ପାଠପଢାର ମାନ ନାହିଁ
ଏବେ ଅଳ୍ପଦିନ ତଳେ ଶିକ୍ଷା ସମ୍ପର୍କିତ ଏକ ମଡୁ୍ୟଲାର୍ ସର୍ଭେ ରିପୋର୍ଟ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି । ଏଥିରେ ବିଦ୍ୟାଳୟରେ ପାଠପଢ଼ା ଏବଂ ଛାତ୍ରଛାତ୍ରୀମାନେ ଏସବୁକୁ ବୁଝୁଛନ୍ତି କି ନାହିଁ ତାହା ଉପରେ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରୁ ଜଣାପଡ଼ିଲା ଯେ ଶତକଡ଼ା ୫୦ ଭାଗ ପିଲା ବିଦ୍ୟାଳୟର ପାଠପଢ଼ା ଉପରେ ସନ୍ତୁଷ୍ଟ ନାହାନ୍ତି । ଏପରିକି ପଢ଼ା ଯାଉଥିବା ପାଠକୁ ମଧ୍ୟ ସେମାନେ ବୁଝିପାରୁନାହାନ୍ତି । ତେଣୁ ବାଧ୍ୟ ହୋଇ ଘରୋଇ ଟୁ୍ୟସନ୍, କୋଚିଂ ଆଦି ଉପରେ ନିର୍ଭର କରୁଛନ୍ତି । ଘରୋଇ ଟୁ୍ୟସନ୍ ଏବଂ କୋଚିଂ ବ୍ୟବସ୍ଥା ପ୍ରାୟ ୩ ଦଶନ୍ଧି ହେଲା ଶିକ୍ଷାକୁ ଏକ ବ୍ୟବସାୟରେ ପରିଣତ କରି ଦେଇଛି । ଚଳିତବର୍ଷ ଏପ୍ରିଲ୍ରୁ ଜୁନ୍ ମାସ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରୁ ଜଣାପଡ଼ିଛି ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ୫୭.୧ ପ୍ରତିଶତ ଘରୋଇ କୋଚିଂ ଏବଂ ଟୁ୍ୟସନ୍ ଉପରେ ନିର୍ଭରଶୀଳ । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଟୁ୍ୟସନ୍ ଏବଂ କୋଚିଂ ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ । ତେଣୁ ଦେଖାଯାଉଛି ଯେ ସହରାଞ୍ଚଳରେ ପାଠପଢ଼ା ଦିନକୁ ଦିନ ଅଧିକ ମହଙ୍ଗା ହୋଇଯାଉଛି ।
ଗ୍ରାମାଞ୍ଚଳରେ କୋଚିଂ ଆଉ ଟୁ୍ୟସନ୍ ନେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୫୪.୬ ପ୍ରତିଶତ । ସହରାଞ୍ଚଳର ମାଧ୍ୟମିକ ସ୍ତର ତଥା ନବମ, ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ସବୁଠାରୁ ଅଧିକ କୋଚିଂ ଉପରେ ନିର୍ଭର କରୁଛନ୍ତି । ଏମାନଙ୍କ ସଂଖ୍ୟା ୬୮.୭ ପ୍ରତିଶତ । ପ୍ରାଥମିକ ଶିକ୍ଷା ପୂର୍ବରୁ ୩୪.୨ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପିତାମାତାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରସ୍ତୁତ କରିବାକୁ ଟୁ୍ୟସନ୍ ଦେଉଛନ୍ତି । ଏ ବାବଦରେ ସହରାଞ୍ଚଳରେ ପିତାମାତାମାନେ ବାର୍ଷିକ ହାରାହାରି ୧୦ରୁ ୧୧ ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମାଞ୍ଚଳରେ ସାଢ଼େ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳର ଶିକ୍ଷା ପ୍ରାୟ ୩ ଗୁଣା ଅଧିକ ମହଙ୍ଗା ବୋଲି ଜଣାପଡ଼ିଛି । ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ବାର୍ଷିକ ହାରାହାରି ୧୨୩୮ ଟଙ୍କା ଟୁ୍ୟସନ୍ ବାବଦରେ ଖର୍ଚ୍ଚ ହେଉଥିବା ବେଳେ ମାଧ୍ୟମିକ ସ୍ତର ବେଳକୁ ଏହା ୧୦ ହଜାର ୪୦୧ଟଙ୍କାକୁ ପହଞ୍ଚିଯାଉଛି । ଘରୋଇ ଟୁ୍ୟସନ୍ ଏବଂ କୋଚିଂ ଖର୍ଚ୍ଚ ବ୍ୟତୀତ ସ୍କୁଲ୍ ଫି, ୟୁନିଫମର୍୍, ପାଠ୍ୟପୁସ୍ତକ, ବହିଖାତା ଆଦି ଅନ୍ୟାନ୍ୟ ଖର୍ଚ୍ଚ ରହିଛି । ପ୍ରାଥମିକ ସ୍ତରରେ ସରକାରୀ ବିଦ୍ୟାଳୟରେ ବାର୍ଷିକ ହାରାହାରି ଏହି ଖର୍ଚ୍ଚ ୧୧୯୬ ଟଙ୍କା ହେଉଥିବା ବେଳେ ଘରୋଇ ବିଦ୍ୟାଳୟରେ ଏହା ହାରାହାରି ୨୪ ହଜାର ୫୨୭ ଟଙ୍କା । ମାଧ୍ୟମିକ ଶିକ୍ଷା ସ୍ତରରେ ସରକାରୀ ବିଦ୍ୟାଳୟରେ ଏହି ଖର୍ଚ୍ଚ ୮ ହଜାର ୧୧୭ ଟଙ୍କା ଥିବା ବେଳେ ଘରୋଇ ବିଦ୍ୟାଳୟରେ ଏହି ଖର୍ଚ୍ଚ ୪୦ ହଜାର ୧୪୭ ଟଙ୍କା ରହିଛି । ସହରାଞ୍ଚଳରେ ପଢୁଥିବା ପିଲାମାନଙ୍କ ପାଇଁ ସବୁ ବର୍ଗର ଲୋକଙ୍କୁ ଅଧିକ ଦେବାକୁ ପଡୁଛି । ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟରେ ଗୋଟିଏ ପିଲାର ପଢ଼ିବା ଖର୍ଚ୍ଚ ବର୍ଷକୁ ହାରାହାରି ୧୪ ହଜାର ୧୪୫ ଟଙ୍କା ହେଉଛି । ଅନ୍ୟପକ୍ଷରେ ପରିବହନ ବାବଦକୁ ୪ ହଜାର ୪୩୮ ଟଙ୍କା ଖର୍ଚ୍ଚ ହେଉଛି । ୯୨ ପ୍ରତିଶତ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷା ପାଇଁ ପିତାମାତାଙ୍କ ରୋଜଗାର ଉପରେ ନିର୍ଭର କରୁଥିବା ବେଳେ ମାତ୍ର ୨.୩ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ବୃତ୍ତିରେ ପାଠ ପଢୁଛନ୍ତି । ଏହା ହେଲା ମୋଟାମୋଟି ଭାବରେ ଆମ ରାଜ୍ୟରେ ସରକାରୀ ଓ ଘରୋଇ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଖର୍ଚ୍ଚ ସମ୍ପର୍କିତ ଏକ ବିବରଣୀ । ଦିନକୁ ଦିନ ପାଠପଢ଼ା ଖର୍ଚ୍ଚ ବଢ଼ି ବଢ଼ି ଚାଲୁଥିବାରୁ ଆର୍ଥôକ ଭାବରେ ଦୁର୍ବଳ ଶ୍ରେଣୀର ଲୋକମାନେ ଏହି ଖର୍ଚ୍ଚ ତୁଲାଇବାରେ ଅସମର୍ଥ ହେଉଛନ୍ତି ଏବଂ ବାଧ୍ୟ ହୋଇ ଅଧାରୁ ପାଠପଢ଼ା ବନ୍ଦ କରୁଛନ୍ତି । ଦାଦନ ଶ୍ରମିକ ସମସ୍ୟା ବୃଦ୍ଧି ପାଇବାର ଏହା ମଧ୍ୟ ଏକ ପ୍ରମୁଖ କାରଣ ।