ସମସ୍ୟା ଘେରରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ


ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ଧର୍ମଶାଳା ତହସିଲ ଅଧୀନ ବଳରାମପୁର-୨ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମସ୍ୟା ଘେରରେ ରହିଛି । ଏହି କାର୍ଯ୍ୟାଳୟ କବାଟବନ୍ଧ, ଦଳଗାଁ, ଗୋହିରାଟିକାର, ତାଳଜଙ୍ଗ, ବଳରାମପୁରଗଡ଼, ରାମପୁର କଇଥା, ରାଇଛନ୍ଦା, ବାଲିକୁଦିଆ ପ୍ରଭୂତି ୮ଟି ମୌଜାକୁ ନେଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଛି । ହେଲେ କାର୍ଯ୍ୟାଳୟର ଅନେକ ସମସ୍ୟା ଦୂର ହୋଇପାରୁନି । କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକଙ୍କୁ କାର୍ଯ୍ୟ ସୁବିଧା ପାଇଁ କମ୍ପୁଟର, ପ୍ରିଣ୍ଟର ଯୋଗାଇ ଦିଆଯାଇଥାଏ । କିନ୍ତୁ କାର୍ଯ୍ୟାଳୟରେ ସେଭଳି କୌଣସି ସୁବିଧା ରଖାଯାଇନାହିଁ । ଯାହାକି ରାଜସ୍ୱ ନିରୀକ୍ଷକ କାଗଜ କଲମରେ କାର୍ଯ୍ୟ କରୁଛନ୍ତି । ଯାହା ଦ୍ୱାରା ସମୟ ଅତିବାହିତ ହେଉଛି । ରାଜସ୍ୱ ନିରୀକ୍ଷକ ଦୀର୍ଘଦିନ ହେବ ଭଙ୍ଗା ଚେୟାରରେ ବାସି କାର୍ଯ୍ୟ କରୁଛନ୍ତି । ସାଧାରଣ ଲୋକମାନଙ୍କ ପାଇଁ ଦୁଇଟି ଚେୟାର ର ବ୍ୟବସ୍ଥା ରହିଛି । ତାହା ପୁଣି କର୍ମଚାରୀଙ୍କ ଅର୍ଥରେ କିଣାଯାଇଛି । ଦୁଇ ଜଣରୁ ଅଧିକ ଲୋକ ଆସିଲେ ବାହାରେ ଦୀର୍ଘ ସମୟ ଧରି ଠିଆ ହୋଇ ଅପେକ୍ଷା କରିବାକୁ ପଡୁଛି । କାର୍ଯ୍ୟାଳରେ ଚାରିଜଣ କର୍ମଚାରୀ ନିଯୁକ୍ତି ରହିବାର ବ୍ୟବସ୍ଥା ରହିଥିବା ବେଳେ ଜଣେ ମାତ୍ର ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା କାର୍ଯ୍ୟ ଚାଲୁଛି । ଯଦି ରାଜସ୍ୱ ନିରୀକ୍ଷକ କୌଣସି ମୌଜାକୁ ଅନୁସନ୍ଧାନ କରିବାକୁ ଯାଇଥାନ୍ତି କାର୍ଯ୍ୟାଳୟ ଗୃହ ତାଲା ପଡିଥାଏ । କାର୍ଯ୍ୟାଳୟରେ ଶୌଚାଳୟର ବ୍ୟବସ୍ଥା ରହିଛି । ହେଲେ ପାଣିର ବ୍ୟବସ୍ଥା ନାହିଁ । ପିଇବା ପାଣିପାଇଁ ପାଇପ ସଂଯୋଗ ହୋଇଛି । ଛାତ ଉପରେ ଟାଙ୍କି ବସିଛି ହେଲେ ପିଇବା ପାଣି ପାଇଁ ଅନ୍ୟ ଜାଗାକୁ ଯିବାକୁ ପଡୁଛି । କାର୍ଯ୍ୟାଳୟ ଚାରିରୁ ପାଞ୍ଚ ବର୍ଷ ତଳେ କାନ୍ଥ ରଙ୍ଗ ଦିଆ ଯାଇଥିଲା । ଯାହା ଶିଉଳି ଲାଗି ରହିଛି ।  ବର୍ଷା ହେଲେ କାର୍ଯ୍ୟାଳୟ ଗୃହ ଭିତରକୁ ବର୍ଷା ପାଣି ପ୍ରବେଶ କରୁଛି । କାର୍ଯ୍ୟାଳୟର ନଥିପତ୍ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କାର୍ଯ୍ୟାଳୟର ଷ୍ଟୋର ରୁମର କବାଟ କଳଙ୍କି ଲାଗି କିଛି ଅଂଶ ଭାଙ୍ଗି ଯାଇଛି । ଅନେକ ସମୟରେ କାର୍ଯ୍ୟାଳୟ ଭିତରକୁ ଶରୀସୃପ ପସି ଆସୁଛନ୍ତି । ଯାହାକି ଭୟଭିତ ଅବସ୍ଥାରେ ରାଜସ୍ୱ ନିରୀକ୍ଷକ ରହୁଛନ୍ତି । ତୁରନ୍ତ ବିଭାଗୀୟ ଅଧିକାରୀ ଏହା ଉପରେ ଗୁରୁତ୍ୱର ସହିତ ନେବାକୁ ସାଧାରଣ ରେ ଦାବି ହେଉଛି ।