ପୁଣି ଆତ୍ମସମର୍ପଣ କଲେ ୪୧ ମାଓବାଦୀ : ୩୨ ଜଣଙ୍କ ମୁଣ୍ଡରେ ଥିଲା ୧ କୋଟି ପୁରସ୍କାର

ପୁଣି ଆତ୍ମସମର୍ପଣ କଲେ ୪୧ ମାଓବାଦୀ : ୩୨ ଜଣଙ୍କ ମୁଣ୍ଡରେ ଥିଲା ୧ କୋଟି ପୁରସ୍କାର

ବିଜାପୁର : ଛତିଶଗଡରେ ଭୁଶୁଡିବାରେ ଲାଗିଛି ଲାଲ ଗଡ । ଗୃହମନ୍ତ୍ରୀ ଅମିତ ଶାହଙ୍କ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଦେଶ ମାଓ ମୁକ୍ତ ହେବ ବୋଲି ବାରମ୍ବାର ଘୋଷଣା ପରେ ଲାଲ ବାହିନୀରେ ଦେଖା ଦେଇଛି ଆତଙ୍କ । ନିଜ ଜୀବନ ବଞ୍ଚାଇବା ପାଇଁ ଏବେ ତତ୍ପର ହୋଇ ଉଠିଛନ୍ତି ମାଓବାଦୀ । ସୁବିଧା ସୁଯୋଗ ଦେଖି ଆତ୍ମସମର୍ପଣ କରିବାରେ ଲାଗିଛନ୍ତି । ଏହି ଧାରାରେ ଆଜି ବିଜାପୁର ଜିଲ୍ଲାରେ ୪୧ଜଣ ମାଓବାଦୀ ଅସ୍ତ୍ର ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୁଣ୍ଡରେ ସାମୂହିକ ଭାବରେ ୧.୧୯ କୋଟି ଟଙ୍କା ପୁରସ୍କାର ଥିଲା ବୋଲି ଅଧିକାରୀମାନେ କହିଛନ୍ତି ।


    ସରକାରଙ୍କ ନୂତନ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଏବଂ "ପୁନା ମାର୍ଗମ’ (ବସ୍ତର ରେଞ୍ଜ ପୁଲିସର ସାମାଜିକ ପୁନଃସଂଯୋଗ ଅଭିଯାନ ପାଇଁ ପୁନର୍ବାସ) ଦ୍ୱାରା ପ୍ରଭାବିତ ହୋଇ ୧୨ ଜଣ ମହିଳା ସମେତ କ୍ୟାଡରମାନେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ବିଜାପୁର ପୁଲିସ ଅଧୀକ୍ଷକ ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି । ସେମାନଙ୍କ ମଧ୍ୟରେ ୪ଜଣ ପିଏଲଜିଏ (ପିପୁଲ୍ସ ଲିବରେସନ ଗରିଲା ଆର୍ମି) ବାଟାଲିୟନ ନମ୍ବର ୧ ଏବଂ ମାଓବାଦୀଙ୍କ ବିଭିନ୍ନ କମ୍ପାନୀର ସଦସ୍ୟ, କ୍ଷେତ୍ର କମିଟିର ୩ ଜଣ, ୧୧ ପ୍ଲାଟୁନ୍‌ ଏବଂ କ୍ଷେତ୍ର କମିଟି ପାର୍ଟି ସଦସ୍ୟ, ଦୁଇ ଜଣ ପିଏଲଜିଏ   ସଦସ୍ୟ, ୪ ଜଣ ମିଲିସିଆ ପ୍ଲାଟୁନ୍‌ କମାଣ୍ଡର, ଜଣେ ଡେପୁଟି କମାଣ୍ଡର, ୬ ଜଣ ମିଲିସିଆ ପ୍ଲାଟୁନ୍‌ ସଦସ୍ୟ ଏବଂ ଅବଶିଷ୍ଟମାନେ ନିଷିଦ୍ଧ ସିପିଆଇ (ମାଓବାଦୀ)ର ଆଗଧାଡ଼ିର ସଂଗଠକ ଥିଲେ ।


     ଏହି ୪୧ ଜଣ କ୍ୟାଡରଙ୍କ ମଧ୍ୟରୁ ୩୯ ଜଣ ମାଓବାଦୀଙ୍କ ଦକ୍ଷିଣ ଉପ-ଜୋନାଲ୍‌ ବ୍ୟୁରୋର ଥିଲେ । ସେମାନେ ସମସ୍ତେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ୍‌ କମିଟି, ତେଲେଙ୍ଗାନା ରାଜ୍ୟ କମିଟି ଏବଂ ନିଷିଦ୍ଧ ସଂଗଠନ ଧମତାରି-ଗରିଆବନ୍ଦ-ନୂଆପଡ଼ା ଡିଭିଜନ ସହିତ ଜଡିତ ଥିଲେ । ପୁନର୍ବାସ ନୀତି ଅନୁଯାୟୀ ପ୍ରତ୍ୟେକ କ୍ୟାଡରକୁ ପ୍ରୋତ୍ସାହନ ସ୍ୱରୂପ ୫୦,୦୦୦ ଟଙ୍କା ତୁରନ୍ତ ଆର୍ଥିକ ସହାୟତା ଦିଆଯାଇଥିଲା ବୋଲି ସେ କହିଛନ୍ତି । ଏହି ଆତ୍ମସମର୍ପଣ ସହିତ ୨୦୨୪ ଜାନୁଆରି ପରଠାରୁ ଜିଲ୍ଲାରେ ମୋଟ ୭୯୦ ଜଣ ମାଓ କ୍ୟାଡର ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କହିଛନ୍ତି ଏସପି । ଏହି ସମୟ ମଧ୍ୟରେ ପୃଥକ ଏନକାଉଣ୍ଟରରେ ୨୦୨ ଜଣଙ୍କୁ ହତ୍ୟା କରାଯାଇଛି ଏବଂ ଜିଲ୍ଲାରେ ୧,୦୩୧ ଜଣ କ୍ୟାଡରଙ୍କୁ ଗିରଫ କରାଯାଇଛି । ଗତ ୨୩ ମାସ ମଧ୍ୟରେ ଛତିଶଗଡ଼ରେ ଶୀର୍ଷ କ୍ୟାଡରଙ୍କ ସମେତ ୨,୨୦୦ ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।