ଇସ୍ରାଏଲର ପ୍ରଚଣ୍ଡ ପ୍ରହାର ୟେମେନର ଶକ୍ତିକେନ୍ଦ୍ର ଧ୍ୱଂସ


କାଇରୋ:  ୟେମେନର ରାଜଧାନୀ ସାନ୍ନାରେ ଅବସ୍ଥିତ ଶକ୍ତି କେନ୍ଦ୍ର ଉପରେ ପ୍ରଚଣ୍ଡ ବିମାନ ଆକ୍ରମଣ କରିଛି ଇସ୍ରାଏଲ । ଇସ୍ରାଏଲୀ ସେନା ଏକ ବିଦୁ୍ୟତ୍ ପ୍ଲାଣ୍ଟ ଓ ଏକ ଗ୍ୟାସ ଷ୍ଟେସନକୁ ଟାର୍ଗେଟ କରିଛି । ଏହି ଅଞ୍ଚଳ ହାଉଥି ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଅଛି । ଗତକାଲି ଇସ୍ରାଏଲ ଉପରେ ହାଉଥି ବିଦ୍ରୋହୀମାନେ ମିସାଇଲ, ରକେଟ ଓ ଡ୍ରୋନ ମାଡ କରିଥିଲେ । ଏହାର ଜବାବରେ ଆଜି ଇସ୍ରାଏଲ ସେନା ୟେମେନ ରାଜଧାନୀକୁ ଟାର୍ଗେଟ କରିଛି ।
ଇସ୍ରାଏଲ କହିଛି ଯେ ଏହା ୟେମେନ ଦ୍ୱାରା ସମ୍ପ୍ରତି ଇସ୍ରାଏଲ ଉପରେ କରାଯାଇଥିବା ଆକ୍ରମଣର ଜବାବ । ଇସ୍ରାଏଲୀ ସେନା ଅନୁଯାୟୀ, ଟାର୍ଗେଟ କରାଯାଇଥିବା ଲକ୍ଷ୍ୟସ୍ଥଳଗୁଡ଼ିକରେ ଏକ ସାମରିକ ଘାଟି ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଥିରେ ରାଷ୍ଟ୍ରପତି ଭବନ ଅବସ୍ଥିତ । ଏହି ସମସ୍ତ ସ୍ଥାନ ହାଉଥି ବିଦ୍ରୋହୀମାନେ ସେମାନଙ୍କର ସାମରିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଥିଲେ । ଇସ୍ରାଏଲୀ ସେନା କହିଛି ଯେ ହାଉଥି ବିଦ୍ରୋହୀମାନେ ଇସ୍ରାଏଲ ଓ ଏହାର ସହଯୋଗୀମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଇରାନ ସରକାରଙ୍କ ନିଦେ୍ର୍ଦଶରେ କାର୍ଯ୍ୟ କରୁଛନ୍ତି ।
ଏହି ବିଦ୍ରୋହୀମାନେ ୨୨ ମାସରୁ ଅଧିକ ସମୟ ଧରି ଲୋହିତ ସାଗରରେ ବିଭିନ୍ନ ଜାହାଜକୁ ଟାର୍ଗେଟ କରୁଛନ୍ତି । ସେମାନେ କହିଛନ୍ତି ଯେ  ଗାଜା ଷ୍ଟ୍ରିପରେ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନଙ୍କ ସହ ଏକତା ପାଇଁ ଏହି ଆକ୍ରମଣ କରୁଛନ୍ତି ।
ସାନ୍ନା ବାସିନ୍ଦାମାନେ କହିଛନ୍ତି ଯେ ସେମାନେ ଏକ ବନ୍ଦ ସାମରିକ ଏକାଡେମୀ ଓ ରାଷ୍ଟ୍ରପତି ଭବନ ନିକଟରେ ଜୋରଦାର ବିସ୍ଫୋରଣ ଶୁଣିଛନ୍ତି । ସେମାନେ କହିଛନ୍ତି ଯେ ସେମାନେ ରାଜଧାନୀର ଏକ କେନ୍ଦ୍ରୀୟ ସମାବେଶ ସ୍ଥାନ ସାବିନ ସ୍କୋୟାର ନିକଟରେ  ପ୍ରବଳ ଧୂଆଁର ଧାର ଦେଖିପାରୁଛନ୍ତି । ବିସ୍ଫୋରଣର ଶବ୍ଦ ବହୁତ ଜୋରଦାର ଥିଲା ବୋଲି ରାଷ୍ଟ୍ରପତି ଭବନ ନିକଟରେ ରହୁଥିବା ଜଣେ ୟେମେନୀ ବାସିନ୍ଦା ହୁସେନ ମହମ୍ମଦ କହିଛନ୍ତି । ଅନ୍ୟ ଜଣେ ବାସିନ୍ଦା ଅହମ୍ମଦ ଅଲ-ମେଖଲାଫି ମଧ୍ୟ କହିଛନ୍ତି ଯେ ସେ ଆକ୍ରମଣର ପ୍ରଚଣ୍ଡ ଶଦ୍ଦ ଅନୁଭବ କରିଛନ୍ତି । ଘର ସବୁ ଦୋହଲି ଯାଇଥିଲା, ଝରକା ଭାଙ୍ଗି ଯାଇଥିଲା ବୋଲି ସେ କହିଛନ୍ତି । ହାଉଥି ଗଣମାଧ୍ୟମ କାର୍ଯ୍ୟାଳୟର ଉପ-ମୁଖ୍ୟ ନାସରୁଦ୍ଦିନ ଆମେର ଦାବି କରିଛନ୍ତି ଯେ ଇସ୍ରାଏଲୀ ଆକ୍ରମଣ ବିଦ୍ରୋହୀମାନଙ୍କୁ ଅଟକାଇ ପାରିବ ନାହିଁ । ଇସ୍ରାଏଲ ଉପରେ ସେମାନଙ୍କର ଆକ୍ରମଣ ଜାରି ରହିବ । ସାମରିକ ନିୟମ ଅନୁଯାୟୀ ନାମ ଗୋପନ ରଖି ଜଣେ ଇସ୍ରାଏଲୀ ବାୟୁସେନା ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରେ ୟେମେନରୁ ଇସ୍ରାଏଲ ଆଡ଼କୁ ଯେଉଁ ପ୍ରକାରର କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ତାହା ଏକ ନୂତନ ବିପଦ ଥିଲା । ସେ କହିଛନ୍ତି ଯେ କ୍ଷେପଣାସ୍ତ୍ରଟି ଏକ କ୍ଲଷ୍ଟର ଯୁଦ୍ଧାସ୍ତ୍ର ଥିଲା ।