ବାଲିଘାଟ ପାଇଁ ପଥଚାରୀ ହନ୍ତସନ୍ତ


ଯଖପୁରା : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାଧାରଣ ଜନତାଙ୍କ ନିମନ୍ତେ କଂକ୍ରିଟ ହେଉ କି ପିଚୁ ରାସ୍ତା ନିର୍ମାଣ କରୁଛନ୍ତି । ହେଲେ କିଛି ସ୍ଥାନରେ ବାଲି ଘାଟ ପାଇଁ ରାସ୍ତା ଗୁଡ଼ିକ ମରଣଯନ୍ତା ପାଲଟିଯାଉଛି । ଯାହାର ନିଚ୍ଛକ ଦୃଶ୍ୟ ଶାସନ-ବ୍ରାହ୍ମଣୀବ୍ରିଜ ରାସ୍ତାରେ ଦେଖିବାକୁ ମିଳିଛି । ସଂପୃକ୍ତ ରାସ୍ତାଟି କିଛିମାସ ତଳେ ପିଚୁ କରାଯାଇଥିବା ବେଳେ ତାହା ଏବେ ମାଟି ରାସ୍ତାରେ ପରିଣତ ହୋଇପଡ଼ିଛି । 
ପିଚୁ ଉପରେ ବହଳ ଉଚାରେ ମାଟି ଗଦା ହୋଇଛି । ବାଲି ଘାଟ ପାଇଁ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ପଥଚାରୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି । ପ୍ରତି ଦିନ ବାଲି ଘାଟରୁ ବାଲି ନେଇ ଯାଉଥିବା ଶହ ଶହ ଗାଡି ପାଇଁ ଜନସାଧାରଣ ଜୀବନ ବିପଦରେ ପଡ଼ୁଥିବା ଦେଖିବାକୁ ମିଳୁଛି । ଏମିତିକି ସାଧାରଣ ଲୋକ ବାଲି ଗାଡ଼ି ତଳେ ନିଜର ଜୀବନ ହରାଉଛନ୍ତି । ବାଲି ବୋଝେଇ ଗାଡ଼ି ଦିନସାରା ଚାଲୁଥିବାରୁ ବାଲି ଘାଟ ଅଞ୍ଚଳର ନଦୀ ବନ୍ଧ ରାସ୍ତାଟି ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଥିବାବେଳେ ବାଲି ବୋଝେଇ ଗାଡ଼ି ପାଇଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଦେଖିବାକୁ ମିଳୁଛି । ଯେଉଁ ରାସ୍ତାରେ ସାଧାରଣ ଲୋକଟିଏ ଚାଲି ଯିବାକୁ କଷ୍ଟ ହେଉଛି । ଜୀବନ ବିକଳରେ ରାସ୍ତା ପାରି ହେଇ ଯିବାକୁ ପଡୁଛି । ପଙ୍କପାଳ ବାଲି ଘାଟରୁ ପ୍ରତି ଦିନ ଶହ ଶହ ଗାଡି ଯିବା ଆସିବା କରିବା ଦ୍ୱାରା ଶାସନ ଗ୍ରାମ ଠାରୁ ଆରମ୍ଭ କରି ୫୩ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ନଦୀ ବନ୍ଧ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଛି । ଏହିରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ବ୍ୟସ୍ତ ବହୁଳ । ପ୍ରତିଦିନ ଏହି ରାସ୍ତା ଉପରେ ଆଖ ପାଖ ଅଞ୍ଚଳର୫/୬ପଞ୍ଚାୟତର ଲୋକ ନିର୍ଭର କରୁଛନ୍ତି । ଏମିତିକି ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଅନେକ ଲୋକ କଳିଙ୍ଗନଗରର ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଛନ୍ତି । ନିଜରପେଟ ପୋଷିବା ପାଇଁ ଏହି ନଦୀ ବନ୍ଧ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ନିକଟରେ ଥିବା ମୁକୁନ୍ଦପାତ୍ର ମହାବିଦ୍ୟାଳୟ ଓ ମାଣତୀରା ବିଦ୍ୟାଳୟ ଥିବାରୁ ପ୍ରତିଦିନ ଛାତ୍ର ଛାତ୍ରୀ ମାନେ ଏହି ନଦୀ ବନ୍ଧ ରାସ୍ତା ଦେଇ ଯାଉଛନ୍ତି । ମାତ୍ର ବାଲି ଘାଟ ଯେବେ ଠାରୁ ଚାଲୁ ରହିଛି ସେବେ ଠାରୁ ଏହି ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି । ବାଲି ଘାଟରୁ ପ୍ରତିଦିନ ବାଲି ନେଇ ଯାଉଥିବା ଗାଡ଼ି ଘୋଡ଼ା ପାଇଁ ଶାସନ ରାସ୍ତା ଅବସ୍ଥା କଦର୍ଯ୍ୟ ହୋଇପଡିଛି । ବାଲି ନେଇ ଯାଉଥିବା ଗାଡିରୁ ପାଣି ବାହାରି ସବୁ ରାସ୍ତା ଉପରେ ପଡ଼ିବା ଦ୍ୱାରା ରାସ୍ତା ସବୁ କାଦୁଅରେ ପଚର ପଚର ହୋଇପଡିଛି । ଫଳରେ ସାଧାରଣ ପଥଚାରୀ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି । ସାଇକେଲ ଠାରୁ ଆରମ୍ଭ କରି ମୋଟର ସାଇକେଲ ଓ ଚାଲିକି ଯାଉଥିବା ଲୋକ କଷ୍ଟ ଭୋଗୁଛନ୍ତି । ବାଲି ବୋଝେଇ ଗାଡ଼ିର ରାସ୍ତା ଉପରେ ଲମ୍ବା ଧାଡ଼ି ଥିବାରୁ ଲୋକମାନେ ଯିବା ପାଇଁ ଡରୁଛନ୍ତି । ଅନେକ ମୋଟର ସାଇକେଲ ଆରୋହୀ କାଦୁଅ ପାଇଁ ରାସ୍ତାରେ ଖସି ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି । ସାଇକେଲ ବାଲାଙ୍କ କଥା ନକହିବା ଭଲ । କଲେଜ ଯାଉଥିବା ଛାତ୍ରଛାତ୍ରୀ  ଅନେକ ହଇରାଣ ହରକତ ହୋଇ ଯାଉଥିବାର ଦେଖିବାକୁ ମିଳୁଛି । ଏମିତିକି କିଛି ଛାତ୍ରଛାତ୍ରୀ କାଦୁଅରେ ପଡ଼ିଯିବାରୁ ଅଧା ରାସ୍ତାରୁ ଘରକୁ ଫେରୁଛନ୍ତି । ଯେହେତୁ କବାଟବନ୍ଧ ପରି ବାଣିଜ୍ୟ ପେଣ୍ଠ ନିକଟରେ ରହିଛି ସେଠାକୁ ଯିବାକୁ ହେଲେ ସେହି ରାସ୍ତା ଦେଇ ବେପାରୀ ନିଜର ଜିନିଷ ପତ୍ର ଆଣିବାକୁ ଯାଉଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମୋଟ ଉପରେ କହିବାକୁ ଗଲେ ବାଲି ଘାଟ ପାଇଁ ସାଧାରଣ ଲୋକଟିଏ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାଲିଘାଟ ପାଇଁ ରାସ୍ତାର ଅବସ୍ଥା ବହୁତ୍ ଖରାପ ହୋଇଯାଇଛି । ସରକାରୀ ନିୟମ ଅନୁଯାୟୀ ବାଲି ଘାଟରୁ ବାଲି ପରିବହନ ପାଇଁ ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ ହୋଇଥିବା ସତ୍ୱେ ବାଲି ବୋଝେଇ ଗାଡ଼ି ସବୁ ଅହରହ ଚାଲୁଥିବାରୁ ସାଧାରଣ ଲୋକ ସବୁ ରାସ୍ତା ରେ ଯିବା ପାଇଁ ହନ୍ତସନ୍ତ ହେଉଛନ୍ତି । ରାସ୍ତାଟି କାଦୁଅରେ ଲଟପଟ ହେଇଥିବାରୁ ପଥଚାରୀ ଖସି ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ରାସ୍ତାର ସୁରକ୍ଷା ପାଇଁ ନିର୍ଦ୍ଧାରିତ ସମୟ ଭିତରେ ବାଲି ବୋଝେଇ ଗାଡ଼ିକୁ ଯିବା ପ୍ରତି ଦୃଷ୍ଟି ଦେଲେ ସାଧାରଣ ଲୋକେ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ କହିଛନ୍ତି ଏବଂ ବାଲି ଘାଟ ପାଇଁ ରାସ୍ତାଟି ଖରାପ ହେଉଥିବାରୁ ଲଘୁ ଖଣିଜ ଅଧିକାରୀ ଏହା ଉପରେ ଦୃଷ୍ଟି ଦେବା ଉଚିତ୍ ବୋଲି କହିଛନ୍ତି ।