ପାଠ ପାଇଁ ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ
ଶିକ୍ଷା ଏକ ମୌଳିକ ଅଧିକାର । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସମସ୍ତଙ୍କୁ ଶିିକ୍ଷିତ କରିବା ପାଇଁ ପ୍ରାରମ୍ଭରୁ ପଦକ୍ଷେପ ନେଇଛନ୍ତି । ଯେମିତି ଅଙ୍ଗନୱାଡ଼ି କେନ୍ଦ୍ର । ଶୈଶବରୁ ଶିଶୁଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାକୁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖେଳ କୁଦରୁ ଶିକ୍ଷାକ୍ରମ ଆରମ୍ଭ କରି ଶିଶୁ ଅଙ୍ଗନୱାଡ଼ିରୁ ନିଜର ଭବିଷ୍ୟତ ଗଢିବାକୁ ମନୋନିବେଶ କରୁଛି । ସମସ୍ତଙ୍କୁ ଶିକ୍ଷିତ କରିବା ପାଇଁ ଯାହା ସରକାର ପ୍ରାରମ୍ଭରୁ କରୁଛନ୍ତି, ତାହା ଭବିଷ୍ୟତରେ ଏକ ମାଇଲଖୁଣ୍ଟ ହେଇ ପାରୁଛି । କିନ୍ତୁ ଏପରି କିଛି ସ୍ଥାନ ଅଛି, ଯେଉଁଠି ପାଠ ପାଇଁ ଛାତ୍ରଛାତ୍ରୀଙ୍କ ଜୀବନ ବାଜିରେ ଲାଗିଛି । ଏହା କୌଣସି ନିପଟ ମଫସଲର ଚିତ୍ର ନୁହେଁ, ଶିଳ୍ପ ସମୃଦ୍ଧ କଳିଙ୍ଗନଗର ଅଞ୍ଚଳର କଥା । ଗମନା ଗମନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା କଥା କହୁଥିବା ବେଳେ ଏହି ଗମନାଗମନର ଅସୁବିଧା କାରଣରୁ ଛାତ୍ରଛାତ୍ରୀ ଜୀବନକୁ ପାଣି ଛଡ଼ାଇ ଭବିଷ୍ୟତ ଗଢିବାକୁ ଯାଉଛନ୍ତି । ଯାହା ଦାନଗଦୀ ବ୍ଲକ୍ ଅଧୀନସ୍ଥ ଖପୁରିଆପଦା, ରାଛିପୁର, କୁମ୍ଭିରାଗଡିଆ, ମାଣତିରା, ମଙ୍ଗଳପୁର, ପଙ୍କପାଳ, ଜଖପୁରା ପଞ୍ଚାୟତ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ଅନେକ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଆମେ କହୁଛୁ ପୂର୍ବତଟ ରେଳ ଧାରଣାର କଥା । ଯେଉଁ ଧାରଣା ପାରି ହୋଇ ଛାତ୍ରଛାତ୍ରୀ ଯାଇଥାନ୍ତି ପାଠପଢି । ସାଧାରଣ ଲୋକଙ୍କ ଯିବା ଆସିବା କରିବା ପାଇଁ ମାଣତିରା ପଞ୍ଚାୟତର କେନ୍ଦୁଢିପ ଗ୍ରାମ ଠାରେ ଏକ ରେଳ ଫାଟକ ରହିଛି । ମାତ୍ର ରେଳ ଫାଟକ ପାଇଁ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ଖୋଦ କେନ୍ଦୁଢିପ ଗ୍ରାମରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରେଳ ଫାଟକ ଅତିକ୍ରମ କରି ଯିବା ଆସିବା ପାଇଁ ଅପେକ୍ଷା କରିବାକୁ ପଡୁଛି ଘଣ୍ଟା ଘଣ୍ଟା । ପୂର୍ବତଟ ରେଳ ପାଇଁ ସର୍ବାଧିକ ଅଧିକ ଅସୁବିଧା ହେଉଛି କେନ୍ଦୁଢିପ ଗ୍ରାମର । ପୂର୍ବତଟ ରେଳ ଧାରଣା ଯିବା ଦ୍ୱାରା ଗ୍ରାମଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି ।
ଫଳରେ ଗୋଟିଏ ଗ୍ରାମର ଲୋକ ରେଳ ଧାରଣା ପାଇଁ ଅଲଗା ହୋଇଯାଇଛି । ଗାଁ ଭିତରେ ଯିବା ଆସିବା କଷ୍ଟ ହୋଇପଡିଛି । ଏପଟ ଲୋକ ସେପଟକୁ ଓ ସେପଟ ଲୋକମାନେ ଏପାଟକୁ ଆସିବା ପାଇଁ ଅନେକ ସମୟ ଧରି ରେଳ ଫାଟକରେ ଅପେକ୍ଷା କରିବାକୁ ପଡୁଛି । ଏହି ରେଳ ଫାଟକ ପାଇଁ ଜନସାଧାରଣଙ୍କୁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ବିଗତ ଦିନରେ ଆଖପାଖ କିଛି ପଞ୍ଚାୟତକୁ ନେଇ ଏକ କମିଟି ଗଠନ କରାଯାଇଥିଲା । କମିଟିର ଦାବି ମୁତାବକ ପ୍ରଥମେ କୁମ୍ଭୀରଗାଡିଆ ପଞ୍ଚାୟତର ଦାମୋଦରପୁର ଠାରେ ଏକ ଗଳି ପୋଲ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କାରଣ କେନ୍ଦୁଢିପ ରେଳ ଫାଟକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଏହି ସ୍ଥାନଟି ଉପଯୁକ୍ତ ସ୍ଥାନ ବୋଲି ଚିହ୍ନଟ କରି କମିଟି ରେଳ ବିଭାଗର ଉଚ୍ଚସ୍ତରୀୟକୁ ଦରଖାସ୍ତ କରିଥିଲେ । ମାତ୍ର କୌଣସି କାରଣ ବଶତଃ ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା । ଫଳରେ ଏହି ସ୍ଥାନ ଦେଇ କାହିଁ କେଉଁ ଦିନରୁ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ରେଳ ଧାରଣା ଅତିକ୍ରମ ଯାଉଛନ୍ତି । ଅତୀତରେ ଖୁବ୍ କମ୍ ରେଳ ଗାଡ଼ି ଏହି ରେଳ ଧାରଣା ଦେଇ ଯାଉଥିଲା ଆଉ ରେଳ ଯିବା ଆସିବା ପାଇଁ ମାତ୍ର ଦୁଇଟି ରେଳ ଧାରଣା ଥିଲା । ଫଳରେ ଅତୀତରୁ ଲୋକମାନେ ଏହି ରେଳ ଧାରଣା ଅତିକ୍ରମ କରି ନିଜର କାର୍ଯ୍ୟ ସହଜରେ କରୁଥିବାର ଅଭ୍ୟାସ ରଖିଛନ୍ତି । ଫଳରେ ରେଳ ଧାରଣା ଅତିକ୍ରମ କରିବା ପାଇଁ କେନ୍ଦୁଢିପ ଠାରେ ଥିବା ରେଳ ଫାଟକ ଦେଇ ଯିବା ଆସିବା କରିବା ପାଇଁ ଥିବାବେଳେ ସାଧାରଣ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇ ଦାମୋଦରପୁର ଠାରେ ଅସୁରକ୍ଷିତ ଭାବରେ ରେଳ ଧାରଣା ଅତିକ୍ରମ କରି ଯିବା ଆସିବା କରୁଛନ୍ତି । କାରଣ ସାଜିଛି କେନ୍ଦୁଢିପ ରେଳ ଫାଟକ ।
ମାତ୍ର ପୂର୍ବତଟ ରେଳ ବିଭାଗରେ ରେଳ ଗାଡ଼ିର ସଂଖ୍ୟା ଅଧିକ ଆଉ ବ୍ୟସ୍ତ ହୋଇଯାଇଥିବାରୁ ରେଳ ଧାରଣା ସଂଖ୍ୟା ବଢ଼ିଛି । ଫଳରେ ରେଳ ଧାରଣା ନିକଟରେ ଥିବା ଆଖ ପାଖ ଗାଁ ଦାମୋଦରପୁର, ଜଗାଡ଼ିହ, ଚାକୁଆ, କୁମ୍ଭିରଗଡିଆ, ଖପୁରିଆପଦା, କେନ୍ଦୁଢିପ୍, ମାଣତିରା, ପୁରୁଣା ମାଣତିରା ଆଦି ଲୋକ ମାନଙ୍କର ନୀତି ଦିନିଆ ଚଲା ରାସ୍ତା ଥିଲା ଦାମୋଦରପୁର ନିକଟସ୍ଥ ରେଳ ଧାରଣା । ରେଳ ଧାରଣା ଅତିକ୍ରମ କରି ଯିବା ଆସିବା କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ସାଧାରଣ ଲୋକ ତାଙ୍କର ସୁବିଧା ପାଇଁ ଏ ନିୟମକୁ ନମାନି ରେଳ ଧାରଣା ଅତିକ୍ରମ କରି ଯିବା ଆସିବା କରୁଥିବାର ଦେଖିବାକୁ ମିଳୁଛି । ପ୍ରତି ଦିନ ଗ୍ରାମରୁ ଅନେକ ସ୍କୁଲ କଲେଜ ପିଲା ଠାରୁ ଆରମ୍ଭ କରି ସାଧାରଣ ଲୋକ ଯିବା ଆସିବା କରିଥାନ୍ତି । କାରଣ ମାଣତିରା ଗ୍ରାମରେ ସ୍କୁଲ, କଲେଜ, ସମବାୟ କାର୍ଯ୍ୟାଳୟ, ଅନେକ ଚାଷ ଜମି ତା ସହିତ ଜଗନ୍ନାଥ ମନ୍ଦିର, ମଙ୍ଗଳା ମନ୍ଦିର ଆଉ ହିଙ୍ଗୁଳା ମନ୍ଦିର ରହିଛି । ଫଳରେ ଅନେକ ସମୟରେ ସାଧାରଣ ତାଙ୍କର ଜରୁରୀ କାର୍ଯ୍ୟ ପାଇଁ ଏହି ସବୁ କାର୍ଯ୍ୟାଳୟକୁ ଯାଇଥିବା ବେଳେ ପ୍ରତି ଦିନ ଶହ ଶହ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ନିଜ ନିଜ ସ୍କୁଲ କଲେଜକୁ ଯାଇଥାନ୍ତି । ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ରେଳ ଧାରଣା ନିକଟରେ ଥିବା ଗାଁ ମାନଙ୍କର କୌଣସି ଲୋକଙ୍କର ମୃତୁ୍ୟ ହୁଏ ତାଙ୍କର ଶବ ସକôାର ପାଇଁ ସେମାନେ ଏହି ଧାରଣା ଅତିକ୍ରମ କରି ନିଜ ଆତ୍ମୀୟ ସ୍ୱଜନ ମାନଙ୍କର ଶବ ଧରି ଯିବାକୁ ହୁଏ । ଏସବୁ କାର୍ଯ୍ୟ ପାଇଁ ଯିବାକୁ ହେଲେ ରେଳ ଧାରଣା ଅତିକ୍ରମ କରି ଯିବାକୁ ପଡୁଛି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଜୀବନ ଯାଉଛି । ଚାଷୀ ନିଜର ଚାଷ ଜମି ହଳ କରିବାକୁ ଯିବା ପାଇଁ ଏହି ରେଳ ଧାରଣା ଅତିକ୍ରମ କରି ଯିବାବେଳେ ଅନେକ ସମୟରେ ରେଳ ଗାଡ଼ି ଦ୍ରୁତ ଗତିରେ ଆସି ଯାଉଥିବାରୁ ହଳ ନେଇ ଯାଉଥିବା ବଳଦ ମୃତୁ୍ୟ ମୁଖରେ ପଡ଼ନ୍ତି । ଯଦି ରେଳ ଧାରଣା ଅତିକ୍ରମ ନ କରି ଯିବାକୁ ପଡ଼ିବ ତେବେ ମାଣତିରା ପଞ୍ଚାୟତର କେନ୍ଦୁଢିପ ଗ୍ରାମରେ ଥିବା ରେଳ ଫାଟକକୁ ଅତିକ୍ରମ କରି ଯିବାକୁ ପଡ଼ିବ । ମାତ୍ର ତାହା ସମୟ ସାପେକ୍ଷ । କାରଣ ପୂର୍ବତଟ ରେଳ ବିଭାଗରେ ଅନେକ ରେଳ ଯିବା ଆସିବା କରୁଥିବାରୁ ଫାଟକଟି ଅନେକ ସମୟରେ ବନ୍ଦ ରହିଥାଏ । ଫଳରେ ସାଧାରଣ ଲୋକଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଡାକ୍ତରଖାନାରେ ଓ ଛତ୍ରଛାତ୍ରୀ ସ୍କୁଲ କଲେଜ ସଠିକ୍ ସମୟରେ ପହଞ୍ଚି ପାରନ୍ତି ନାହିଁ । ସେଥିପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡେ । ପୁଣି ମାତ୍ର କେତେ ମିଟର ଦୂରରେ ଥିବା ସ୍ଥାନକୁ ଯିବାକୁ ହେଲେ ତିନି ଚାରି କିଲୋମିଟର ରାସ୍ତା ବୁଲି କରି ଯିବାକୁ ପଡ଼ିଛି । ଫଳରେ ବ୍ୟସ୍ତତା ପାଇଁ ଓ ସମୟର ବିଳମ୍ବ ପାଇଁ ଏହି ରେଳ ଧାରଣାକୁ ଅତିକ୍ରମ ଯିବାକୁ ପଡୁଛି । ଏତେ ସବୁ ସମସ୍ୟାକୁ ନେଇ ସ୍ଥାନୀୟ ପାଞ୍ଚ ପଞ୍ଚାୟତ ଜନ ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ କୋର୍ କମିଟି ଯେଉଁ ସ୍ଥାନରେ ରେଳ ଧାରଣା ଅତିକ୍ରମ କରି ଲୋକମାନେ ଯିବା ଆସିବା କରୁଛନ୍ତି ସେହି ସ୍ଥାନ ଦାମୋଦରପୁର ରେଳ ଧାରଣା ନିକଟରେ ଏକ ଗଳି ପୋଲ ପୂର୍ବତଟ ରେଳ ବିଭାଗ ତରଫରୁ କରାଗଲେ ସାଧାରଣ ଲୋକଙ୍କର ସମସ୍ୟା ଦୂର ହୋଇପାରନ୍ତା ବୋଲି ଏକ ଲିଖିତ ଦରଖାସ୍ତ ପୂର୍ବତଟ ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅନେକ ଦିନରୁ ଦିଆଯାଇଛି । ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ । ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।