ପାଣି ଜମି ପରିବେଶ ଦୂଷିତ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ବାଳିକା ହାଇସ୍କୁଲ ପରିସର ବାହାର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ଉପକଣ୍ଠ ସବଡିଭିଜନ ହସ୍ପିଟାଲ ସମ୍ମୁଖରେ ଅବସ୍ଥିତ ଥିଲେ ମଧ୍ୟ ଦୀପ ତଳ ଅନ୍ଧାର ନ୍ୟାୟରେ ଏହା ଚୀର ଅବହେଳିତ ହୋଇରହିଛି ଓ ପଟ୍ଟାମୁଣ୍ଡାଇ ବାଳିକା ହାଇସ୍କୁଲ ଛକ ଠାରୁ କାଠିଆପଡା ପର୍ଯ୍ୟନ୍ତ ଲମ୍ବି ଯାଇଥିବା ରାସ୍ତା ଏବେ ଗମନା ଗମନ ଅନୁପଯୁକ୍ତ ହୋଇପଡିଛି । ଏହି ରାସ୍ତା ଦେଇ ଶହ ଶହ ହାଇସ୍କୁଲ ଛାତ୍ରୀ, ବିଭିନ୍ନ ଅଂଚଳର ଜନସାଧାରଣ, ପଟ୍ଟାମୁଣ୍ଡାଇ କଲେଜ ଓ ମହିଳା କଲେଜ ଛାତ୍ରଛାତ୍ରୀ ଓ ହାଇସ୍କୁଲ ସମ୍ମୁଖରେ ଥିବା ହସ୍ପିଟାଲକୁ ରୋଗୀମାନେ ଚିକିସôା ପାଇଁ ଯାତାୟାତ କରିଥାନ୍ତି ଓ ଏଥି ସହିତ ଏହି ରାସ୍ତାରେ ବିଭିନ୍ନ ପରୀକ୍ଷାଗାର, ଔଷଧ ଦୋକାନ ଓ ଘରୋଇ ଡାକ୍ତରଖାନା ରହିଛି ଫଳରେ ଏହି ରାସ୍ତାଦେଇ ଯାତାୟତ କରୁଥିବା ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଏହି ରାସ୍ତାରେ ବର୍ଷକ ବାର ମାସ ପାଣି ଜମି ରହୁଥିବାବେଳେ ବର୍ଷା ଦିନେ ସ୍ଥିତି ବେହାଲ ହୋଇପଡୁଛି । ଏହି ରାସ୍ତାର ଉଭୟ ପାର୍ଶ୍ୱ ଜବର ଦଖଲ ହୋଇଥିବାରୁ ଜଳ ନିଷ୍କାସନ ହୋଇ ପାରୁନାହିଁ । ବର୍ଷକ ବାର ମାସ ପାଣି ଜମି ରହି ରାସ୍ତାରେ ପୁତି ଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପରିବେଶ ସଂପୂର୍ଣ୍ଣ ଦୂଷିତ ହୋଇ ଥିବାରୁ ଛାତ୍ରୀଛାତ୍ର, ଜନସାଧାରଣ ଓ ରୋଗୀମାନେ ଯାତାୟାତ ପାଇଁ କୁଣ୍ଠାବୋଧ କରୁଛନ୍ତି । ସ୍ଥାନୀୟ ଜନସାଧାରଣ ବାରମ୍ବାର ଦାବୀ କଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ ଓ ପଟ୍ଟାମୁଣ୍ଡାଇ ପ୍ରଶାସନ ଓ ପୌର ପରିଷଦ ଏହି ରାସ୍ତାରୁ ଜବରଦଖଲ ହଟାଇ ଜଳ ନିଷ୍କାସନ ପାଇଁ ବାରମ୍ବାର ଉଦ୍ୟମ କଲେ ମଧ୍ୟ ଫଳପ୍ରଦ ହେଉନାହିଁ । ଯାହାକୁନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଦି ପାଇବାସହ ରାସ୍ତାରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।