ପାରାଦୀପ ବନ୍ଦର ସମେତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ସମ୍ବର୍ଦ୍ଧିତ

 ପାରାଦୀପ:  ପାରାଦୀପ ପୌରପାଳିକା ପକ୍ଷରୁ ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ୧୦ କୋଟିରୁ ଅଧିକ ଅର୍ଥ ବିନିଯୋଗରେ ଅନେକ ନୂତନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସହିତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ଉତ୍ସବର ମୁଖ୍ୟଅତିଥି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟବକ୍ତା, ସମ୍ମାନିତଅତିଥି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହରନାଦ, ସିଆଇଏସ୍ଏଫ୍ କମାଣ୍ଡାଣ୍ଟ ସନତ ପଟେଲ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନୁଷ୍ଠାନ, ସଂଗଠନ, ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କ୍ରମରେ ପାରାଦୀପ ବନ୍ଦର ୧୫୦.୪୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିଚାଳନା କରି ରେକର୍ଡ ସୃଷ୍ଟି କରିବା ସହ ସର୍ବଭାରତୀୟସ୍ତରରେ ୧ନଂ ବନ୍ଦର ମାନ୍ୟତା ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବନ୍ଦରର ଅଧ୍ୟକ୍ଷ ପି.ଏଲ.ହରନାଦ ଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉତ୍ତରୀୟ ଓ ସିଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ କ୍ଷ ସେହିପରି ଏନଏମ୍ଡିସି ହାଇଦ୍ରାବାଦ ମାରାଥନରେ ସଫଳତା ପାଇଁ ସିଆଇଏସଏଫ କମାଣ୍ଡାଣ୍ଟ ସନତ ପଟେଲ, ସଠିକ ସମୟରେ ପୌରପାଳିକାରେ ଟ୍ୟାକ୍ସ ପ୍ରଦାନ ପାଇଁ ଆଇଓସିଏଲ ପାରାଦୀପ ଟର୍ମୀନାଲ ଏବଂ ଜେଏସପିଏଲକୁ ପୌରପାଳିକା ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । ସ୍ୱଚ୍ଛତା ପାଇଁ ପୌରପାଳିକାର ସ୍ୱଚ୍ଛତା ଆମ୍ବାସଡ଼ର ନରେଶ ସାମନ୍ତ, ପରିବେଶ ସୁରକ୍ଷା ପାଇଁ ଅନନ୍ତ ବଳିଆ ସେବା ସଙ୍ଘ, ସ୍ୱଚ୍ଛ ପରିବେଶ ପାଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିୟମିତ ଘରୋଇ ଗୃହ ଟିକସ ଦାତା ଭାବେ ପ୍ରହଲ୍ଲାଦ ଚନ୍ଦ୍ର ସାହୁ ଓ ଦୋକାନ ଟିକସ ଦାତା ଭାବେ ସପନ କୁମାର ମାଇତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଉମେଶ ଦାସ, ଡମ୍ବରୁ ଗୋଛାୟତଙ୍କୁ ପୌର ପରିଷଦର ପ୍ରମୁଖ ପରିମଳ କର୍ମଚାରୀ ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ, ଉତ୍ସର୍ଗୀକୃତ ସ୍ୱଚ୍ଛ କର୍ମୀ ଭାବେ ଏମ୍ସିସି ମିନତୀ ମଣ୍ଡଳ, ଏମ୍ଆରଏଫ୍ ଜ୍ୟୋସ୍ନାରାଣୀ ଦାସ, ବିଓଭି ଅପରେଟର ସବିତା ଘଡେଇ ଓ ବବିତା ମଣ୍ଡଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଚାରିଟେବୁଲ ଟ୍ରଷ୍ଟ, ୟୁଥ କ୍ଲବ ଆଦି ସଂଗଠନକୁ ପୌରପାଳିକା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସ୍କୁଲସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରି ସମ୍ବର୍ଦ୍ଧିତ ହୋଇଥିଲେ । ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ପିପିଏଲ ଡିଏଭି ପବ୍ଲିକ ସ୍କୁଲ ଓ ହକି ଗ୍ରାସରୁଟ ହାଇ ପ୍ରଫରମାନ୍ସ ସେଣ୍ଟର, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରି ପୁରସ୍କୃତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକରଣ ଯୋଜନାରେ ତେଜସ୍ୱିନୀ ମହାସଂଘ କୁ ୧ ଲକ୍ଷ ୨୦ ହଜାର, ବସୁଧା ମହାସଂଘକୁ ୭ ଲକ୍ଷ ୬୦ ହଜାର, ଉକ୍ରକ ଜନନୀ ମହାସଂଘ ୪ ଲକ୍ଷ, ଲକ୍ଷ୍ମୀବାଇ ମହାସଂଘ ୮୦ ହଜାର ଓ ସୁରଭି ମହାସଂଘକୁ ୧୭ ଲକ୍ଷ ୨୦ ହଜାର ପୁଞ୍ଜି ପ୍ରଦାନ କରାଯାଇଥିଲା ।