ନିରନ୍ତର ନିଷ୍ଠା ଏକାନ୍ତ ଆବଶ୍ୟକ

ମାୟାଧର ନାୟକ : ଏବେ ଶୁଣନ୍ତୁ ଭିଏତନାମର ସେଇ ଝିଅଟି କଥା । ଭିଏତନାମ ଓ ଆମେରିକା ମଧ୍ୟରେ ଯୁଦ୍ଧ ଚାଲିଛି। ଭିଏତନାମ ଆମ ଓଡିଶା ଭଳିଆ ଗୋଟିଏ ଛୋଟିଆ ରାଜ୍ୟ ନୁହେଁ ତ ଦେଶ । ସେଠାର ଅଧିବାସୀମାନେ ଗରିବ, ଚାଷୀ, ମୂଲିଆ । କିନ୍ତୁ ସେମାନେ ସଂଗ୍ରାମୀ, ବିପ୍ଳବୀ, ସମାଜବାଦୀ । ସେଇ ଦେଶକୁ ଆମେରିକା ଦଖଲ ନବା ପାଇଁ ଘମାଘୋଟ ଯୁଦ୍ଧ କରୁଥାଏ । ଭିଏତନାମ ଗାଁ, ଗଣ୍ଡା, ସହର ଭିତରେ ପଶିଯାଇଥାଏ । ଆମେରିକାର ସୈନ୍ୟବାହିନୀ ଗାଁ ଗଣ୍ଡାରେ ପଶି ଲୋକଙ୍କୁ ଧରିଆଣନ୍ତି । ଏପରିକି ସୁନ୍ଦରୀ ଝିଅମାନଙ୍କୁ ଧରିଆଣି ବଜାର, ହାଟ ମଝିରେ ନାନା ନିର୍ଯାତନା ଦିଅନ୍ତି  । ବିକଳରେ ବହୁ ଝିଅଙ୍କର ଜୀବନ ସେଇଠି ଚାଲିଯାଏ । ଏହାକୁ ଶହଶହ ଲୋକ ଦେଖୁଥିଲେ ମଧ୍ୟ ପ୍ରତିବାଦ କରିପାରନ୍ତି ନାହିଁ । ଯିଏ ପ୍ରତିବାଦ କଲା, ତା’ର ପୁରସ୍କାର ମୃତ୍ୟୁଦଣ୍ଡ । ଲୋକଙ୍କୁ ଡରାଇବା ପାଇଁ ଆମେରିକା ସୈନ୍ୟବାହିନୀର ଥିଲା ଏ ବୀଭତ୍ସ କାଣ୍ଡ । ଲଜ୍ଜା, ଦୁଃଖ ଯନ୍ତ୍ରଣାରେ ବହୁ ଝିଅ ଆତ୍ମହତ୍ୟା କରୁଥିଲେ । ଥରେ ଗୋଟିଏ ସୁନ୍ଦରୀ ଝିଅକୁ ସେମାନେ ଧରିଆଣି ସର୍ବସମ୍ମୁଖରେ ସେହିଭଳି ନିର୍ଯାତନା ଦେଲେ । ଶେଷକୁ ଫିଙ୍ଗିଦେଇ ଚାଲିଗଲେ । ସେ ଝିଅଟି ସମସ୍ତଙ୍କୁ କହିଲା –ଚାଲ, ଏହାର ମୁକାବିଲା କରିବା । ହଠାତ୍‌ କେହି ରାଜି ହେଲେନି । ସେ କିନ୍ତୁ ନିଷ୍ପତ୍ତି ନେଲା ଆତ୍ମହତ୍ୟା କରିବନି । ବଂଚିଥିଲା ପର୍ଯ୍ୟନ୍ତ ଲଢିବ, ଆମେରିକାସୈନ୍ୟକୁ ମାରିବ। ଏଇ ବିଚାର ନେଇ ସେ ହୋଚିମିନ୍‌ଙ୍କ ଭିଏତନାମ୍‌ କମ୍ୟୁନିଷ୍ଟ ପାର୍ଟିର ସ୍ଥାନୀୟ ନେତାଙ୍କ ପାଖରେ ପହଂଚିଲା । ତାକୁ ସର୍ବୋଚ୍ଚ ନେତାଙ୍କ ପାଖକୁ ନେଇଗଲେ । ବହୁ ଆଲୋଚନାହେଲା ପରେ ନେତା ନିର୍ଦ୍ଦେଶ ଦେଲେ - ଯାଅ, ଜଙ୍ଗଲ ଭିତରେ ଅମକ ବାହିନୀ ସାଙ୍ଗେ ଯୋଗ ଦିଅ ।


   ସେ ଝିଅଟିକୁ ଜଙ୍ଗଲକୁ ପଠାଇ ଦିଆଗଲା ନିର୍ଦ୍ଦିଷ୍ଟ ବାହିନୀ ପାଖକୁ । ସେଠାରେ ରାତିଦିନ ଟ୍ରେନିଂ ନେଲା । ସେଇଠି ସବୁ ପୁଅ-ଝିଅ ମିଶି ଯୁଦ୍ଧର ଆଦବକାଇଦା ସମେତ ଯୁଦ୍ଧକୌଶଳ ଶିଖିଗଲେ । ତାକୁ ପ୍ରଥମ ପରୀକ୍ଷା ପାଇଁ ଏକା ଏକା ଜଙ୍ଗଲ ଭିତରକୁ ଛାଡି ଦିଆଗଲା । କୁହାଗଲା - ତୁମେ ଏଇଠିସେଇ ଜଙ୍ଗଲ ଭିତରେ ରାସ୍ତାରେ ଯାଉଥିବା ଆମେରିକା ସୈନ୍ୟଙ୍କୁ ହତ୍ୟା କର । ସେ ଝିଅଟି ଜଙ୍ଗଲ ଭିତରେ ରାସ୍ତାକଡରେ ଯାଇ ଏକ ଶକ୍ତ ଦଉଡିରେ ଅଠା ସାହାଯ୍ୟରେ କାଚଗୁଣ୍ଡ ମିଶାଇ ବୋଳିଦେଲା । ରାସ୍ତାର ଗୋଟିଏ ମୁଣ୍ଡ ବଡ଼଼ଗଛରେ ଗୋଟିଏ ଦଉଡି ବାନ୍ଧିଦେଲା ଆଉ ରାସ୍ତାର ଆରକଡରେ ଦଉଡିର ଅନ୍ୟ ମୁଣ୍ଡ ଧରି ଲୁଚି ରହିଲା । ଦଉଡିଟି ରାସ୍ତାରେ ପଡିରହିଲା । ଜଙ୍ଗଲର ଗଛପତ୍ର, ଘାସ ରଙ୍ଗ ଭଳି ଦଉଡିର ରଙ୍ଗ ଦେଖାଗଲା । ଆମେରିକା ସୈନ୍ୟମାନେ ମଟର ସାଇକେଲରେ ମେଡିସିନ୍‌, ଅନ୍ୟାନ୍ୟ ସାମଗ୍ରୀନେଇ ୧୦/୧୫ ଜଣିଆ ଦଳ ବାନ୍ଧି ସେଇ ରାସ୍ତାରେ ଯାଆନ୍ତି । ଏହାକୁ ସେ ଦୁଇଦିନ ଧରି ନିରୀକ୍ଷଣ କରିଥିଲା । ଶେଷରେ ଉପଯୁକ୍ତ ମୁହୂର୍ତ୍ତକୁ ଅପେକ୍ଷା କରି ରହିଲା । ଆମେରିକା ସୈନ୍ୟମାନେ ଦ୍ରୁତଗତିରେ ଯିବାବେଳେ ଠିକ୍‌ ସମୟରେ ଦଉଡିଟିକୁ ଟାଣିଦେଲା । ତତ୍‌କ୍ଷଣାତ୍‌ ୭/୮ ଜଣ ଆମେରିକାସୈନ୍ୟଙ୍କ ମୁଣ୍ଡ ଗଣ୍ଡିରୁ ଅଲଗାହୋଇଗଲା । ଏ ଖବର ବ୍ୟାପିଗଲା ପରେ ସେଇ ଝିଅଟି ହେଲା ଏକ ବିରାଟ ବାହିନୀର କମାଣ୍ଡର । ତା’ ନେତୃତ୍ୱରେ ଭିଏତନାମ ଯୁଦ୍ଧ ଆଗେଇ ଚାଲିଲା । 


  କୂଅ ଭିତରେ ଥିବା ବେଙ୍ଗ ଦେଖିବାକୁ ତ୍ରିପଣ୍ଡ କଳା ଏବଂ ନଡନଡିଆ ପତଳା । କୂଅ ଭିତରେ ଯାହା ଖାଦ୍ୟ ପଡେ ସେଇ ଖାଦ୍ୟକୁ ଖାଇ ବଂଚିରହିଥାଏ । ସମୁଦ୍ର ବେଙ୍ଗ ହଳଦିଆ, ଥୁକୁଲ୍‌ଥାକୁଲ୍‌, ଚାଲାକ୍‌ ଚତୁର, ଲମ୍ବାଚଉଡା ବି । ଥରେ ସମୂଦ୍ର ବେଙ୍ଗ ଖବର ପାଇ କୂଅ ପାଖକୁ ଆସି ତା’ ଜାତିଭାଇମାନଙ୍କୁ କହିଲା - ଭାଇଭଉଣୀମାନେ, କାହିଁକି ଏ ଅନ୍ଧାର ଭିତରେ କୂଅରେ ଖାଦ୍ୟ ଅଭାବରେ ପଡିରହିଛ । ଉପରକୁ ଆସ, ସମୁଦ୍ରକୁ ଯିବା, ସେଇଠି ଆରାମରେ ବୁଲିବା, ଖାଦ୍ୟ ପାଇବା, ପବନ ପାଇବା, ନାଚିବା, କୁହାଟ ମାରିବା । କୂଅ ବେଙ୍ଗମାନେ କହିଲେ - ଇଏ ଆମକୁ ବଡ଼଼ ଚାଲାକରେ ଡାକି କହୁଛି ମାରିଦେବ । କେହି ଯିବାକୁ ରାଜି ହେଲେନାହିଁ । ସମୁଦ୍ର ବେଙ୍ଗ କିନ୍ତୁ ହତାଶ ନହୋଇ ବୁଝେଇ ଶୁଝେଇ ଜଣକୁ ଡାକିନେଲା । ସେ ନଡନଡିଆ କଳା ବେଙ୍ଗଟା ୭ ଦିନ ସମୁଦ୍ରରେ ଚରି ବୁଲି ଖାଇ ତା’ ରୂପ ବଦଳିଗଲା । ମୋଟାସୋଟା ହୋଇଗଲା । ସମୁଦ୍ର ବେଙ୍ଗ ତାକୁ କହିଲା - ଏଥର ଯାଅ, ତମ ଭାଇଭଉଣୀମାନଙ୍କୁ କୁହ । ସେ ଯେତେବେଳେ ତା ଭାଇଭଉଣୀମାନଙ୍କ ପାଖକୁ ଆସିଲା ସମସ୍ତେ ତାକୁ ଦେଖି ଆଶ୍ଚର୍ଯ୍ୟ, ପଚାରିଲେ - ତୋର ଏ ରୂପ କେମିତି ହେଲା ? ସେ ସବୁ କଥା ବଖାଣିଲା । ତା’ପରେ କୂଅରୁ ସବୁ ବେଙ୍ଗ ବାହାରି ସମୁଦ୍ରମୁହାଁ ହେଲେ । ଏ ବେଙ୍ଗ ଉପଖ୍ୟାନ ଶୁଣାଇବାର ଅର୍ଥ ହେଲା – ତୁମେ ତୁମର ଭାଇଭଉଣୀମାନଙ୍କୁ ଯେତେ ବୁଝାଇବ ସେ ବୁଝିବେ ନାହିଁ କି ଆସିବେ ନାହିଁ । କିନ୍ତୁ ଗାଁରୁ ସାହିରୁ ଜଣ ଜଣକୁ ଯଦି ବୁଝାଇ ଆଣିପାର, ସେଇ ୧ରେ ଶୂନ ବସିଲେ ୧୦, ୧୦ରେ ଶୂନ ବସିଲେ ୧୦୦, ୧୦୦ରେ ଶୂନ ବସିଲେ ୧୦୦୦, ଏଇଭଳି ଶେଷକୁ ଲକ୍ଷ ଲକ୍ଷ, କୋଟି କୋଟି ଲୋକ ଆସିବେ । ମାତ୍ର ଏଥିପାଇଁ ନିରନ୍ତର ନିଷ୍ଠା ଏକାନ୍ତ ଆବଶ୍ୟକ । 


    ହଁ, ଆଉ ଗୋଟେ କଥା ଶୁଣ । ଲୋକଙ୍କୁ ବୁଝାଇଲାବେଳେ, କଥା କହିଲାବେଳେ ସତର୍କତା ଅବଲମ୍ବନ କରିବ । ଏଇ କଥାରେ ବିଷ, ଏଇ କଥାରେ ଅମୃତ । କଥା କହିଜାଣିଲେ ସବୁ ସୁନ୍ଦର । କଥାରେ ଓଲମବିଲମ୍‌ କଲେ ସବୁ ଗଣ୍ଡଗୋଳ । ତମେ ବେଶି କଥା ନକହି ଲୋକମାନେ କ’ଣ କହୁଛନ୍ତି ଭଲ ଭାବେ ଶୁଣ । ତାଙ୍କ ଅଭାବ, ଅଭିଯୋଗ, ଦୁଃଖ, ଯନ୍ତ୍ରଣା, ଭାଷା ଶିଖ । ତାଙ୍କରି ଭାଷାରେ ତମ ନୀତି, ଆଦର୍ଶ କଥା କୁହ । ଖାଲି ଗୁଡାଏ ଗପିଗଲେ ଲୋକ ହଁ, ହୁଁ ମୁଣ୍ଡ ଟୁଙ୍ଗାରିବେ ସିନା, କିନ୍ତୁ ବୁଝିବା କଷ୍ଟ ହେବ । ଧୈର୍ଯ୍ୟର ସହ ଶୁଣିବ, ତାଙ୍କ ଭାଷା ଶିଖିବ, ଅଳ୍ପ କଥା କହି ସେମାନଙ୍କୁ ନିଜ ଆଡକୁ ଟାଣି ଆଣିବ । କଣ୍ଠସ୍ୱରର ମାତ୍ରା ମଧ୍ୟ ବେଳେବେଳେ ଠିକ୍‌ କଥାକୁ ଭୁଲ କରିଦିଏ । ତମ ଉଚ୍ଚାରଣ ଯଦି ଠିକ୍‌ ଥାଏ, ତା’ହେଲେ ସବୁ ଠିକ୍‌ । ଉଚ୍ଚାରଣରେ ଗଣ୍ଡଗୋଳ ଥିଲେ ସେଇଠି ସବୁ ବିଭ୍ରାଟ ଘଟେ । ଏବେ ଆଉ ଗୋଟିଏ ପ୍ରଶ୍ନ ପଚାରୁଛି – ସାଧାରଣ ପ୍ରଶ୍ନ - ଯଦି ଆଜି ଚକ ନ’ଥାଆନ୍ତା, ତା’ହେଲେ ସଭ୍ୟତା କ’ଣ ଆଗକୁ ବଢ଼ି ପାରିଥାଆନ୍ତ କି? ଏବେ ଆଖିଆଗରେ ମାଳମାଳ ଚକ । ହେଲେ ଆମେ ଗାଡ଼ିରେ ବସୁଥିବା ଲୋକମାନେ ତା’ତଳେ ଥିବା ଚକ କଥାଟାକୁ କେବେହେଲେ ମୁଣ୍ଡକୁ ଆଣୁନଥାଉ । ଅଧବାଟରେ ଯଦି ଗୋଟିଏ ଚକ ବି ହଠାତ୍‌ ବିଗିଡି ଯାଏ ତ ଆମ ଅକଲ ଗୁଡୁମ୍‌ । ଏଇ ଅକଲକୁ ନକଲ କରି ଆମ ଜୀବନ, ଆମ ସଭ୍ୟତା, ଆମ ସଂସ୍କୃତି, ଆମ ଦର୍ଶନ, ଆମ ବୁଦ୍ଧି, ଆମ ବିଚାର – ସବୁକିଛି ଗତିଶୀଳ । ତେଣୁ ଅସଲ ମଣିଷ ହେବାପାଇଁ ହେଲେ ଆଗ ଦରକାର ଏଇ ଅକଲ । ଏଇ ଚକ ଉଦ୍‌ଭାବକ୍‌ ଜର୍ଜ କେଲୀଙ୍କୁ ଆଜି ଏହି ମୁହୂର୍ତ୍ତରେ ନୀରବରେ ଟିକିଏ ନମ୍ର ନମସ୍କାର କରନ୍ତୁ । ଜର୍ଜକେଲୀଙ୍କ ମୁଣ୍ଡରେ ଚକପ୍ରସ୍ତୁତି ପାଇଁ ଦିନେ ଅକଲ ପଶିଲା । ସେ ରାତିଦିନକୁ ସମାନ କରି ଚକ ଉଦ୍‌ଭାବନରେ ଲାଗିଗଲେ । ଘରଦ୍ୱାର ସଂପତ୍ତିବାଡି ବିକିଦେଇ ପୂରା ଦେବାଳିଆ ବନିଗଲେ । ପରିବାରରୁ ତୀବ୍ର ବିରୋଧ ହେଲା । ସେଦିନର ସମାଜ ତାଙ୍କୁ ରାସ୍ତାକଡରେ ଆଙ୍ଗୁଠି ଦେଖାଇ ‘ପାଗଳ’ ଉପାଧି ଉପହାର ଦେଲା । ସେ କିନ୍ତୁ ତାଙ୍କ ନିରନ୍ତର ନିଷ୍ଠାରୁ ତିଳାର୍ଦ୍ଧ ବିଚ୍ୟୁତ ହେଲେନାହିଁ । ଦିନେ କିନ୍ତୁ ତାଙ୍କର ଧୈର୍ଯ୍ୟଚ୍ୟୁତି ହେବାରୁ ବିରକ୍ତ ହୋଇ ଚକ ଉଦ୍‌ଭାବନ ପାଇଁ ଯୋଗାଡ କରିଥିବା ଯନ୍ତ୍ରପାତିଗୁଡାକୁ ନିଆଁରେ ପୋଡିଦେବାକୁ ବାହାରିଲେ । ହେଲେ ସେଇ ଅକଲ ତାଙ୍କୁ ପୋଡିବା ପୂର୍ବରୁ ଆଉଥରେ ଚେତାଇଦେଲା - ଆଉ ଟିକିଏ ଧୈର୍ଯ୍ୟ, ଆଉ ଟିକିଏ କଷ୍ଟ, ଆଉ ଟିକିଏ ସମୟକୁ ଅପେକ୍ଷା କଲେ କ୍ଷତି କଣ ? ସେ ତାଙ୍କ ଆତ୍ମସତ୍ତାର ଏ ଅନ୍ତଃସ୍ୱରକୁ ନିବିଷ୍ଟ ଭାବରେ ଶୁଣିଲେ । ତାଙ୍କ ସାଧନାରେ ଶେଷ ସ୍ପର୍ଶ ଦେଲେ । ସଫଳ ହେଲେ ।


   ଆଜି ସେ ମହାନ୍‌ ବୈଜ୍ଞାନିକ ନାହାଁନ୍ତି ସତ, କିନ୍ତୁ ତାଙ୍କ ଚକ-ଚେତନା ସାରା ସଂସାରକୁ ଦେଇଛି ଗୋଟିଏ ଦୁର୍ମୂଲ୍ୟ ଗତିତତ୍ତ୍ୱ । ମୋର କହିବାର କଥା - ଆମେ ପ୍ରଗତିପଥର ଯେକୌଣସି ଗଳିମୋଡରେ ଆମର ଯାତ୍ରା ସ୍ଥଗିତ ନକରି ଆଗକୁ ବଢିବାକୁହେଲେ ଏହି ଗତିତତ୍ତ୍ୱର ମର୍ମଟିକୁ ମର୍ମେ ମର୍ମେ ସୁମରଣା କରିବା ବାଂଛନୀୟ । ବହୁତ ଉଦାହରଣ ଦେଇ କହିଲି – କହିବାର ଉଦ୍ଦେଶ୍ୟ ଯେ, ଆପଣମାନଙ୍କ ଭିତରୁ ଜଣେ ଜଣେ ଚାହିଁଲେ ବି ଏ ଦୁନିଆକୁ ପରିବର୍ତ୍ତନ କରିବାର ମୂଖ୍ୟ ଭୂମିକା ଗ୍ରହଣ କରିପାରିବେ । ତେଣୁ ଜନ୍ମ ଯେତେବେଳେ ହେଇଛ ଏ ଧରାପୃଷ୍ଠରେ, ମୃତ୍ୟୁ ବି ଦିନେ ହେବ ଏ ଧରାପୃଷ୍ଠରେ । ଏ ଜନ୍ମ ମୃତ୍ୟୁ ଭିତରେ ଯଦି କିଛି ଏଭଳି କାର୍ଯ୍ୟ କରିଯିବ, ତମ ଜୀବନ ସାର୍ଥକ ହେବ ଏବଂ ଲୋକମାନେ ତମ ସଫଳ ସ୍ୱପ୍ନର ଜୟଜୟକାର କରିବେ । ତେଣୁ ତମେ ବର୍ତ୍ତମାନ ଗାଁ ଭଳି ସହର ବଜାର ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ଏଇ ଭୋକ, ରୋଗ, ରାଗବିରୋଧୀ ଯୁଦ୍ଧଯାତ୍ରାରେ ଯୋଗଦେବାକୁ ଡାକିଆଣ । ତୁମେ ଭାବୁଛ ଯେତେ କହିଲେ ବି ଲୋକ କ’ଣ କିଛି ବୁଝୁଛନ୍ତି ! ନା ଆସୁଛନ୍ତି! ଖାଲି ହାତ ପତଉଛନ୍ତି । ମରୀଚିକା ପଛରେ ଗୋଡେଇଛନ୍ତି । ତତଲା ବାଲିରେ ଜୀବନ ଚାଲିଯାଉଛି, ତଥାପି ବୁଝୁନାହାଁନ୍ତି ।


ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩