ପଞ୍ଚଲିଙ୍ଗେଶ୍ୱର ପୀଠରେ ଜମୁଛି ପର୍ଯ୍ୟଟକଙ୍କ ଭିଡ
ନୀଳଗିରି: ଆଉ କେଇଟା ଦିନ ପରେ ନୂଆବର୍ଷ । ଏହାରି ଭିତରେ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ପାଗ ଅନୁକୂଳ ରହିଥିବାରୁ ରବିବାର ଭଳି ଛୁଟି ଦିନରେ ଶୀତୁଆ ପରିବେଶରେ ସମୟ ବିତାଇବାକୁ ଶହ ଶହ ଗାଡି ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ପର୍ଯ୍ୟଟକଙ୍କ ଭିଡ଼ ଛୁଟିଛି । ପର୍ଯ୍ୟଟନ ଋତୁରେ ପର୍ଯଟକମାନଙ୍କ ଆଗମନ ଯୋଗୁଁ ଚଳଚଞ୍ଚଳ ହୋଇ ଉଠିଲାଣି ପ୍ରକୃତିରାଣୀ ପଞ୍ଚଲିଙ୍ଗେଶ୍ୱର ଓ ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର । ପର୍ଯ୍ୟଟନ ମାନଚିତ୍ରରେ ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପଞ୍ଚଲିଙ୍ଗେଶ୍ୱର ଓ ନୀଳଗିରିର ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ସ୍ୱତନ୍ତ୍ର ପରିଚୟ ବହନ କରିଥାଏ । ଏଠାକାର ସ୍ୱତନ୍ତ୍ର ଆକର୍ଷଣ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ପ୍ରାକୃତିକ ପରିବେଶ, ବଣଭୋଜି, ଶୈବପୀଠ ଓ ଜଗନ୍ନାଥଙ୍କ ଦର୍ଶନ ପାଇଁ ଅନ୍ୟ ଦିନ ତୁଳନାରେ ଶୀତ ଋତୁରେ ଅଧିକ ଭିଡ ହୋଇଥାଏ । ନୀଳଗିରି ନିକଟରେ ବହୁ ବର୍ଷ ପୂର୍ବରୁ ଦେବଗିରି ପର୍ବତମାଳାର ଅଂଶବିଶେଷର ଏକ ଚିରସ୍ରୋତା ଝରଣାର ପଥର ଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ବାବା ପଞ୍ଚଲିଙ୍ଗେଶ୍ୱର ନାମରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ୨୬୩ଟି ପାହାଚ ଅତିକ୍ରମ କରି ଆସିବାକୁ ହୋଇଥାଏ । ଏଠାରେ ନୀର ଶଯ୍ୟାରେ ବିଜେ ପାଞ୍ଚ ଲିଙ୍ଗଙ୍କୁ ସ୍ପର୍ଶ କରି ସାନିଧ୍ୟ ଲାଭ କରିବାର ସୁଯୋଗ ମିଳିଥାଏ । ପର୍ଯ୍ୟଟକ ପ୍ରକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସାଙ୍ଗକୁ ଶୈବପୀଠର ପାଦଦେଶରେ ବଣଭୋଜିର ମଜା ଉଠାଇଥାନ୍ତି ।