ପୂର୍ବତନ ଛାତ୍ର । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୁଶୀଳା କହିଛନ୍ତି ଯେ ତାଙ୍କୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଚାକିରି ପ୍ରଦାନ କରାଯାଇଥିଲା କିନ୍ତୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ କାରଣ ତାଙ୍କର "ଭାଗ୍ୟ ଭିନ୍ନ ଥିଲା’ । ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ଶୀର୍ଷ ନେତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ପରେ କେପି ଓଲିଙ୍କ ପୂର୍ବ ସରକାର ପତନ ହୋଇଥିଲା ।