ପାହାଡ଼ି ଗ୍ୟାଙ୍ଗକୁ ଧରିଲା ପୁଲିସ୍

ଭୁବନେଶ୍ୱର:  ଝାରଖଣ୍ଡରୁ ଆସି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲି ଲୋକଙ୍କ ଦାମୀ ମୋବାଇଲ ଲୁଟ୍ କରନ୍ତି  । ତା’ପରେ ସବୁ ଠୁଳ କରି ବାହାର ରାଜ୍ୟକୁ ଚାଲିଯାଆନ୍ତି  । ମୋବାଇଲ୍ ଲୁଟ କରୁଥିବା ଏହି ପାହାଡ଼ି ଗ୍ୟାଙ୍ଗ ଆଜି କିନ୍ତୁ କମିଶନରେଟ ପୁଲିସ ଜାଲରେ ପଡ଼ିଯାଇଛି  । କୋଟିଏ ଟଙ୍କାର ୬୦ରୁ ଅଧିକ ମୋବାଇଲ ନେଇ ସେମାନେ ଟ୍ରେନ୍ରେ ପଳାଇଯିବାକୁ ଯୋଜନା କରିଥିବାବେଳେ କ୍ୟାପିଟାଲ ଥାନା ପୁଲିସ୍ ତାହା ପଣ୍ଡ କରିଦେଇଛି  । ୨ ନାବାଳକ ସହ ୫ ଲୁଟେରାଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ଠାରୁ ଦାମୀ ମୋବାଇଲ୍, ବିମାନ ଓ ଟ୍ରେନ୍ ଟିକେଟ୍, ହୋଟେଲ ବିଲ ମଧ୍ୟ ଜବତ କରାଯାଇଛି  ।
ଗିରଫ ଅଭିଯୁକ୍ତ ହେଲେ, ଝାରଖଣ୍ଡର ଏମଡ଼ି ଜାମଲ ସେଖ୍, ସିବ୍ କୁମାର ମୋହତା, ଅମରନାଥ ମୋହତା ଓ ୨ ଜଣ ନାବାଳକ  । ଅନ୍ୟପଟେ ଏହି ଚୋରା ମୋବାଇଲ ମାଲିକଙ୍କ ତାଲିକା ବାହାର କରାଯାଇ ଡିସିପି ନିଜେ ମୋବାଇଲ ମାଲିକମାନଙ୍କୁ ସେମାନଙ୍କ ମୋବାଇଲ ହସ୍ତାନ୍ତର କରିଛନ୍ତି । ଏନେଇ ଡିସିପି ଜଗମୋହନ ମୀନା କହିଛନ୍ତିଯେ, ଝାରଖଣ୍ଡର ପାହାଡି ଗ୍ୟାଙ୍ଗ ଧରାପଡ଼ିବା ପରେ ଲୋକେ ଶାନ୍ତିରେ ଦୁର୍ଗାପୂଜା ବୁଲି ଦେଖିପାରିବେ  । ଯାହାକି କମିଶନରେଟ୍ ପୁଲିସ ପାଇଁ ପୂଜା ପୂର୍ବରୁ ଏକ ବଡ଼ ସଫଳତା  । 
ରାଜଧାନୀରେ ଗତ କିଛିଦିନ ହେବ ଝାଡଖଣ୍ଡର ଏହି ୫ ଜଣିଆ ପାହାଡ଼ି ଗ୍ୟାଙ୍ଗ୍ ଆସି ହୋଟେଲରେ ଡେରା ପକାଇଥିଲେ  । ବିଭିନ୍ନ ଅଞ୍ଚଳ ବୁଲି ମୋବାଇଲ ଲୁଟ୍ କରିବା ସହ ମୋବାଇଲରୁ ସିମ ବାହାର କରି ମୋବାଇଲ ଠୁଳ କରି ରଖୁଥିଲେ  । ଏହି ଭିତରେ ପାହାଡ଼ି ଗ୍ୟାଙ୍ଗ ୫ଟି ବ୍ୟାଗରେ ୬୦ରୁ ଅଧିକ ଚୋରା ମୋବାଇଲ ଏକାଠି କରି ଶୁକ୍ରବାର ରାତିରେ ଝାରଖଣ୍ଡ ଫେରାର ହେବା ପାଇଁ ଷ୍ଟେସନ ଯାଉଥିଲେ  । ଏହି ସମୟରେ କ୍ୟାପିଟାଲ ଥାନାଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନାର ଏକ ଟିମ ସହ ଷ୍ଟେସନ ଅଞ୍ଚଳରେ ସାଦା ପୋଷାକରେ ଚଢ଼ାଉ କରି ୫ ଜଣଙ୍କୁ କାବୁ କରିଥିଲେ  । ପରେ ସେମାନଙ୍କ ତଲାସି ବେଳେ, ୫ଟି ବ୍ୟାଗରୁ ୬୦ରୁ ଅଧିକ ଚୋରା ମୋବାଇଲ ବାହାରିଥିଲା । ସେମାନେ ଏହାର କାଗଜପତ୍ର ଦେଖାଇ ପାରିନଥିଲେ  । ପରେ ସମସ୍ତଙ୍କୁ ଥାନାକୁ ନେଇ ପଚରାଉଚରା ବେଳେ ଜଣାପଡ଼ିଥିଲା, ଏମାନେ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗ୍ ।