କାକଟପୁର ମଙ୍ଗଳା

କାକଟପୁର ମଙ୍ଗଳା

କିଶୋର କୁମାର ଜେନା : କାକଟପୁରର ପ୍ରତ୍ୟକ୍ଷ ଦେବୀ ତଥା ପୁରୁଷୋତ୍ତମ କ୍ଷେତ୍ରର ରକ୍ଷୟିତ୍ରୀ ରୂପେ ପ୍ରତିଷ୍ଠିତ ଓ ପୂଜିତ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଏହି କାକଟପୁରର ମଙ୍ଗଳା ଅନ୍ୟତମ । ମା'ଙ୍କ ମନ୍ଦିର ପ୍ରାଚୀ ନଦୀର ପୂର୍ବତଟରେ ରହିଛି । ପଦ୍ମପୁରାଣରେ ପ୍ରାଚୀନ ମାହାତ୍ମ୍ୟ ଉଲ୍ଲେଖ ରହିଛି । ଅନେକ ପୁରାଣ ଓ ଧର୍ମପୁସ୍ତକରେ ମା'ଙ୍କ ସମ୍ପର୍କରେ ଅନେକ ତଥ୍ୟ ସବୁ ଉଲ୍ଲେଖ ରହିଛି । ମଙ୍ଗଳାଙ୍କର ମହାତ୍ମ୍ୟ ପ୍ରତି ଧର୍ମପ୍ରାଣ ଲୋକମାନଙ୍କର ଅଟଳ ବିଶ୍ୱାସ ରହିଛି । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ତଥା ଆପଦ ବିପଦବେଳେ ଲୋକମାନେ ମଙ୍ଗଳାଙ୍କୁ ସ୍ମରଣ କରନ୍ତି ।

 "ଓଁ ସର୍ବମଙ୍ଗଳମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ, ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ ।'

ଐତିହାସିକ କିମ୍ବା ପୌରାଣିକ ତଥ୍ୟ ମଙ୍ଗଳାଙ୍କ ପ୍ରତିଷ୍ଠା ସମ୍ପର୍କରେ ସେପରି ଉଲ୍ଲେଖ ନଥିଲେ ବି ଏହି ମଙ୍ଗଳାଙ୍କ କ୍ଷେତ୍ର ସହିତ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ମହାପ୍ରଭୁଙ୍କ ନବକଳେବର ସମୟରେ ଦାରୁ ନିରୂପଣରେ ନିଯୁକ୍ତ ଦଇତାପତିମାନେ ମା'ମଙ୍ଗଳାଙ୍କ ନିକଟରେ ଗୁହାରିଆ ପଡ଼ି ମା'ଙ୍କ କୃପା ପ୍ରାପ୍ତ ହୋଇ ଅନ୍ୱଷେଣରେ ଯାଇଥାନ୍ତି । ଦେବୀ ଭାଗବତରେ ମଙ୍ଗଳାଚଣ୍ଡୀ ବା ସର୍ବମଙ୍ଗଳାଙ୍କ ମହିମା ବା ଲୀଳା ସମ୍ପର୍କରେ ସବିଶେଷ ବର୍ଣ୍ଣନା ରହିଛି । କିମ୍ବଦନ୍ତୀର ତଥ୍ୟ ଅନୁଯାୟୀ ମା'ମଙ୍ଗଳାଙ୍କ ମୂର୍ତ୍ତି ପ୍ରଥମେ ତକ୍ରାଳୀନ ସିଂହଳ (ଶ୍ରୀଲଙ୍କା)ରେ ବୌଦ୍ଧଭକ୍ତମାନେ ତାଙ୍କୁ ଭକ୍ତିପୂର୍ଣ୍ଣ ଭାବେ ତାରା ନାମରେ ପୂଜା କରୁଥିଲେ । ଆମ ସାଧବପୁଅମାନେ ବୋଇତ ଯାତ୍ରାରେ ସିଂହଳ ଦ୍ୱୀପପୁଞ୍ଜକୁ ଯାଇଥିବା ସମୟରେ ମା'ଙ୍କର ଏହି ପ୍ରାଚୀ କୂଳର କ୍ଷେତ୍ରକୁ ଆଗମନ ହୋଇଥିଲା । ସେହିପରି ଅନ୍ୟଏକ କିମ୍ବଦନ୍ତୀର ତଥ୍ୟ ଅନୁଯାୟୀ ମା'ମଙ୍ଗଳା ଥିଲେ ରାମାୟଣ ଯୁଗର ଅଧିଷ୍ଠାତ୍ରୀ ଦେବୀ ଏବଂ ପ୍ରବଳ ପରାକ୍ରମୀ ରାବଣ ତାଙ୍କୁ ନିତ୍ୟ ପୂଜା କରୁଥିଲା ।  ମା'ଙ୍କ ମୂର୍ତ୍ତି ଅତି ସୁନ୍ଦର ଭାବେ କଳା ମୁଗୁନି ପଥରରେ ନିର୍ମିତ । ଦୁଇ ପ୍ରସ୍ଥ ବିଶିଷ୍ଟ ପଦ୍ମପାଖୁଡ଼ା ବିମଣ୍ଡିତ ପୀଠ ଉପରେ ଦେବୀ ଲଳିତାସନରେ ବିରାଜିତା । ସେ ଚର୍ତୁଭୁଜା । ତାଙ୍କର ହସ୍ତରେ ପଦ୍ମକଢ଼, ଜପମାଳା ରହିଛି । ମା'ଙ୍କ ମୂର୍ତ୍ତିର ଉଚ୍ଚତା ପାଖାପାଖି ଛଅଫୁଟ ଏବଂ ମା'ଙ୍କ ଚଳନ୍ତି ପ୍ରତିମା ରୂପେ ପୂଜିତ ମହିଁସାସୁର ମର୍ଦ୍ଦିନିୀ ଦୁର୍ଗ, କନକଦୁର୍ଗା ଓ ମଙ୍ଗଳା ମା'ଙ୍କ ସିଂହାସନ ଉପରେ ମଧ୍ୟ ପୂଜା ପାଉଛନ୍ତି । କଳା ମୁଗୁନି ପଥରରେ ନିର୍ମିିତ ମୁଖଶାଳାକୁ ଲାଗିଥିବା ନାଟ ମଣ୍ଡପକୁ ପଥଶ୍ରାନ୍ତ ମା'ଙ୍କ ଭକ୍ତମାନେ ବିଶ୍ରାମ ପଥର ବୋଲି କହିଥାନ୍ତି । ମଙ୍ଗଳାଙ୍କ ମନ୍ଦିରଟି ପ୍ରାଚୀନ ନୁହେଁ । ଏହା ୧୮୫୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିବା ଜଣାଯାଏ । ଏହା ପୂର୍ବରୁ ଠାକୁରାଣୀ ଏକ କାଠ ମଣ୍ଡପରେ ବହୁଦିନ ବ୍ୟାପୀ ପୂଜା ପାଉଥିଲେ । ପ୍ରାରମ୍ଭରେ ଠାକୁରାଣୀ ଏକ ଚାଳଘରେ ପ୍ରତିଷ୍ଠା ହୋଇଥିଲେ । ମଙ୍ଗଳାଙ୍କ ମନ୍ଦିର ଉକ୍ରଳୀୟ ମନ୍ଦିର ଢ଼ାଞ୍ଚାରେ ଦୁଇଟି ବିଭାଗରେ ନିର୍ମିତ । ପ୍ରଥମଟି ବଡ଼ ଦେଉଳ ବା ବିମାନ ଏବଂ ତାହାର ସମ୍ମୁଖରେ ମୁଖଶାଳା । ମୁଖଶାଳାର ସମ୍ମୁଖରେ ନାଟମଣ୍ଡପ, ଭୋଗ ମଣ୍ଡପ ପରବର୍ତ୍ତୀ କାଳରେ ନିର୍ମିତ ହୋଇଥିବାର ଜଣାଯାଏ । ବଡ଼ ଦେଉଳ ଓ ମୁଖଶାଳା ଉଭୟ ପୀଢ଼ ଆକାରରେ ନିର୍ମିତ । ବଡ଼ ଦେଉଳର ଉଚ୍ଚତା ୫୦ଫୁଟ ଏବଂ ମୁଖଶାଳା ଉଚ୍ଚତା ୪୫ ଫୁଟ, ଏହି ବଡ଼ ଦେଉଳ ମଧ୍ୟରେ ସିଂହାସନ । ଏହାକୁ କନକ ମଣ୍ଡପ କହନ୍ତି । ବଡ଼ଦେଉଳର ବାହାର ପାଶ୍ୱର୍ କାନ୍ଥରେ ପାଶ୍ୱର୍ ଦେବତା ରହିଛନ୍ତି । ଦକ୍ଷିଣ ପାଶ୍ୱର୍ରେ ଗଣେଶ ଏବଂ ପଶ୍ଚିମ ଓ ଉତ୍ତର ପାଶ୍ୱର୍ରେ କଳା ମୁଗୁନି ପଥରର ବିଷ୍ଣୁମୂର୍ତ୍ତି ରହିଛନ୍ତି । ବଡ଼ ଦେଉଳର ଗୋଟିଏ ମାତ୍ର ଦ୍ୱାର ପୂର୍ବ ଦିଗକୁ ମୁଖଶାଳା ମଧ୍ୟକୁ ରହିଛି । ମୁଖଶାଳାର ଚାରି ଦିଗରେ ଚାରୋଟି ଦ୍ୱାର ରହିଛି । ମୁଖଶାଳାର ଭିତର କାନ୍ଥ ଦେହରେ କେତେକ ମୂର୍ତ୍ତି ରହି ପୂଜା ପାଉଛନ୍ତି । କାନ୍ଥରେ ପଶ୍ଚିମ ପାଶ୍ୱର୍ରେ ପିତ୍ତଳର ରାଧାକୃଷ୍ଣ ମୂର୍ତ୍ତି ଏବଂ ମଙ୍ଗଳାଙ୍କର ଏକ ପଥର ମୂର୍ତ୍ତି ରହିଛି । ଅନ୍ୟ ଏକ ସ୍ଥାନରେ ବାମନ ମୂର୍ତ୍ତି ଏବଂ ଭାଗବତ ଗାଦି ରହିଛି । 

ମଙ୍ଗଳାଙ୍କ ମନ୍ଦିର, ମୁଖଶାଳା, ମଣ୍ଡପ ଦ୍ୱୟ ଓ ସିଂହଦ୍ୱାରଟି ଏପରି ଏକ ସରଳରେଖାରେ ନିର୍ମିତ ହୋଇଛି ଯେ, ପ୍ରତିଦିନ ପ୍ରଭାତରେ ସୂର୍ଯ୍ୟଙ୍କର ଉଦୟକାଳୀନ ରଶ୍ମୀ କନକ ମଣ୍ଡପରେ ବିରାଜିତ ମଙ୍ଗଳାଙ୍କ ମସ୍ତକ ସ୍ପର୍ଶ କରିଥାଏ । ଏହି ସମୟର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର । ମନ୍ଦିରର ଚତୁଃପାଶ୍ୱର୍ରେ ପ୍ରାୟ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପାଚେରୀ ଘେରି ରହିଛି । ବେଢ଼ାର ଦୈର୍ଘ୍ୟ (ପୂର୍ବ-ପଶ୍ଚିମ) ୧୬୧ ଫୁଟ ଏବଂ ପ୍ରସ୍ଥ (ଉତ୍ତର-ଦକ୍ଷିଣ) ୧୩୬ ଫୁଟ । ବେଢ଼ାର ପୂର୍ବଦ୍ୱାର ଅନ୍ୟ ଦିଗର ଦ୍ୱାର ମାନଙ୍କ ଅପେକ୍ଷା ପ୍ରଶସ୍ତ । ଏହାକୁ ସିଂହଦ୍ୱାର ମଧ୍ୟ କହନ୍ତି । ଏହି ଦ୍ୱାର ଉପରେ ନବଗ୍ରହ ମୂର୍ତ୍ତି ଖୋଦିତ ହୋଇଛି । ଦ୍ୱାରର ଦୁଇ ପାଶ୍ୱର୍ରେ ଦୁଇଟି ସଶସ୍ତ୍ର ଦ୍ୱାରପାଳ ମୂର୍ତ୍ତି ଏବଂ ସମ୍ମୁଖରେ ଦୁଇଟି ସିଂହ ମୂର୍ତ୍ତି ରହିଛନ୍ତି । ବେଢ଼ାର ଦକ୍ଷିଣ ପାଶ୍ୱର୍ରେ ପତିତପାବନ ମୂର୍ତ୍ତି ପୂଜା ପାଉଛନ୍ତି । ପୂର୍ବେ ଏହି ମୂର୍ତ୍ତି ମୂଳାଗଡ଼ ଶ୍ରୀରାମପୁର ଶାସନରେ ପୂଜା ପାଉଥିଲେ । ସେଠାରେ ମନ୍ଦିରଟି ଭାଙ୍ଗିଯିବାରୁ ପଣ୍ଡାମାନେ ଏହି ମୂର୍ତ୍ତି ଆଣି ମଙ୍ଗଳାଙ୍କ ବେଢ଼ା ମଧ୍ୟରେ ଏକ ଚାଳଘରେ ପୂଜା କରୁଛନ୍ତି । ବେଢ଼ାର ଉତ୍ତର-ପୂର୍ବ କୋଣରେ ସ୍ନାନ ମଣ୍ଡପ ରହିଛି । ସ୍ନାନ ପୂର୍ଣ୍ଣିମୀ ଦିନ ଏହି ମଣ୍ଡପରେ ପତିତପାବନଙ୍କର ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ । ମା'ଙ୍କର ନିତିଦିନିଆ ନୀତି ଭିତରେ ସାତଟି ନୀତି ରହିଛି । ଦୈନିକ ପୂଜା ବ୍ୟତୀତ ମଙ୍ଗଳବାର ଦିନ ଭିଡ଼ ହୋଇଥାଏ । ଏହା ବ୍ୟତୀତ ଦୁର୍ଗାପୂଜା, ଝାମୁ ଯାତ୍ରା, ବାସନ୍ତୀ ପୂଜା, ଚନ୍ଦନ ଯାତ୍ରା, ଦୋଳଯାତ୍ରାରେ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ତେବେ ଚୈତ୍ରମାସର ଝାମୁଯାତ୍ରା ସବୁଠାରୁ ପ୍ରସିଦ୍ଧ । ମଙ୍ଗଳାଙ୍କ ସିଂହାସନ ଉପରେ ପ୍ରତିଷ୍ଠିତ କନକଦୁର୍ଗାଙ୍କର ଆଶ୍ୱିନ ମାସରେ ଷୋଳପୂଜା ଅନୁଷ୍ଠିତ ହୁଏ । ମା'ଙ୍କ ସେବା ପୂଜା ନିମିତ୍ତ ସେବକ ଓ ସେବାୟତଙ୍କ ସମେତ ଜମି ମଧ୍ୟ ରହିଛି । ବିଧିବଦ୍ଧ ଭାବେ ଟ୍ରଷ୍ଟବୋଡର଼୍ ଦ୍ୱାରା ମା'ଙ୍କ ନୀତି ଓ ପୂଜା ପ୍ରଚଳିତ ହୋଇ ଆସୁଛି । 
ମୋ: ୭୩୨୫୯୦୪୯୨୭