ପୁଣି ଆସୁଛି ଲଘୁଚାପ

 ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ରହିଛି  । ପଶ୍ଚିମ-କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ବି ଅଛି  । ସେପଟେ ଟ୍ରପିକାଲ ସାଇକ୍ଳୋନ୍ ‘ଉଇଫା’ର ଅବଶିଷ୍ଟାଂଶ ଏକ ଘୂର୍ଣ୍ଣିବଳୟ ଭାବେ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବାର ସମ୍ଭାବନା ଅଛି  । ଯାହାର ପ୍ରଭାବରେ ଆଉ ଏକ ଲଘୁଚାପ ସୃଷ୍ଟିହେବ  । ଫଳରେ ଆସନ୍ତା ୨୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି  । 
ଆସନ୍ତାକାଲି ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି  । ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି  । ତେଣୁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି  । ସେହିପରି ସୁନ୍ଦରଗଡ଼, ଦେଓଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳର ଗୋଟିଏ ଦୁଇଟି ସ୍ଥାନରେ ୩୦ରୁ ୪୦ କିମି ବେଗରେ ଝଟକା ପବନ ସହ ପ୍ରବଳ ବର୍ଷାର ସମ୍ଭାବନା ଅଛି  । ଏହାଛଡ଼ା କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ପବନ ସହ ବଜ୍ରପାତର ସମ୍ଭାବନା ଥିବାରୁ ସେହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  ।
ଅପରପକ୍ଷରେ ଆସନ୍ତା ୨୫ରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ  । ବିଶେଷକରି ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଥିବାରୁ ରେଡ଼ ୱାର୍ଣ୍ଣିଂ ଜାରିହୋଇଛି  । ଯେତେବେଳେକି ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଏବଂ ବରଗଡ଼, କଟକ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, ସୋନପୁର, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  ।