ପାରିିଷଦଙ୍କ ଚେତାବନୀ ଟେଣ୍ଡର କାର୍ଯ୍ୟକାରୀ ନହେଲେ ସୋମବାରରୁ ଧାରଣା

 ବ୍ୟାସନଗର : ‘ଗ୍ରିଭାନ୍ସ’ ଆଳରେ ଅଟକିଛି ଟେଣ୍ଡର ପ୍ରକ୍ରିୟା । ମାସମାସ ଧରି ଟେଣ୍ଡର ପ୍ରକ୍ରିୟା ଅଟକି ରହିଥିବାରୁ ବ୍ୟାସନଗର ବିକାଶରେ ବ୍ରେକ ଲାଗିଛି । ଗ୍ରିଭାନ୍ସର ଫଇସଲା ହୋଇପାରୁନି କି ବିକାଶର ବାଟ ଫିଟୁନି । ଅଧ୍ୟକ୍ଷଙ୍କ ଠାରୁ ପାରିଷଦ ପର୍ଯ୍ୟନ୍ତ ପୈାର ନିର୍ବାହୀ ଅଧିକାରୀ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ଫଳଶୂନ । ଦିନ ଗଡ଼ିବା ଭିତରେ ଜିଲ୍ଲାପାଳଙ୍କ ବି ବଦଳି ହୋଇଗଲାଣି । ନିର୍ବାହୀ ଅଧିକାରୀ ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଲେଣି । ହେଲେ ଟେଣ୍ଡର କାର୍ଯ୍ୟକାରୀ ହୋଇପାରୁନି । ଯାହାକୁ ନେଇ ଅସନ୍ତୁଷ୍ଟ ଅଧ୍ୟକ୍ଷ ଏବଂ ପାରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଅଧ୍ୟକ୍ଷ ସୁବାସ ବଳଙ୍କ ସହ ପାରିଷଦ ବିଜୟ କୁମାର ଜେନା, ଶିବାନନ୍ଦ ନାୟକ, କୁନି ହାସଁଦା, ବୁଦୁନୀ ଦରାଇ, ମୋନାଲିସା ସାହୁ, ଅରୁନ୍ଧତୀ ପରିଡ଼ା, ସିଦ୍ଧାର୍ଥ ଶଙ୍କର ସାମଲ, ଅନ୍ନପୂର୍ଣ୍ଣା ତରାଇ, ସରୋଜୀନୀ ନାୟକ, ସରିତା ଜେନା, ରଶ୍ମିତା ଖୁଣ୍ଟିଆ, ଉର୍ମିଳା ପରିଡ଼ା, ସୁଜାତା ପ୍ରୀୟଦର୍ଶନୀ ପରିଡ଼ା, ରବିନ୍ଦ୍ର ରାଉତ୍, ସରୋଜୀନୀ ନାୟକ, ଦିଲୀପ ସେଠୀ, ଅଶୋକ ଦାସ, ସନ୍ତୋଷ ବରାଳ, ପାର୍ଥସାରଥି ନାୟକ ପ୍ରମୂଖ ନିର୍ବାହୀ ଅଧିକାରୀଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି କି ତା୨୬ା୬ା୨୫ରେ ଟେଣ୍ଡର ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା । ସେତେ ବେଳେ ସପ୍ତାହ ଭିତରେ ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ ହେବାର ପ୍ରତିଶ୍ରୁତି ମିଳିଥିଲା । ହେଲେ ଇତିମଧ୍ୟରେ ମାସେ ହୋଇଯାଇଥିଲେ ବି ଟେଣ୍ଡର ଉପରେ କୈାଣସି ନିଷ୍ପତି ନିଆଯାଉନି । କାଉନସିଲ ବୈଠକରେ ପାରିତ ଟେଣ୍ଡରକୁ କାର୍ଯ୍ୟକାରୀ ନକରିବା ଫଳରେ ବ୍ୟାସନଗର ବିକାଶ ଅଟକି ରହିଛି । ପ୍ରଶାସନିକ କଳର ଦୋ’ପାଞ୍ଚନୀତି ନଗରବାସୀଙ୍କ ପାଇଁ କାଳ ହେଉଛି । ବିକାଶ କଥା କୁହାଯାଉଥିବା ବେଳେ କିଏ ଏବଂ କାହିଁକି ବିକାଶରେ ପ୍ରତିବନ୍ଧକ ସାଜୁଛି ,ତାହାକୁ ନେଇ ଅଧ୍ୟକ୍ଷ ଏବଂ ପାରିଷଦ ପ୍ରଶ୍ନ ଉଠାଇଥିବା ବେଳେ ଯଦି ଶନିବାର ସୁଦ୍ଧା ଟେଣ୍ଡର କାର୍ଯ୍ୟକାରୀ ନହୁଏ, ତେବେ ସୋମବାରରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଲିଖିତ ଭାବେ ଦେଇଥିବା ଦାବିପତ୍ର ମାଧ୍ୟମରେ ଚେତାବନୀ ଦେଇଛନ୍ତି । ଯାହାର ନକଲ କପି ଜିଲାପାଳ, ପ୍ରକଳ୍ପ ନିଦେ୍ର୍ଦଶକ, ଏସପି, ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।