ପଦ ଛାଡିଲେ ଦେବାଶିଷ ସାମନ୍ତରାୟ

ପଦ ଛାଡିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର  :  ବିଜେଡିର ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର୍ ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା  ଦେଇଛନ୍ତି । ଦେବାଶିଷ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ଥଫା ପତ୍ର ପଠାଇଛନ୍ତି । ଏହାସହିତ ଦେବାଶିଷ ଉଲ୍ଲେଖ କରିଛନ୍ତି ଯେ, ଦଳ ଆଉ ବିଜୁ ବାବୁଙ୍କ ଆଦର୍ଶରେ ଚାଲୁନାହିଁ । ଏହା କେବଳ ମୋତେ ଆଘାତ ଦେଇନାହିଁ, ଦଳରେ ଥିବା ହଜାର ହଜାର କର୍ମୀଙ୍କୁ ମଧ୍ୟ ଆଘାତ ଦେଉଛି । ସର୍ବପରେ ବି ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ରହିଛି ବୋଲି ଦେବାଶିଷ ଚିଠିରେ ଉଲ୍ଲେଖ କରିଛନ୍ତି ।

  ଦେବାଶିଷ ସାମନ୍ତରାୟ ଆହୁରି କହିଛନ୍ତି, ଯେପର୍ୟ୍ୟନ୍ତ ନବୀନ ବାବୁ ଦଳକୁ ପରିଚାଳନା କରୁଥିବେ ସେଯାଏ ମୋର ବିଜେଡି ଛାଡ଼ିବାର ନାହିଁ। ବିଜେଡିରେ ଗୁରୁତ୍ବ ଦେଉନଥିବାରୁ ପଦ ଛାଡ଼ିଲି। ମୁଁ ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲି। କିନ୍ତୁ ନବୀନ ବାବୁ ଅସୁସ୍ଥ ଥିବା କାରଣରୁ ମୁଁ ଚୁପ୍ ରହିଥିଲି। ହେଲେ ଏବେ ବାଧ୍ୟ ହୋଇ ପଦଛାଡ଼ିଛି। ଆଗେ ମୁଁ ନବୀନ ବାବୁଙ୍କ ସହ ସିଧାସଳଖ କଥା ହେଉଥିଲି। ହେଲେ ମୋତେ ସେଥିରେ ବ୍ଲକ୍ କରାଗଲା। ଏକଥା କିଏ କରିଛନ୍ତି, ତାହା ସମସ୍ତଙ୍କୁ ଜଣା। ନୂଆପଡ଼ାରେ ଜଣେ ଜିଲ୍ଲାର ବାହାରର ନେତ୍ରୀଙ୍କୁ ପ୍ରାର୍ଥୀ କରିବାକୁ କିଏ ନିଷ୍ପତ୍ତି ନେଲା ବୋଲି ସେ ପ୍ରଶ୍ନ ଉଠାଇବା ସହ କହିଛନ୍ତି ନବୀନ ବାବୁ କଦାପି ଏଭଳି କାମ କରିନଥିବେ।

     ଗତ କିଛିଦିନ ଧରି ଦଳୀୟ ଅସନ୍ତୋଷ ଜାହିର କରିଥିଲେ ଦେବାଶିଷ ସାମନ୍ତରାୟ । ନିକଟରେ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି । ଟିକେଟ୍ ଦେବାକୁ କହି ଦଳ ତାଙ୍କୁ ନିର୍ବାଚନ ମଣ୍ଡଳୀ ବୁଲାଇଥିଲା । କିନ୍ତୁ ଦଳ ଶ୍ରୀମୟୀଙ୍କୁ ଟିକେଟ୍ ଦେଲା ନାହିଁ । ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟ ରହିଛି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି । କେବଳ ତାହା ନୁହେଁ ଦଳର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳ ଏକ ପ୍ରକାର ନିର୍ୟାତନା ଦେଇଛି ବୋଲି ସେ କହିଛନ୍ତି । ​​​​​​​