ମୁଖ୍ୟମନ୍ତ୍ରୀ ନେଲେ ୯ ନିଷ୍ପତ୍ତି, ଜାଣନ୍ତୁ କ’ଣ କ’ଣ ?

Mohan Charan Majhi

ମୁଖ୍ୟମନ୍ତ୍ରୀ ନେଲେ ୯ ନିଷ୍ପତ୍ତି, ଜାଣନ୍ତୁ କ’ଣ କ’ଣ ?

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବ ଉପରେ  ଆଲୋଚନା ହୋଇ ଅନୁମୋଦନ ମିଳିଛି  । ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନ ସଭାର ୨ୟ ଅଧିବେଶନର ସତ୍ରାବସାନ ସଂପର୍କିତ ଥିଲା  । ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏନେଇ ଗଣମାଧ୍ୟମକୁ ଅବଗତ କରାଇଥିଲେ  ।

ଜାନୁଆରୀରୁ ଭତ୍ତା ୩୫ ଶହ
ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତଦୁଦ୍ଧ୍ୱର୍ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁଦ୍ଧ୍ୱର୍ ଭିନ୍ନକ୍ଷମତା ଥିବା ଭତ୍ତା ହିତାଧିକାରୀମାନଙ୍କ ଭତ୍ତା ରାଶିକୁ ୩୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି  । ଏହାକୁ ଜାନୁଆରୀ ୨୦୨୫ ମାସରୁ ଲାଗୁ କରାଯିବ  ।

ମାର୍ଚ୍ଚ ୩୧ ଯାଏଁ ସୁଭଦ୍ରା ଆବେଦନ
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ ୩୧କୁ ସୁଭଦ୍ରା ଆବେଦନର ଶେଷ ତାରିଖ ବୋଲି ଧାର୍ଯ୍ୟ କରାଯାଇଛି  ।   ଏଯାଏଁ ୧ କୋଟି ୬ ଲକ୍ଷରୁ ଉଦ୍ଧ୍ୱର୍ ମହିଳାଙ୍କ ଆବେଦନ ପଞ୍ଜୀକୃତ ହୋଇଛି  । ଅପରପକ୍ଷରେ ୮୦ ଲକ୍ଷ ୨୯ ହଜାର ୭୪୧ ମହିଳାଙ୍କୁ ପ୍ରଥମ କିସ୍ତିର ୫ ହଜାର ଟଙ୍କା ବିତରଣ କରାଯାଇଛି  । ଅବଶିଷ୍ଟ ଆବେଦନର ଯାଞ୍ଚ ଚାଲିଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଜାନୁଆରୀରେ ପ୍ରଥମ କିସ୍ତି ମିଳିବ  । ଏହି ଯୋଜନାରେ ୫ ବର୍ଷ ପାଇଁ ୫୫୮୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  ।

ଏମକେୟୁୱାଇ ପାଇଁ ୮୭୪ କୋଟି
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ୮୭୪ କୋଟି ୧୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରାଯାଇଛି  । ୨୦୨୧-୨୨ରୁ ୨୦୨୫-୩୬ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଖର୍ଚ୍ଚ ଅଟକଳ ଅନୁମୋଦିତ ହୋଇଛି  । ଯାହା କୃଷି ଉଦ୍ୟୋଗୀମାନଙ୍କୁ ସବସିଡ଼ି ପ୍ରଦାନରେ ସହାୟକ ହୋଇପାରିବ  । 

ଯୋଗାଣ ନିଗମକୁ ୧୭୫୦୦ କୋଟିର ଗ୍ୟାରେଣ୍ଟି
ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଦ୍ୱାରା ଆଗାମୀ ୫ ବର୍ଷ ପାଇଁ ନିଆଯିବାକୁ ଥିବା ନୂତନ ଋଣ ପାଇଁ ୧୭୫୦୦ କୋଟି ଟଙ୍କାର ସରକାରୀ ଗ୍ୟାରେଣ୍ଟିକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ସେହିପରି ଗ୍ୟାରେଣ୍ଟି କମିଶନ ଦେୟ ୪୩୭ କୋଟି ୫୦ ଲକ୍ଷ ଟଙ୍କା ଛାଡ଼ କରିବାକୁ ବି ନିଷ୍ପତ୍ତି ନିଆଯାଇଛି  । 

ସଂଶୋଧିତ ହେବ ଖଣି ବିଭାଗର ନିୟମାବଳୀ
ଇସ୍ପାତ ଓ ଖଣି ବିଭାଗର କାର୍ଯ୍ୟାବଳୀରେ ବିଗତ ଦିନରେ ଅନେକ ପରିବର୍ତ୍ତନ ହୋଇଛି  । ତେଣୁ ବିଭାଗର ଅନୁସୂଚୀରେ ସଂଶୋଧନ କରାଯିବାର ଆବଶ୍ୟକତା ଅଛି  । ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି  । ରାଜସ୍ୱ ବିଭାଗରୁ ସଇରାତ ବ୍ୟତୀତ ଲଘୁ ଖଣିଜ ପଦାର୍ଥର ପରିଚାଳନା ଓ ପ୍ରଶାସନ ଏହି ବିଭାଗକୁ ସ୍ଥାନାନ୍ତରଣ, ଖଣିଜ ସମ୍ପଦର ସର୍ବେକ୍ଷଣ, ଖଣିଜ ବ୍ଳକର ନିଲାମ, ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଲଘୁ ଖଣିଜ ନିର୍ଦ୍ଦେଶାଳୟ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ହୋଇଛି  । ତେଣୁ ଏନେଇ ଇସ୍ପାତ ଓ ଖଣି ବିଭାଗର ନିୟମାବଳୀରେ କେତେକ ସଂଶୋଧନ କରାଯିବ  ।

ଓଏସଆଣ୍ଡଇଏସ ଓ ଓଏସଏସ ଆଣ୍ଡ ଇଏସ କ୍ୟାଡ଼ରର ପୁନର୍ଗଠନ
ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ ‘ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ସେବା ବର୍ଗ (ଓଏସଆଣ୍ଡଇଏସ କ୍ୟାଡ଼ର) ଏବଂ ‘ଓଡ଼ିଶା ଅଧସ୍ଥନ ଅର୍ଥନୀତି ଓ ପରିସଂଖ୍ୟାନ ସେବା ବର୍ଗର’ ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି  । ଫଳରେ ସହକାରୀ ନିର୍ଦ୍ଦେଶକ ପଦବୀ ସଂଖ୍ୟା ୮୧ରୁ ୧୦୯କୁ ବୃଦ୍ଧି କରାଯାଇଥିବାବେଳେ ପରିସଂଖ୍ୟାନ ଅଧିକାରୀ ପଦବୀ ସଂଖ୍ୟା ୧୭୨ରୁ ୧୫୫କୁ ହ୍ରାସ କରାଯାଇଛି  । 

ପିଏମଏସଜି ପାଇଁ ୧୮ ଶହ କୋଟି
ଛାତ ଉପରେ ସୌର ପ୍ରକଳ୍ପ କ୍ଷମତାକୁ ବୃଦ୍ଧି ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର : ମୁଫ୍‌ତ ବିଜୁଳି ଯୋଜନା ପ୍ରଣୟନ କରିଛନ୍ତି  । ଏହି ଯୋଜନାରେ ଘର ପିଛା ସର୍ବାଧିକ ୩ କିଲୋୱାଟ କ୍ଷମତା ସମ୍ପନ୍ନ ରୁଫ ଟଫ ସୌର ପ୍ରକଳ୍ପ ନିମନ୍ତେ କିଲୋୱାଟ ପିଛା ୨୫ ହଜାର ଟଙ୍କା ହିସାବରେ ୨ କିଲୋୱାଟ୍‌ ପର୍ଯ୍ୟନ୍ତ ଓ ତୃତୀୟ କିଲୋୱାଟ୍‌ ପାଇଁ ଆଉ ୧୦ ହଜାର ଟଙ୍କାର ଅତିରିକ୍ତ ସବସିଡ଼ି ପ୍ରଦାନ କରିବେ  । ଏହି ଯୋଜନା ପାଇଁ ୨୦୨୪-୨୫ରୁ ୨୦୨୬-୨୭ ମଧ୍ୟରେ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ ହେବ  । ରାଜ୍ୟର ପ୍ରାୟ ୩ ଲକ୍ଷ ଘରୋଇ ବିଜୁଳି ଉପଭୋକ୍ତା ଏହାଦ୍ୱାରା ଲାଭବାନ ହେବେ  ।