ପଞ୍ଚାଣୁ ମହାବ୍ରତ: ଯୋଗ ସାଧନାର ମୂଳମନ୍ତ୍ର
ଡ.ମନୋଜ କୁମାର ମହାନ୍ତି : ସାହିତ୍ୟ, ସଂସ୍କୃତି ଓ ଦର୍ଶନ ଏ ସମସ୍ତ ବିକଶିତ ସଭ୍ୟତାର ଗୋଟେ ଗୋଟେ ପ୍ରତୀକ। ପ୍ରତ୍ୟେକ ସଭ୍ୟତାର ପ୍ରାଚୀନ ଅସ୍ତ୍ରରୂପେ ସମାଜକୁ କାଳଜୟୀ କରିବାରେ ସାହିତ୍ୟ,ସଂସ୍କୃତି ଓ ଦର୍ଶନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ବିକଶିତ ସଭ୍ୟତାର ବିକାଶ ଅନ୍ତରାଳେ ସଂସୃତି ଓ ଦର୍ଶନର ଝଲକ ନିଶ୍ଚିତଭାବେ ଦେଖିବାକୁ ମିଳେ । ଭାବନାର ପ୍ରତୀକଭାବେ ଭାଷା, ଓ ଭାଷାକୁ ସାମାଜିକ ଜୀବନରେ ବିସ୍ଥାପିତ କରିବାପାଇଁ ଏକମାତ୍ର ମାଧ୍ୟମ ସାହିତ୍ୟ । ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅବସ୍ଥାନରେ ଥିବା ସାମାଜିକ ଚଳନୀ, ଜୀବନଶୈଳୀ, ରୀତିନୀତି, ପ୍ରଥାପରମ୍ପରାକୁ ବଜାୟ ରଖିଥିବା ବିଶ୍ୱାସର ପରିପ୍ରକାଶକୁ ସଂସ୍କୃତି କୁହାଯାଏ । ମାନବୀୟ ମହତ୍ତ୍ୱ ଓ ମୂଲ୍ୟବୋଧକୁ ହୃଦୟଙ୍ଗମ କରି ତା ଭିତରେ ଅନ୍ତର୍ନିହିତ ସତ୍ୟାସତ୍ୟକୁ ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ଜିଜ୍ଞାସାକୁ ଦର୍ଶନ କୁହାଯାଏ । ବିଶ୍ୱ ଚିନ୍ତାଚେତନାର ପରିବର୍ତ୍ତନର ପ୍ରଛଦପଟରେ ଦାର୍ଶନିକ ଚିନ୍ତାଧାରା ଏକ ବୃହତ୍ ଅସ୍ତ୍ରରୁପେ କାର୍ଯ୍ୟ କରିଆସିଛି ।ବିଶ୍ୱର ଭିନ୍ନଭିନ୍ନ ବପ୍ଳବ ପଛରେ ଦାର୍ଶନିକମାନଙ୍କ ଭୂମିକାର ଗୁରୁତ୍ୱ ରହିଆସିଛି । ଯେବେଯେବେ ମାନବୀୟ ମହତ୍ତ୍ୱ ଓ ମୂଲ୍ୟବୋଧର ପ୍ରସଙ୍ଗ ଆଲୋଚନାର ପରିସରକୁ ଆସେ ସେବେସେବେ ଦର୍ଶନ ମାନବ ସମାଜ ପାଇଁ କେନ୍ଦ୍ରବିନ୍ଦୁ ପାଲଟିଯାଏ ।ସାମାଜିକ ବ୍ୟବସ୍ଥାକୁ ମଜବୁତ୍ ସହ ମଣିଷକୁ ଦିଗ୍-ଦର୍ଶନ ଦେବାରେ ଦର୍ଶନ ସଦାସର୍ବଦା ଚେଷ୍ଟିତ।
ଭାରତୀୟ ଦର୍ଶନଶାସ୍ତ୍ର ଓ ଦାର୍ଶନିକ ଚିନ୍ତାଧାରା ସାମାଜିକ ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ। ଭାରତୀୟ ସପ୍ତଦର୍ଶନ ବ୍ୟବସ୍ଥା ମଧ୍ୟରୁ ‘ଯୋଗ ଦର୍ଶନ’ ବ୍ୟବସ୍ଥା ଭାରତୀୟ ଜୀବନଶୈଳୀ ପାଇଁ ଏକ ମହୋଷଧି। ସାଂଖ୍ୟ-ଯୋଗ ଦର୍ଶନ ପ୍ରାଚୀନ କାଳରୁ ଅଦ୍ୟାବଧି ତାର କାୟା ବିସ୍ତାର କରିଚାଲିଛି । ଯୋଗ ଦର୍ଶନର ପ୍ରତିଷ୍ଠାତା ଓ ଅଷ୍ଟାଙ୍ଗ ଯୋଗସୂତ୍ରର ଜନକ ଭାବେ ପତଞ୍ଜଳି ନିଶ୍ଚିତ ପୁଜନୀୟ । ଆଧ୍ୟାତ୍ମିକ ଚେତନାର ଅଭିବୃଦ୍ଧି ନିମନ୍ତେ ଯୋଗ ଏକ ଶ୍ରେଷ୍ଠ ମାଧ୍ୟମରୂପେ ୠଷି ପତଞ୍ଜଳୀ ଅନୁଭବ କଲାପରେ ତାର ସିଦ୍ଧିପ୍ରାପ୍ତ ପାଇଁ ମାନବ ସମାଜକୁ ଯୋଗସୂତ୍ର ପୁସ୍ତକ ଉପହାର ଦେଇଥିଲେ । ଯୋଗସୂତ୍ର ୧୯୫ ସୁତ୍ର ଓ ଚାରିଗୋଟି ପୁସ୍ତକର ସମାହାର :ସମାଧି (ଅସ୍ଥିର ମନର ସ୍ଥିରତା), ସାଧନା (ଯୋଗର ପଦ୍ଧତି), ବିଭୂତି (ଯୋଗ ଶକ୍ତିର ଚମତ୍କାର)ଓ କୈବଲ୍ୟ ( ବନ୍ଧନର କବଳିତ ଆତ୍ମାର ମୁକ୍ତି) । ସମ୍ପୂର୍ଣ୍ଣ ଅଷ୍ଟାଙ୍ଗ ଯୋଗକୁ ତିନୋଟି ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମତଃ:ଅଧିକାରୀ ଯୋଗ(ୟମ ଓ ନିୟମ), ଦ୍ୱିତୀୟତଃ: ବହିରାଙ୍ଗ ଯୋଗ (ଆସନ, ପ୍ରାଣାୟମ ଓ ପ୍ରତ୍ୟାହାର), ଓ ତୃତୀୟ ତଥା ଅନ୍ତିମ ଭାଗ:ଅନ୍ତରଙ୍ଗ ଯୋଗ(ଧର୍ମ, ଧ୍ୟାନ ଓ ସମାଧି) । ସାଧାରଣ ମତରେ ଯୋଗର ଅର୍ଥ ମିଳନ ବା ସଂଯୋଗ । କିନ୍ତୁ ସାଂଖ୍ୟ-ଯୋଗ ଦର୍ଶନ ଅନୁସାରେ ମଣିଷର ଆତ୍ମିକ ଚେତନାର ବିଶ୍ୱ ଆତ୍ମିକ ଚେତନା ସହ ମହାମିଳନକୁ ‘ଯୋଗ’ କୁହାଯାଏ। ଏହା ଏକ ଆଧ୍ୟାତ୍ମିକ ଜାଗରଣ ତଥା ଜାଗତିକ ଅନୁଭବ।
ମହାଭାରତରେ ଅର୍ଜୁନକୁ କୃଷ୍ଣଙ୍କର ଉପଦେଶ ଥିଲା ଯୋଗୀଟିଏ ହୁଅ । ଜ୍ଞାନଯୋଗ,କର୍ମଯୋଗ, ଭକ୍ତିଯୋଗ ଓ ରାଜଯୋଗକୁ ମାନବ ଜାତିର ମୋକ୍ଷପ୍ରାପ୍ତିର ଉପଯୁକ୍ତ ପଥଭାବେ ଶ୍ରୀମଦ୍ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି । ମହର୍ଷି ପତଞ୍ଜଳୀଙ୍କ ଅନୁସାରେ ଯୋଗସାଧନ ପୂର୍ବରୁ ନିଜକୁ ଯୋଗୀଟିଏ କର । କୌଣସି ସାଧନା ପାଇଁ ଏକ ନିଷ୍ଠାପର ସାଧକଟିଏ ହେବା ଏକାନ୍ତ ଅପରିହାର୍ଯ୍ୟ । ଅଷ୍ଟାଙ୍ଗ ଯୋଗର ପ୍ରଥମ ଭାଗ ଯାହା ଅଧିକାରୀ ଯୋଗ (ୟମ ଓ ନିୟମ)କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଗ୍ରହଣ କଲାପରେ ପରବର୍ତ୍ତୀ ସମୟରେ ଯୋଗ ସାଧନାରେ ମନୋନିବେଶ କରିବା ପାଇଁ ଉଚିତ୍ ମାର୍ଗ ହେବ। ମଣିଷର ଚାରିତ୍ରିକ ଆଚରଣ ଓ ଉଚ୍ଚ଼ାରଣ ଯୋଗସାଧନ ଲାଗି ଉପଯୁକ୍ତ । ଚାରିତ୍ରିକ ଆଚରଣ କହିଲେ ମଣିଷର ନୈତିକ ଆଧାର ଯାହା ଅତ୍ୟାବଶ୍ୟକ ମାନବିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ । ୟମ ଓ ନିୟମ ପ୍ରତ୍ୟେକ ମଣିଷର ଚାରିତ୍ରିକ ଆଭାସର ପରିଭାଷା । ୟମ କହିଲେ ମଣିଷର ପଞ୍ଚ ଅତ୍ୟାବଶ୍ୟକ ମୂଲ୍ୟବୋଧ ଯାହା ଜୈନ ଦର୍ଶନରେ ପଞ୍ଚାଣୁବ୍ରତ ବା ଅଣୁ ମହାବ୍ରତ ଭାବେ ନାମିତ କରାଯାଇଛି । ଅଷ୍ଟାଙ୍ଗ ଯୋଗସାଧନ ପାଇଁ ପଞ୍ଚାଣୁ ମହାବ୍ରତର ଅନୁସରଣ ବହୁମାତ୍ରାରେ ପ୍ରଯୁଜ୍ୟ । ପଞ୍ଚାଣୁ ମହାବ୍ରତ କହିଲେ, ଅହିଂସା, ସତ୍ୟ, ଆସ୍ତେୟ, ଅପରିଗ୍ରହ୍ ଓ ବ୍ରହ୍ମଚର୍ଯ୍ୟକୁ ବୁଝାଏ । ଏହି ପଞ୍ଚମହାବ୍ରତକୁ ଯେପର୍ଯ୍ୟନ୍ତ ମାନବ ଜାତି ଆନ୍ତରିକଭାବେ ପାଳନ ନ କରିଛି ସେ ପର୍ଯ୍ୟନ୍ତ ଯୋଗ ସାଧନ ସମ୍ଭବ ନୁହେଁ । ଏହି ପଞ୍ଚବ୍ରତକୁ ମହାତ୍ମା ଗାନ୍ଧୀ ତାଙ୍କ ଜୀବନରେ ଅନୁସରଣପୂର୍ବକ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅହିଂସା ଓ ସତ୍ୟକୁ ଏକ ଶ୍ରେଷ୍ଠ ହତିଆର କରିଥିଲେ ।
ଅହିଂସା ଏକ ମାନସିକ ଅବସ୍ଥା ଯାହା ସଦାସର୍ବଦା ଅନ୍ୟର କ୍ଷତି ନ ପହଞ୍ଚାଇବାରେ ଏକ ପ୍ରତିଷେଧକ ଅଟେ । ମନର ପରିକଳ୍ପନା ,ବାକ୍ୟ ଓ କର୍ମ ଉପରେ ନକାରାତ୍ମକ ନିୟନ୍ତ୍ରିତ ପରିଭାଷା ହିଁ ଅହିଂସା । ପ୍ରେମ ଓ ସକାରାତ୍ମକ୍ ଭାବନା ହିଁ ଅହିଂସା । ପ୍ରତ୍ୟେକ ମଣିଷକୁ ମଣିଷ ଭଳି ବ୍ୟବହାର କରିବା ସହ ବିନା ଭେଦଭାବର ସଂକୀର୍ଣ୍ଣତାର ପୃଷ୍ଠପୋଷକତା କରିବା ଅହିଂସା ଅଟେ । ହିଂସା ମଣିଷକୁ ଓ ତା ମନକୁ ପଥଭ୍ରଷ୍ଟ କରେ, ଆତ୍ମାକୁ କଳୁଷିତ ଓ କବଳିତ କରେ । କଳୁଷିତ ଓ କବଳିତ ମଣିଷ ସର୍ବଦା ହିଂସ୍ର ସ୍ୱଭାବର । ଜୀବ ପ୍ରତି ଦୟା, ଅନୁକମ୍ପା ଓ ସେବା ଅହିଂସାର ପ୍ରତୀକ । ଅହିଂସା ମାଧ୍ୟମରେ ଗାନ୍ଧୀ ସ୍ୱାଧୀନତା ଆଣିବାରେ ସଫଳ ହୋଇଥିଲେ । ଏହି ଅହିଂସାକୁ ସାହାରା କରି ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲସନ ମଣ୍ଡେଲା ମଧ୍ୟ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ କରି ତେଇଶି ବର୍ଷ କାରାବାସ କରିଥିଲେ । ଅହିଂସା ସହ ସତ୍ୟ ୟମର ଦ୍ୱିତୀୟ ବ୍ରତ । ସତ୍ୟ ହିଁ ସୁନ୍ଦର, ସତ୍ୟ ହିଁ ଚିରନ୍ତନ,ନିରାକାର, ଚିରସବୁଜ । ଯୋଗ ସାଧନା ପୁର୍ବରୁ ପ୍ରତ୍ୟେକ ବ୍ୟକ୍ତି ନିଜର ଭାବନା, ବାକ୍ୟ ଓ କର୍ମରେ ସତ୍ୟର ସମ୍ମାନ କରିବା ଉଚିତ୍ । ନିଜ କର୍ମ ଓ ଜୀବିକା ପ୍ରତି ସଚେତନ ସହ କର୍ତ୍ତବ୍ୟପରାୟଣତାକୁ ଜୀବନର ଶ୍ରେଷ୍ଠ ବ୍ରତଭାବେ ପାଳନ କରିବା । ଏହାହିଁ ଜୀବନର ବାସ୍ତବତା ଓ ବାସ୍ତବତା ହିଁ ସତ୍ୟ । ସତ୍ୟପଥରେ ପଥିକ ସର୍ବଦା ସଚ୍ଚୋଟ ପଣିଆକୁ ଏକ ଅସ୍ତ୍ରଭାବେ ବ୍ୟବହାର କରିଥାଏ । ସତ୍ୟନିଷ୍ଠ ବ୍ୟକ୍ତିର ମାନସିକ ଅବସ୍ଥା ସୁସ୍ଥ କାରଣ ମିଥ୍ୟା ଓ ଭୟ ଉଭୟ ଶାରିରୀକ ଓ ମାନସିକ ଯନ୍ତ୍ରଣାର କାରଣ । ଆସ୍ତେୟ ପଞ୍ଚ ମହାବ୍ରତର ଏକ ଅନ୍ୟ ଏକ ଆଚରଣ ବିଧି । ଯେତେବେଳେ ଆମେ ଅନ୍ୟର ଜିନିଷକୁ ଚୋରି, ଠକି,ଶୋଷଣ ତଥା ପ୍ରତାରିତ କରି ନିଜର କରିବାର ଇଛା ପ୍ରକାଶ କରନ୍ତି ତାହା ମାନବୀୟ ମୂଲ୍ୟବୋଧ ନୁହେଁ । ଏଥିରୁ ନିବୃତ୍ତ ହେବା ନିହାତି ଜରୁରି ଓ ଏହାହିଁ ଆସ୍ତେୟ । ଆପରିଗ୍ରହ ଚତୁର୍ଥ ମହାବ୍ରତ ଯାହା ଆମ ସମସ୍ତଙ୍କୁ ଶିଖାଏ ଯେତିକି ଆବଶ୍ୟକ ସେତିକି ଗ୍ରହଣ କରାଯାଉ । ଆବଶ୍ୟକତାଠାରୁ ଅଧିକ ଗ୍ରହଣ ଲୋଭ ଅଟେ । ଲୋଭର ବଶବର୍ତ୍ତୀ ବ୍ୟକ୍ତି ମାନସିକ ଯନ୍ତ୍ରଣା ଅନୁଭବ କରିବା ସହ ସାମାଜିକ ବିକାଶରେ ବାଧା ସୃଷ୍ଟି କରେ । ଖାଦ୍ୟ ଗ୍ରହଣ ଠାରୁ ବସ୍ତ୍ର ଆସବାସ ପର୍ଯ୍ୟନ୍ତ୍ ସବୁକ୍ଷେତ୍ରରେ ନିଜକୁ ନିୟନ୍ତ୍ରିତ ରଖିବା ଦ୍ୱାରା କୌଣସି ମାନସିକ ଦ୍ୱନ୍ଦ୍ୱ ଉପୁଜେ ନାହିଁ । ବ୍ରହ୍ମଚର୍ଯ୍ୟ ଆମ ଚତୁରାଶ୍ରମ ଜୀବନର ପ୍ରଥମ ଆଶ୍ରମ ଓ ପଞ୍ଚ ମହାବ୍ରତ ସର୍ବଶ୍ରେଷ୍ଠ ବ୍ରତ । ପ୍ରତ୍ୟେକ ମଣିଷର ଏହା ଏକ ଶ୍ରେଷ୍ଠ ଓ ଉତ୍କୃଷ୍ଟ ଜୀବନ ଶୈଳୀର ପ୍ରଥମ ପାହାଚ । ଉଭୟ ମନ ଓ ଶରୀରକୁ, ସ୍ୱଚ୍ଛ ଓ ଶୁଦ୍ଧ ରଖିବା ପାଇଁ ଇନ୍ଦ୍ରିୟ ମାନଙ୍କୁ ବିକାରଗ୍ରସ୍ଥ ଚିନ୍ତାଧାରାରୁ ନିବୃତ୍ତ ରଖିବା ହିଁ ବ୍ରହ୍ମଚର୍ଯ୍ୟ । ଯୌନତୃପ୍ତିର ଅହେତୁକ ବ୍ୟାକୁଳ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଇନ୍ଦ୍ରିୟମାନଙ୍କର ଅସଂଜତ ଉଚ୍ଚ଼ାରଣ ଓ ଆଚରଣ ସମସ୍ତ ସମସ୍ୟାର ମୂଳକାରଣ ।
ଏକବିଂଶ ଶତାବ୍ଦୀ ଅତ୍ୟାଧୁନିକ ଜୀବନଶୈଳୀର ଯୁଗ । ଖାଦ୍ୟପେୟ,ବସ୍ତ୍ର ଓ ଅନ୍ୟାନ୍ୟ ୈନନ୍ଦିନ ସାମଗ୍ରୀରେ କୁତ୍ରିମତାର ଭରିଭରି ରହିଛି । କାମ-କ୍ରୋଧ-ଲୋଭ-ମଦ- ମୋହ-ମତ୍ସାର୍ୟର କରାଳ ଗର୍ଭରେ କବଳିତ ମଣିଷ କରିବବା କଣ?ସେଇ କଳୁଷିତ ଓ କୁତ୍ରିମ ମାନସିକତାକୁ ମଣିଷ ସମାଜ ସମ୍ପୂର୍ଣରୂପେ ଗ୍ରହଣ କରିବାରେ ଲାଗିଛି । ସାମ୍ପ୍ରତିକ ବିଶ୍ୱମାନବ ଜାତି ଉଭୟ ଶାରିରୀକ ଓ ମାନସିକ ସ୍ତରରେ ରୋଗାକ୍ରାନ୍ତ ହେବାରେ ଲାଗିଛି । ବସ୍ତୁବାଦୀ ଦୁନିଆରେ ବସ୍ତୁପ୍ରତି ଅହେତୁକ ଦୁର୍ବଳତା ସହ ନିଜ ଆର୍ଥିକ ମାନଦଣ୍ଡକୁ ସଶକ୍ତ କରିବା ଲକ୍ଷ୍ୟରେ ସମସ୍ତେ ଖୁବ୍ ବେଗରେ ଧାବମାନ । ପ୍ରତିଦ୍ୱନ୍ଦ୍ୱିତା ଓ ଈର୍ଷାପରାୟଣତା ଧୀରେଧୀରେ ମାନସିକ ଉତ୍ତେଜନା ଓ ଚାପଗ୍ରସ୍ଥ ଜୀବନ ସୃଷ୍ଟି କରିଚାଲିଛି । ଏହି ପରିପ୍ରେକ୍ଷୀରେ ଅଷ୍ଟାଙ୍ଗ ଯୋଗକୁ ନିଶ୍ଚିତ ଭାବେ ଏକ ଉତ୍ତମ୍ ମାର୍ଗ ଭାବେ ଉଭୟ ଚାପମୁକ୍ତ ଓ ରୋଗମୁକ୍ତ ବିଶ୍ୱଗଠନ କରିବାରେ ସାହାଯ୍ୟ କରିବ ।
ଭଦ୍ରକ
ମୋ: ୮୮୯୫୩୪୧୦୩୩