ପାରଦ କମୁଛି, ଓଡ଼ିଶା ଥରୁଛି

ପାରଦ କମୁଛି, ଓଡ଼ିଶା ଥରୁଛି
  • ଘୁ. ଉଦୟଗିରି ୪ ଡିଗ୍ରୀ
  • ୧୧ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ
  • ପ୍ରାୟ ସବୁ ସହର ୧୫ ଡିଗ୍ରୀ ତଳେ

ଭୁବନେଶ୍ୱର : ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପାରଦ ୬ରୁ ୭ ଡିଗ୍ରୀ କମିଯାଇଛି । ଦକ୍ଷିଣ ଓଡ଼ିଶାରେ ବି ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇଛି । ଉତ୍ତର ଉପକୂଳ ଓଡ଼ିଶା ହେଉ ଅବା ଦକ୍ଷିଣ ଉପକୂଳ ଓଡ଼ିଶା ସବୁଠି ସର୍ବନିମ୍ନ ତାପମାତ୍ରା କମିଯାଇଛି । ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଓ କନ୍ଧମାଳରେ ଆସନ୍ତାକାଲି ସକାଳ ସାଢେ଼ ୮ ପର୍ଯ୍ୟନ୍ତ ଶୀତ ଲହରୀର ସମ୍ଭାବନା ରହିଛି । ସେପଟେ ୧୩ ସକାଳ ସାଢେ଼ ୮ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳରେ ଶୀତ ଲହୀରର ସମ୍ଭାବନା ଅଛି । ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି ।


   ଅପରପକ୍ଷରେ ରାଜ୍ୟର ୧୧ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ଥିବାବେଳେ ରାଉରକେଲାରେ ୬.୬, ନବରଙ୍ଗପୁରରେ ୮.୬, ଦାରିଙ୍ଗବାଡ଼ିରେ ୭, କୋରାପୁଟରେ ୯.୩, ବଲାଙ୍ଗୀରରେ ୯.୩, ଭବାନୀପାଟଣାରେ ୮, ସୁନ୍ଦରଗଡ଼ରେ ୯.୬, କେନ୍ଦୁଝରଗଡ଼ରେ ୯.୬, ଝାରସୁଗୁଡ଼ାରେ ୬.୮ ଓ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି । ସେହିପରି ବାଲେଶ୍ୱରରେ ୧୩.୫, ଚାନ୍ଦବାଲିରେ ୧୪, କଟକରେ ୧୧.୬, ପାରାଦୀପରେ ୧୩.୮, ଭୁବନେଶ୍ୱରରେ ୧୧.୮, ଗୋପାଳପୁରରେ ୧୪.୨, ବାରିପଦାରେ ୧୧.୬, ସମ୍ବଲପୁରରେ ୧୧, ହୀରାକୁଦରେ ୧୨.୩, ଟିଟିଲାଗଡ଼ରେ ୧୧.୮, ମାଲକାନଗିରିରେ ୧୨.୬, ସୋନପୁରରେ ୧୦, ନୟାଗଡ଼ରେ ୧୩.୨, ବୌଦ୍ଧରେ ୧୦.୪, ପାରଳାଖେମୁଣ୍ଡିରେ ୧୨, ରାୟଗଡ଼ାରେ ୧୧, ଭଦ୍ରକରେ ୧୩.୫, ଢେଙ୍କାନାଳରେ ୧୦.୫, ବରଗଡ଼ରେ ୧୨.୪, ଦେବଗଡ଼ରେ ୧୩.୬, ନୂଆପଡ଼ାରେ ୧୦.୬, ଖୋର୍ଦ୍ଧାରେ ୧୨.୫, ଜଗତସିଂହପୁରରେ ୧୨.୮ ଓ କେନ୍ଦ୍ରାପଡ଼ାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଛି ।


    ପୁଣି ଜାଡରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଆଜି ୪ ଡିଗ୍ରି ରେକର୍ଡ କରିଛି ପାଣିପାଗ ବିଭାଗ । ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ମାସ ଆରମ୍ଭରେ ଶୀତ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି । କୋହଲା ପବନରେ ଦେହ କାଲୁଆ ହୋଇ ଯାଇଥିବା ବେଳେ ରାସ୍ତାକଡରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ, ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷୁଥିବା ସ୍ଥାନୀୟ ଅଧିବାସୀ, ଅସହାୟ, କଚ୍ଚା ଘରେ ରହୁଥିବା ଲୋକଙ୍କ ପାଇଁ ପ୍ରବଳ ଶୀତ ବଢାଇ ଦେଇଛି ଚିନ୍ତା । ସେହିପରି କୁହୁଡି ଯୋଗୁଁ ଯାତାୟତରେ ସମସ୍ୟା ଦେଖାଦେଇଛି । ଘୁ.ଉଦୟଗିରିର ସହରାଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଆଜି ୪ ଡିଗ୍ରୀ ରେକର୍ଡ କରାଯାଇ ଥିବା ବେଳେ ଗ୍ରାମାଞ୍ଚଳ ଅର୍ଥାତ ସିରକୀ, ସବେରଖଲ, ପୁକୁଲିଙ୍ଗିଆ, ସିପାଏଯୁ, ଡଡାପାଡ଼ା, ତୁମୁସୀଙ୍ଗିଆ, ଲଏରେଜୁ, ଗଦ୍ରିଙ୍ଗିଆ, ସିରିକି, କୁର୍ମୀଙ୍ଗିଆ, ମୁକୁଲିଙ୍ଗିଆ, ଲିଙ୍ଗାଗଡ, ଗୁଦ୍ରିପୋଡ଼ି ଇତ୍ୟାଦି ଅଞ୍ଚଳରେ ୨ ଡିଗ୍ରୀ ତଳେ ଥିବା ଅନୁମାନ କରାଯାଉଛି ।