ଦଖଲ ହେଉଛି ରାଜରାସ୍ତା : ଅଣାୟତ୍ତ ହେଉଛି ଟ୍ରାଫିକ ସମସ୍ୟା

ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକ ଶିଳ୍ପ ସାମ୍ରାଜ୍ୟରେ ନିଜର କଳେବର ବୃଦ୍ଧି କରିବାକୁ ଆରମ୍ଭ କରିଥିବା ବେଳେ ରାସ୍ତାଘାଟରେ ଟ୍ରାଫିକ ସମସ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ରାସ୍ତା ଗୁଡିକୁ ଦୋକାନୀ  ମାଡି ଆସି ସଂକୁଚିତ କରୁଥିବା ବେଳେ ସନ୍ଧ୍ୟା ସମୟରେ ରାସ୍ତାପାର୍ଶ୍ୱରେ ଆଲୋକର ବ୍ୟବସ୍ଥା ନ ଥିବାରୁ ଅନ୍ଧାରରେ ଭିଡ଼ ଅଣାୟତ୍ତ ହେଉଛି । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଦାନଗଦୀ ମିଲିଟାରୀ ଛକରୁ ଯଖପୁରା, ମାନତିରା, ପଙ୍କପାଳ, ବଙ୍ଗଳା ଛକ, ଡ଼ୁବୁରୀ, ସାରଙ୍ଗପୁର ଦେଇ ସିଙ୍ଗାଗାଡ଼ିଆ ଦାନଗଦୀ ବଜାର ପର୍ଯ୍ୟନ୍ତ ରାଜରାସ୍ତା ଗୁଡିକ ଏପରି ଭିଡ଼ ହେଉଛି ଯାହା ନିୟନ୍ତ୍ରଣ ବାହାରେ । ଏସବୁ ରାସ୍ତାରେ ଦୈନିକ ହଜାର ହଜାର ବାଇକ, ଭାରିଯାନ, ଚାରି ଚକିଆ ଓ ହଜାରରୁ ଉର୍ଦ୍ଧ ବିଭିନ୍ନ କମ୍ପାନୀର ବସ ଯାତାୟାତ କରେ । ଦିନରାତି ୨୪ଘଣ୍ଟା ଧୂଳି, ଧୂଆଁ ଓ ଶବ୍ଦ ପ୍ରଦୂଷଣରେ ଫାଟି ପଡୁଛି ଏ ଅଂଚଳ । କାରଖାନାର ଛୁଟି ସମୟରେ ନାହିଁ ନ ଥିବା ଭିଡ଼ । ଏହି ରାସ୍ତା ସବୁ ଅତିକ୍ରମ କରିବା ପାଇଁ ଘଂଟା ଘଂଟା ସମୟ ଲାଗୁଛି । ଆଉ ଏ ଭିଡ଼କୁ ଆହୁରି ବଢ଼ାଇ ଦେଉଛନ୍ତି ରାସ୍ତା କଡ଼ରେ ବସିଥିବା ଉଠା ଦୋକାନୀ । ସିଙ୍ଗାଗାଡ଼ିଆ ଛକରେ ଫଳ ଦୋକାନ, ପରିବା ଦୋକାନ, ଗୁପଚୁପ, ମାଛ, ମାଂସ ଦୋକାନ ପିଚୁ ରାସ୍ତାକୁ ମାଡ଼ି ବସିଛଛନ୍ତି । ରାସ୍ତା ଉପରକୁ ଧୀରେ ଧୀରେ ମାଡି ଆସି କବଜା କରିନେଉଥିଲେ ହେଁ କାହାର ନଜର ପଡ଼ୁନି । ଗ୍ରାହକ ମାନେ ଦୁଇ ଚକିଆ ଓ ଚାରି ଚକିଆ ଗାଡିଗୁଡିକୁ ରାସ୍ତା ଉପରେ ରଖିଦେଇ କିଣା କିଣି କରିବା ସମୟରେ ରାସ୍ତା ଉପରେ ଗାଡ଼ି ଯିବା କାଠିକର ବ୍ୟାପାର ହୋଇପଡ଼ୁଛି । ବାକି ରାସ୍ତାଥିବା ରାସ୍ତା ଗୋରୁ ଗାଈ ଓ କୁକୁରଙ୍କ କବାଜାରେ ରହୁଛି । ସେହିପରି ମିଲିଟାରୀ ଛକରେ ଥିବା ମାଛ ମାର୍କେଟ ବ୍ୟସ୍ତ ବହୁଳ ଗୋଲେଇ ଛକର ଟ୍ରାଫିକ ସମସ୍ୟାକୁ ଜଟିଳ କରୁଛି । ଅନୁରୂପ ଭାବେ ସାରଙ୍ଗପୁର ହାଟ ପାଇଁ ନୀଳାଚଳ କାରଖାନା ସମ୍ମୁଖ ଡ଼ୁବୁରୀ ରାସ୍ତାରେ ଗାଡ଼ିଯିବା ସହଜ ହେଉନି । ଜିନ୍ଦଲ କାରଖାନାର ସମ୍ମୁଖରେ ବାଇକ ଗୁଡିକ ଧୀରେଧୀରେ ରାସ୍ତା ପାର୍ଶ୍ୱରେ ପାର୍କିଂ କରୁଥିବା ଦେଖିବାକୁ ମିଳୁଛି । ବିଆରପିଏଲ ଗୋଲେଇ ଛକରେ ବଡ଼ବଡ଼ ଭାରୀ ଯାନ ଗୁଡିକ ରାସ୍ତାକୁ ଅଧିକାଂଶ ସମୟରେ ଦଖଲ କରି ରଖୁଛନ୍ତି । ରାବଣା ଚାରି ଛକରେ ମଧ୍ୟ କୌଣସି ଟ୍ରାଫିକ ସୂଚନା ନାହିଁ, ତେଲିବାହାଳୀ ଛକରୁ ଭିସା କାରଖାନା ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମିକି ରହୁଛି ଓ ଗାଡି ଗୁଡିକର ନାହିଁ ନଥିବା ଭିଡ଼ ହେଉଛି । ଡ଼ୁବୁରୀରୁ ବଙ୍ଗଳା ରାସ୍ତା କାମ କଚ୍ଛପ ଗତିରେ ଚାଲୁଥିବାରୁ ସେ ରାସ୍ତାରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖାଯାଉଛି । ଗୁରୁବାର ଡ଼ୁବୁରୀ ହାଟବାର ଦିନ ଅସମ୍ଭବ ଭିଡ଼ ହେଉଛି । ଦାନଗଦୀ ବ୍ଲକକୁ ଲାଗି ଏକ ବିରାଟ ହାଣ୍ଡିଆ, ମଦ ଓ ଗଞ୍ଜେଇ ହାଟ. ସୋମବାର ଓ ଶୁକ୍ରବାର ହାଟ ପାଳି ଦିନ ଶହ ଶହ ବାଇକ ପାର୍କିଂ କାରଣରୁ ଟ୍ରାଫିକ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନପଡ଼ିବା ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।