ଦେବଦେବୀ ସେବାରେ ସୋଭାଗ୍ୟ
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ : ଢେଙ୍କାନାଳ ଗୋଟିଏ ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଭୂଖଣ୍ଡ । ଓଡ଼ିଶାର ମଧ୍ୟାଞ୍ଚଳରେ ଅବସ୍ଥିତ ଏହି ଭୂଖଣ୍ଡ ଅଗଣିତ ଦେବଦେବୀଙ୍କର ଲୀଳାସ୍ଥଳୀ । ଶୈବଶୈଳ କ୍ଷେତ୍ର କପିଳାସ, ରାମଧାମ ସପ୍ତଶଯ୍ୟା, ନାଗକ୍ଷେତ୍ର ନାଗନା, ଅଷ୍ଟଶମ୍ଭୁପୀଠ କୁଆଁଳୋ, ସରାଙ୍ଗର ଅନନ୍ତ ଶୟନ ବିଷ୍ଣୁ, ଢେଙ୍କାନାଳର ବଳଦେବ ଜୀଉ, ନାଧରାର ରାମଚଣ୍ଡୀ ଏହି ମାଟିର ଗର୍ବ ଓ ଗୋ÷ରବ । ପ୍ରାଚୀନ ଢେଙ୍କାନାଳ ରାଜ୍ୟରେ ତିନିଗୋଟି ବଡପୀଠ, ୧୨୫ ଗୋଟି ଛୋଟ ପୀଠ, ୧୦୦୬ ଗ୍ରାମଦେବତୀ, ୧୪ଗୋଟି ମଠ, ୧୮ ଗୋଟି ଘରୋଇ ଠାକୁର ଓ ମହିମାଧର୍ମର ମହିମାଗାଦୀ ରହିଅଛି । ଏହି ସବୁ ଦେବଦେବୀ ପୀଠର ସୁପରିଚାଳନା ନିମିତ୍ତ ମହାରାଜ ଭାଗୀରଥୀ ମହୀନ୍ଦ୍ର ବାହାଦୁର ଢେଙ୍କାନାଳ ରାଜ୍ୟରେ ଦେବୋତ୍ତର ବିଭାଗ ଖୋଲିଥିଲେ । ସ୍ୱାଧୀନତା ପରେ ଜିଲାପାଳ ୧୯୪୮ରେ ଦେବୋତ୍ତର ବିଭାଗ ହାତକୁ ନେଲେ । ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ କାର୍ଯ୍ୟକାରୀ ହେବା ପରେ ମଧ୍ୟ ଢେଙ୍କାନାଳର ସମସ୍ତ ମଠ ଓ ମନ୍ଦିର ଜିଲାପାଳଙ୍କ ତତ୍ତ୍ୱାବଧାନରେ ରହିଅଛି ତଥା ଜିଲାପାଳଙ୍କ ଅଧୀନସ୍ଥ ଜଣେ ପଦାଧିକାରୀ ଦେବୋତ୍ତର ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରୁଅଛନ୍ତି । ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଢେଙ୍କାନାଳ ଜିଲା କାର୍ଯ୍ୟାଳୟର ଐଶାନ୍ୟ କୋଣସ୍ଥିତ ଗୋଟିଏ ପ୍ରକୋଷ୍ଠରେ ହେଉଅଛି । ଏତଦ୍ଭିନ୍ନ ବିଭିନ୍ନ ମଠ, ମନ୍ଦିର ଓ ଖମାରମାନଙ୍କରେ ଜଣେ ଜଣେ ଜମାଦାର ରହିଅଛି । ଦେବୋତ୍ତର କାର୍ଯ୍ୟାଳୟ କପିଳାସ ମନ୍ଦିର, ବଳଦେବଜୀଉ ମନ୍ଦିର ଓ ସପ୍ତଶଯ୍ୟା ମନ୍ଦିର ତଥା ୧୪ଗୋଟି ମଠର ପ୍ରତ୍ୟେକ୍ଷ ପରିଚାଳନା କରିଥାଏ ଏବଂ ଦେବଦେବୀ ପୀଠ ପରିଚାଳନା ନିମିତ୍ତ ଗ୍ରାମମାନଙ୍କରେ ପରିଚାଳନା କମିଟି ଗଠନ ହୋଇଅଛି ।
ଢେଙ୍କାନାଳ ଦେବାଦେବୀଙ୍କର ବହୁ ଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହୁଏ । ତନ୍ମଧ୍ୟରେ ଢେଙ୍କାନାଳ ଓ ଦେଓଗାଁର ରଥଯାତ୍ରା, କପିଳାସର ଶିବରାତ୍ରି ଓ ଜାଗର ଯାତ୍ରା, ସପ୍ତଶଯ୍ୟାର ରାମନବମୀ ଯାତ୍ରା ଓ ନାଧରାର ମକରଯାତ୍ରା ପ୍ରଭୃତି ପ୍ରଧାନ । ଢେଙ୍କାନାଳ ରଥଯାତ୍ରା ନିମିତ୍ତ ଦୁଇଗୋଟି ରଥ ପ୍ରତିବର୍ଷ ନିର୍ମାଣ ହୁଏ । ୧୯୭୧ ମସିହାରେ ବଡ଼ରଥଟି ଯାତ୍ରା ଚାଲିଥିବା ସମୟରେ ମୀନାବଜାରରେ ମଝିରୁ ଭାଙ୍ଗିଗଲା । ଲୋକମାନେ ଦେବୋତ୍ତର ଅଧିକାରୀଙ୍କୁ ମାଡ଼ ମାରିଲେ । ତତ୍ପରଦିନ ଠାକୁରଙ୍କୁ ମୀନାବଜାରକୁ ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିରକୁ ନିଆଗଲା । କାରଣ ହଠାତ୍ ରଥନିର୍ମାଣ ଅସମ୍ଭବ ଥିଲା । ଏହି ଘଟଣାରେ ଲୋକ ଉତ୍କ୍ଷିପ୍ତ ହୋଇପଡିଲେ । ସଭିଁଏ ଅନୁଭବ କଲେ ଯେ ଦେବୋତ୍ତର ପରିଚାଳନାରେ ବହୁ ତ୍ରୁଟି ରହିଛି । ତେଣୁ ଢେଙ୍କାନାଳ ସହରର ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ନେଇ ଗୋଟିଏ ସଭା ଅନୁଷ୍ଠିତ ହେଲା । ସେହି ସଭାକୁ ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ଆରକ୍ଷୀ ଅଧୀକ୍ଷକ ପ୍ରଭୃତି ପଦାଧିକାରୀଙ୍କୁ ନିମନ୍ତ୍ରଣ ହୋଇଥିଲା । ସଭାକୁ ଯିବା ପାଇଁ ଗଁଦିଆ ବିଧାୟକ ସ୍ୱର୍ଗୀୟ ହଳଧର ମିଶ୍ର ମୋତେ କହିଥିଲେ । ତାଙ୍କ କଥା ମାନି ମୁଁ ଯିବାବେଳକୁ ମୋ ବାପା ସଭାରେ ଉପସ୍ଥିତ ଥିବା ଦେଖି ମୁଁ ସଭାରେ ନବସି ସ୍ୱଳ୍ପ ଦୂରରେ ବସିଲି । ଢେଙ୍କାନାଳ ସାଂସଦ ରାଜା କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଦେବୋତ୍ତର ବିଭାଗର ପରିଚାଳନାଗତ ତ୍ରୁଟି ବିଷୟରେ ବହୁ ବ୍ୟକ୍ତି ଅଭିଯୋଗ କଲେ । ଠାକୁରଙ୍କର ପ୍ରଚୁର ଭୂସଂପତ୍ତି ଥିବା ସତ୍ତ୍ୱେ ଠିକ୍ ଭାବରେ ପରିଚାଳନା ହେଉନାହିଁ ବୋଲି ଉପସ୍ଥିତ ବ୍ୟକ୍ତିଗଣ ଦୁଃଖପ୍ରକାଶ କଲେ । ସେହି ସଭାରେ ଉପସ୍ଥିତ ଥିବା ଆଇନଜୀବୀ ଶ୍ରୀନିବାସ କର ପ୍ରଥମେ ପ୍ରସ୍ତାବ ଦେଲେ ଯେ ଦେବୋତ୍ତର ସୁପରିଚାଳନା ନିମିତ୍ତ ଧର୍ମପ୍ରାଣ ଯୁବକ ଶ୍ରଦେ୍ଧୟ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଦେବୋତ୍ତର ପର୍ଯ୍ୟବେକ୍ଷକ ରଖାଯାଉ । ଏହି ପ୍ରସ୍ତାବକୁ ଉପସ୍ଥିତ ବ୍ୟକ୍ତିଗତ କରତାଳି ଦେଇ ସମର୍ଥନ କଲେ । ତନ୍ମଧ୍ୟରୁ ସାଂସଦ, ଗଁଦିଆ ବିଧାୟକ, ନଟବର ଦେବତା, ନାରାୟଣଜୀ ଜଗଜ୍ଜୀବନ, ନ୍ୟାୟମୂର୍ତ୍ତି କୁଞ୍ଜବିହାରୀ ପଣ୍ଡା, କନ୍ତିଓ ବ୍ରହ୍ମଚାରୀ ପୂର୍ଣ୍ଣାନନ୍ଦ ମହାରାଜା, ମାତା ନରୋତ୍ତମ ଦାସ, ନାରୟଣ ମିଶ୍ର, ପ୍ରଫେସର ଦାଶରଥି ମିଶ୍ର, ନୀରବର ସାହୁ, ଓକିଲ ଦୈତ୍ୟାରୀ ତି୍ରପାଠୀ ପ୍ରଭୃତି ଦୃଢ ସମର୍ଥନ କରିଥିଲେ । ବାପା ଠିଆହୋଇ କହିଲେ ‘ଆପଣମାନଙ୍କ ଆଶୀର୍ବାଦରୁ ଅନ୍ତର୍ଯ୍ୟାମୀ ଠାକୁରଙ୍କ ସେବା କରିବାରେ ମୋର ଆପତ୍ତି ନାହିଁ । କିନ୍ତୁ ସେ ଦେବୋତ୍ତର ପଂକ୍ତିରୁ ଦରମା ପାଇବାରେ ମୁଁ ସମ୍ମତ ନୁହେଁ । ଦେବସ୍ୱ ହେଉଛି ହଳାହଳ ବିଷ । ଉପସ୍ଥିତ ଥିବା ଶ୍ରୀଯୁକ୍ତ ରାଜକିଶୋର ଭୁଜବଳ ବାପାଙ୍କ କଥା ଶୁଣି କହିଲେ । ‘ଅନ୍ତର୍ଯ୍ୟାମୀ ପ୍ରତି ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସ୍ନେହ, ଶ୍ରଦ୍ଧା ଓ ସମର୍ଥନ ରହିଛି । ସେ ଦେବୋତ୍ତରରୁ ଦରମା ନେବ ନାହିଁ । ମୁଁ ଜିଲା କାର୍ଯ୍ୟାଳୟରେ କୋ÷ଣସି ଗୋଟିଏ ପଦବୀରେ ତାଙ୍କୁ ନିଯୁକ୍ତ ଦେବି । ସେ ଜିଲା କାର୍ଯ୍ୟାଳୟରୁ ଦରମା ଭତ୍ତା ପାଇ ଦେବୋତ୍ତର କାର୍ଯ୍ୟ କରିବ । ଏହା କହିବା ସହିତ ତଦନୁଯାୟୀ ନଥି ପେସ୍ କରିବାକୁ ଅତିରିକ୍ତ ଜିଲାପାଳ ଶ୍ରୀରାମଚନ୍ଦ୍ର ମହାନ୍ତି ଓ ମୁଖ୍ୟ ସହାୟକ ନିତ୍ୟାନନ୍ଦ ରଥଙ୍କୁ ଆଦେଶ ଦେଲେ । ତଦନୁଯାୟୀ ୧୯୭୧ ଅକ୍ଟୋବର ୧୨ ତାରିଖରେ ମୋତେ ଜିଲାପାଳ ନିଯୁକ୍ତି ଦେଲେ । ମୁଁ ପ୍ରଥମେ କପିଳାସ ଠାକୁର ଶ୍ରୀ ଚନ୍ଦ୍ରଶେଖର ଓ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କଲାପରେ ସେହିଦିନ ଅପରାହ୍ନରେ କାର୍ଯ୍ୟରେ ଯୋଗଦେଲି । ସେତେବେଳେ ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ଚାଲିଥାଏ ଏବଂ ଅକ୍ଟୋବର ୧୨ ତାରିଖରେ ଭସାଣି ଯାତ୍ରା ହେଉଥାଏ ।
ପୂଜ୍ୟ ଗୁରୁଦେବଙ୍କ କୃପା, ପିତାମାତାଙ୍କ ପୁଣ୍ୟ, ଢେଙ୍କାନାଳର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଆଶୀର୍ବାଦକୁ ସମ୍ବଳ କରି ମୁଁ ଦେବଦେବୀ ସେବାର ସୋ÷ଭାଗ୍ୟ ଲାଭ କରିଛି ବୋଲି ଖୁସି ଥିଲି । ବିଶେଷତଃ ମୋର ସାଧନା ପୀଠର ଈଷ୍ଟ ଶ୍ରୀ ଚନ୍ଦ୍ରଶେଖରଙ୍କ ସେବା କରିବାର ଅବସର ମୋତେ ଆନନ୍ଦ ଦେଇଥିଲା । ସେତେବେଳେ ଦେବୋତ୍ତର କାର୍ଯ୍ୟାଳୟରେ ତିନିଜଣ ମୋହରିର, ଜଣେ ପରିଦର୍ଶକ, ଜଣେ ହିସାବ ରକ୍ଷକ ତଥା ବିଭିନ୍ନ ମଠ, ମନ୍ଦିର ଓ ଖମାର ମାନଙ୍କରେ ଅଠର ଜଣ ଜମାଦାର କାର୍ଯ୍ୟ କରୁଥିଲେ । ଶ୍ରୀ ଚନ୍ଦ୍ରଶେଖରଙ୍କର ଦୁଇ ଗୋଟି ଖମାର, ଯଥା :- ବାଇଁସିଆ ଓ ସାନ୍ଦାପଣି, ପାର୍ବତୀଙ୍କ ଦୁର୍ଗାପ୍ରସାଦ ଖମାର, ନାରାୟଣଙ୍କର ମହୁଲିଖୋଳି ଖମାର, ବଳଦେବଜୀଉଙ୍କର ବିଦାବନ୍ଧ ଓ ମାଳପୁରା ଖମାର, ଦଧିବାମନଙ୍କର କୁଣ୍ଟୁଝରୀ ଖମାର, କପିଳାସ ବ୍ରହ୍ମଚାରୀ ମଠର ମଠତେନ୍ତୁଳିଆ ଖମାର, ରଘୁନାଥ ଜୀଉଙ୍କର ବାଲିବୋ ଖମାର, ରଘୁନାଥଙ୍କ ଅଘିରାଗୋଡା ଖମାର ଓ ଜୟଗୋପାଳଙ୍କ ଲୋଚାପଲ୍ଲୀ ଖମାରରେ ଚାଷ ହେଉଥିଲା । ଠାକୁରଙ୍କର ଦଶପଲ ମହିଁଷି ଓ ଏକଶହରୁ ଊଦ୍ଧ୍ୱର୍ ଗାଈ ଥିଲେ । ଏହି ସବୁ ଖମାରରୁ ଆୟ ହେଉଥିବା ଧାନ, ବିରି, ମୁଗ ତଥା ଗାଈ ଓ ମହିଁଷିଙ୍କ ଠାରୁ କ୍ଷୀର, ଦହି, ଛେନା, ଲହୁଣୀ ଓ ଘିଅରେ ଠାକୁରଙ୍କ ନୀତିକାନ୍ତି ହେଉଥିଲା । ଖମାରମାନଙ୍କରେ ନିଯୁକ୍ତ ଜମାଦାରମାନଙ୍କ କାର୍ଯ୍ୟ ତଦାରଖ କରିବା ନିମିତ୍ତ ଜଣେ ଦେବୋତ୍ତର ପରିଦର୍ଶକ ନିଯୁକ୍ତ ହୋଇଥିଲେ । ଖମାରମାନଙ୍କର କୃଷି କାର୍ଯ୍ୟର ତଦାରଖ ଓ ଦିଗଦର୍ଶନ ଦେବା ପାଇଁ କୃଷି ବିଭାଗରୁ ଜଣେ ପର୍ଯ୍ୟବେକ୍ଷକ ଓ ତିନିଜଣ ଗ୍ରାମସେବକ ଆସିବା ନିମିତ୍ତ ମୁଁ ଜିଲାପାଳଙ୍କୁ ଜଣାଇଲି । ଜିଲାପାଳ କୃଷି ବିଭାଗକୁ ପ୍ରତ୍ରାନୁରୋଧ ପଠାଇଲେ ଏବଂ ଜଣେ କୃଷି ପର୍ଯ୍ୟବେକ୍ଷକ ଓ ତିନିଜଣ ଗ୍ରାମସେବକ ଦେବୋତ୍ତରକୁ ଆସିଲେ । ସେମାନେ ବିଭିନ୍ନ ଖମାର ବୁଲି ଧାନବିଲ ତଦାରଖ କଲେ । ଗାଈ ଓ ମହିଁଷିମାନଙ୍କର ପ୍ରତ୍ୟେକ ସପ୍ତାହରେ ସ୍ୱାସ୍ଥ୍ୟ ପରୀକ୍ଷା ନିମିତ୍ତ ଜିଲାପାଳଙ୍କ ଦସ୍ତଖତରେ ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ଚିଠି ପଠାଇଲି । ତଦନୁଯାୟୀ ପଶୁଧନ ନିରୀକ୍ଷକମାନେ ଗାଈ ଓ ମହିଁଷିଙ୍କର ନିୟମିତ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ । ପ୍ରତ୍ୟେକ ଖମାରରରେ ଦେଶୀ ଆଳୁ, ବୋଇତିକଖାରୁ ଓ ଅନ୍ୟାନ୍ୟ ପରିବା ଚାଷ ନିମିତ୍ତ ଆଦେଶ ପଠାଗଲା ।
ଦେବଦେବୀଙ୍କର ନୀତି ନିଯୋଗ ଓ ଆୟବ୍ୟୟର ବଜେଟ୍ ରାଜା ସୁରପ୍ରତାପଙ୍କ ରାଜତ୍ୱରେ ପ୍ରସ୍ତୁତ ହୋଇଥିଲା ଏବଂ ତଦନୁଯାୟୀ କାର୍ଯ୍ୟ ଚାଲୁଥିଲା । ସେଥିରେ କେତେକ ସଂଶୋଧନ ଓ ପରିବର୍ତ୍ତନ ଆଣିବାକୁ ବିଶିଷ୍ଟ ଧର୍ମପ୍ରାଣ ବ୍ୟକ୍ତିଙ୍କୁ ନେଇ ଗୋଟିଏ ଉପଦେଷ୍ଟା ମଣ୍ଡଳୀ ଦେବୋତ୍ତର କମିଶନରଙ୍କ ଅନୁମୋଦନ କ୍ରମେ ଗଢା ହେଲା । ଦେବୋତ୍ତରର ମୁଖ୍ୟ ଆୟ ଥିଲା ଧାନ ଓ ଅନ୍ୟାନ୍ୟ ଫସଲ । ତେଣୁୁ ଟଙ୍କାର ସର୍ବଦା ଅଭାବ ରହୁଥିଲା । ମୁଁ ଯେତେବେଳେ ଦାୟିତ୍ୱ ନେଲି ଦେବୋତ୍ତର କାର୍ଯ୍ୟାଳୟରେ ମାତ୍ର ଟ ୧୫୬ଙ୍କା ଜମା ଥିଲା ଢେଙ୍କାନାଳ ଟ୍ରେଜେରୀର ପିଏଲଡି-୬ ଆକାଉଣ୍ଟରେ ଟ୨୪୦୦୦ ଙ୍କା ରହିଥିଲା । କୋ÷ଣସି ବ୍ୟାଙ୍କରେ କିଛି ଜମା ନଥିଲା । ସେତେବେଳେ ଦେବୋତ୍ତର ଗୋଟିଏ ଜିପ (ଓଆରଡି ୧୩୬୬) ଥିଲା ଏବଂ ଜଣେ ଡ୍ରାଇଭର ଥିଲେ ତାହା ଥିଲା ପେଟ୍ରୋଲ ଗାଡି । ତେଣୁ ଗାଡି ବାବଦରେ ମଧ୍ୟ ବେଶୀ ଖର୍ଚ୍ଚ ହେଉଥିଲା । ମୁଁ ଦାୟିତ୍ୱ ନେବା ପରେ ଦେଖିଲି ଦେବୋତ୍ତର ବହୁତ ପ୍ରଜାମାନଙ୍କ ଉପରେ ବକେୟା ରହିଛି ତଥା ବାରମ୍ବାର ନୋଟିସ୍ କରିବା ସତ୍ତ୍ୱେ ସେମାନେ ଦାଖଲ କରୁନାହାନ୍ତି । ଗଁଦିଆ ବିଧାୟକ ହଳଧର ମିଶ୍ର ଓ ଗଁଦିଆ ବ୍ଲକ ଚେୟାରମ୍ୟାନ ଶରତ ଚନ୍ଦ୍ର ଶତପଥୀଙ୍କ ପରାମର୍ଶକ୍ରମେ ମୁଁ ନିଜେ ବକେୟା ଅସୁଲ ପାଇଁ ଗ୍ରାମ ଗ୍ରାମ ବୁଲିଲିି । ବକେୟା ଥିବା ପାଞ୍ଚଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାରୁ ମାତ୍ର ଟ୫୬୦୦୦(ଙ୍କା ଆଦାୟ କରିପାରିଲି । ଅନେକ ପ୍ରଜା ବକେୟା ଦେବାକୁ ଅନିଚ୍ଛୁକ ଥିଲେ । ଏହି ପ୍ରସଙ୍ଗ ଜିଲାପାଳଙ୍କୁ ଜଣାଇଲି । ଜିଲାପାଳ ସରକାରଙ୍କୁ ଦେଖି ଦେବୋତ୍ତର ପ୍ରାପ୍ୟ ଆଦାୟ ନିମିତ୍ତ ଗୋଟିଏ ସ୍ୱତନ୍ତ୍ର ସାର୍ଟିଫିକେଟ ଅଦାଲତ କରାଇଲେ । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରଜାଙ୍କ ଠାରୁ ବକେୟା ଆଦାୟ ନିମିତ୍ତ ୧୪୫ ଗୋଟି ସାର୍ଟିଫିକେଟ କେସ୍ ରୁଜୁ କରାଗଲା । ଗୋଟିଏ କେଶ୍ରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଗଁଦିଆର ଜଣେ ପ୍ରସିଦ୍ଧ ମଦ ବ୍ୟବସାୟୀ ବକେୟା ପାଉଣା ନଦେବାରୁ ସାର୍ଟିଫିକେଟ ଅଫିସର ରାଧାନାଥ ରାଜଗୁରୁ ତାଙ୍କ ଜିପ ନଂ ଓଆରଜି ୧୮୦୦ ଜବତ କରି ଆଣିଲେ । ସେହି ସମୟରେ ଗଣ୍ଡଗୋଳ କରିବାରୁ ଗଁଦିଆ ଥାନାବାବୁ ତାଙ୍କର ତିନିପୁଅଙ୍କୁ ଗିରଫ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ମଦ ବ୍ୟବସାୟୀ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କଲେ । ମାନ୍ୟବର ନ୍ୟାୟମୂର୍ତ୍ତି ରଙ୍ଗନାଥ ମିଶ୍ର ଓ ମାନ୍ୟବର ନ୍ୟାୟମୂର୍ତ୍ତି ବି କେ ରାୟ ଦେବୋତ୍ତର ସପକ୍ଷରେ ରାୟ ଦେଇଥିଲେ । ଖମାର ମାନଙ୍କରୁ ଆସୁଥିବା ଧାନ, ବିରି ମୁଗ ଓ ପରିବା ତଥା କ୍ଷୀର, ଦହି, ଛେନା ଓ ଘିଅରେ ଠାକୁରମାନଙ୍କର ନିତ୍ୟ ନୀତିନିଯୋଗ ଅନୁଷ୍ଠିତ ହେଉଥିଲା । କିନ୍ତୁ କପିଳାସର ଶିବରାତ୍ରି, ଶାରଦୀୟ ଦୁର୍ଗାତ୍ସୋବ, ଢେଙ୍କାନାଳର ରଥଯାତ୍ରା, ଦେଓଗାଁର ରଥଯାତ୍ରା ଓ ସପ୍ତଶଯ୍ୟାର ଶ୍ରୀରାମନବମୀ ଯାତ୍ରାରେ ବେଶୀ ଖର୍ଚ୍ଚ ହେଉଥିଲା । ଧାନ ବିକ୍ରୟ ଲବ୍ଧରେ ଏହି ଖର୍ଚ୍ଚ ତୁଲାଇବାକୁ ପଡୁଥିଲା । ଦେବୋତ୍ତର କର୍ମଚାରୀମାନେ ମାସିକ ଦରମା ଧାନ ଆକାରରେ ନେଉଥିଲେ । କପିଳାସ ଠାକୁରମାନଙ୍କର ମହୁଲଖଳି, ଦୁର୍ଗାପ୍ରସାଦ, ବାଇଁଶିଆ, ଓ ସାନ୍ଦପଣି ଖମାରରୁ ପ୍ରାୟ ଚାରିଶହ ଭରଣ ଧାନ ଆୟ ହେଉଥିଲା, କିନ୍ତୁ କପିଳାସ ଠାକୁରମାନଙ୍କର ବାର୍ଷିକ ବ୍ୟୟ ପ୍ରାୟ ଛଅ ଶହ ଭରଣ । ତେଣୁ ଦୁଇଶହ ଭରଣ ଅନ୍ୟାନ୍ୟ ଖମାରରୁ କପିଳାସକୁ ଆସୁଥିଲା । ପୀଠରେ ଶହ ଶହ ବର୍ଷ ଧରି ହେଉଥିବା ବ୍ୟୟ ରୋକିବାର ଉପାୟ ନଥିଲା । ଏହି ଦୃଷ୍ଟିରୁ କପିଳାସର ଆୟ ବୃଦ୍ଧି ନିମିତ୍ତ ମୁଁ ଚିନ୍ତା କଲି ଓ ବିଭିନ୍ନ ବ୍ୟକ୍ତିଙ୍କ ସହିତ ପରାମର୍ଶ ଲୋଡିଲି । ମୋର ବୟସ କମ୍ ଥିଲା ବା ଅଭିଜ୍ଞତା ନଥିଲା । ବାପା ଧୈର୍ଯ୍ୟହରା ନହୋଇ ଠାକୁରଙ୍କ ଶରଣ ନେବାକୁ ଉପଦେଶ ଦେଲେ । ବହୁ ବ୍ୟକ୍ତି ଠାକୁରଙ୍କ ତଇଳା ଜମି ବିକ୍ରୟ କରିବାକୁ ପରାମର୍ଶ ଦେଲେ । ରାଜା ମହାରାଜାମାନେ ଠାକୁରଙ୍କୁ ଦାନ ଦେଇଥିବା ଜମି ବିକ୍ରୟ କରିବାକୁ ମୋ ବିବେକ ମୋତେ ବାଧା ଦେଲା ।
ଓଡ଼ିଶା ସରକାର ଜମିଦାରୀ ଉଚ୍ଛେଦ ଆଇନ କାର୍ଯ୍ୟକାରୀ କଲେ । ଫଳରେ ମଧ୍ୟସତ୍ତ୍ୱାଧିକାର ଲୋପ ପାଇଲା । ଠାକୁର ବହୁ ଜମିରେ ମଧ୍ୟ ସତ୍ତ୍ୱାଧିକାରୀ ଥିଲେ । ମଧ୍ୟସତ୍ତ୍ୱାଧିକାର ଲୋପ ପାଇବା ଫଳରେ ପ୍ରଜାମାନେ ସିଧା ସରକାରଙ୍କୁ ଖଜଣା ଦେଇ ଜମି ଭୋଗ କରିବେ ଓ ଠାକୁରଙ୍କୁ ଆଉ ସଞ୍ଜା ବା ଖଜଣା ଦେବେ ନାହିଁ । ମୁଁ ନିର୍ଦ୍ଦିଷ୍ଟ ଫର୍ମରେ ଏହି ଜମିଗୁଡିକ ଠାକୁରଙ୍କ ଅମୃତ ମଣୋହୀ ଜମି ଓ ବାର୍ଷିକ ଚୁକ୍ତି ବା କବୁଲିୟତରେ ପ୍ରଜାଙ୍କୁ ସଞ୍ଜା ଦିଆଯାଏ ଦର୍ଶାଇ ଦରଖାସ୍ତ କଲି ଓ ଜମିଗୁଡିକ ଠାକୁରଙ୍କ ନାମରେ ରେକର୍ଡ କରାଯାଉ ବୋଲି ନିବେଦନ କଲି । ଦେବୋତ୍ତର କାର୍ଯ୍ୟାଳୟରେ ଜଣେ ପୁରୁଖା ଅମୀନ ଥିଲେ । ତାଙ୍କ ନାମ ଅନନ୍ତ ଚରଣ ରାଉତ । ସେ ମୋତେ ବହୁ ସାହାଯ୍ୟ କଲେ । ମୋହରିର ଦାମୋଦର ଦାସ ଓ ହରିହର ମିଶ୍ର ଫର୍ମ ଗୁଡିକ ପୂରଣ କଲେ । ଏକ ହଜାରରୁ ଊଦ୍ଧ୍ୱର୍ ଫର୍ମ ଢେଙ୍କାନାଳ ଓ କାମାକ୍ଷାନଗର ତହସିଲରେ ଦାଖଲ କରିବାକୁ ପଡିଲା । ଠାକୁରଙ୍କ କୃପାରୁ ହଜାର ହଜାର ଏକର ଜମିର ରେକର୍ଡ ଠାକୁରଙ୍କ ନାମରେ ରହିଗଲା । କେତେକ ପ୍ରଜା ସେମାନଙ୍କ ନାମରେ ଜମି ରେକର୍ଡ ନିମିତ୍ତ ଆବେଦନ କରିଥିଲେ ହେଁ ସେମାନଙ୍କ ଦରଖାସ୍ତ ଖାରଜ ହୋଇଗଲା । ସେହି ସମୟରେ ଟ୍ରିବୁ୍ୟନାଲ ବିଚାରପତି ଥିବା ରାଧେଶ୍ୟାମ ସାହୁ, ଢେଙ୍କାନାଳ ତହସିଲଦାର ପ୍ରଫୁଲ୍ଲ ପଟ୍ଟନାୟକ ଓ ଶ୍ୟାମସୁନ୍ଦର ଦାସ ତଥା କାମାକ୍ଷାନଗର ତହସିଲଦାର ମହେଶ୍ୱର ମିଶ୍ର ଓ ବିଚିତ୍ରାନନ୍ଦ ଦାସ ଠାକୁରଙ୍କ ସପକ୍ଷରେ ଆଦେଶ କରିଥିଲେ । ସବୁ ଠାକୁରଙ୍କର ଇଛା ଓ ଗୁରୁଦେବଙ୍କର କୃପା ବୋଲି ମଣିଲି ।
ଆନନ୍ଦନଗର, କାଠଗଡା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨