ପୁଣି କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ
ନୀଳଗିରି : କୁଲଡ଼ିହା ଅଭୟାରଣ୍ୟ ହାତୀ ପାଇଁ ପ୍ରସିଦ୍ଧ ଲାଭ କରିଥିବା ବେଳେ କୁଲଡ଼ିହା ରେଞ୍ଜ ଅଧିକାରୀଙ୍କ ପାଇଁ ହାତୀ ବଂଶ ଲୋପ ହୋଇଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ବାରମ୍ବାର ହାତୀ ମୃତ୍ୟୁ ସାଙ୍ଗକୁ ଶିକାରୀ ମାନେ ଦନ୍ତା ଶିକାର କରି ଦନ୍ତା କାଢ଼ିନେବା ଘଟଣା ଘଟୁଥିବା ବେଳେ ଅଭୟାରଣ୍ୟରେ ହାତୀ ମୃତ୍ୟୁକୁ ରୋକ ଦେଇ ନପାରିବାରୁ କୁଲଡ଼ିହା ରେଞ୍ଜ ଅଧିକାରୀଙ୍କ ପାରିବା ପାଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୁଲଡ଼ିହା ଅଭୟାରଣ୍ୟ ଭିତରେ ବନକର୍ମଚାରୀ ମାନେ ପାଦରେ ଚାଲିଚାଲି ପେଟ୍ରୋଲିଂ କରିବା ଏକ ପ୍ରୋହସନ ପାଲଟିଥିବାର କୁହାଯାଉଛି । ବନ ବିଭାଗର କଡା ସୁରକ୍ଷାକୁ ଭେଦ କରି ଅଭୟାରଣ୍ୟ ଭିତରେ ଶିକାରୀ ମାନେ ଦନ୍ତା ହାତୀ ଶିକାର କରି ଦନ୍ତା କାଢ଼ିନେବ ସହିତ ଜଙ୍ଗଲି ଜନ୍ତୁ ଶିକାର କରି ତାର ମାଂସକୁ ବାହାରକୁ ଚାଲାଣ କରୁଥିବାରୁ ଅଭୟାରଣ୍ୟରେ ଜଙ୍ଗଲି ଜନ୍ତୁ ସଂଖ୍ୟା ଧୀରେ ଧୀରେ କମିବାକୁ ବସିଲାଣି ।
କିଛି ଦିନ ପୂର୍ବରୁ ଦନ୍ତା ହାତୀ ମରିଥିବା ବେଳେ ପୁଣି ଏକ ମାଇ ହାତୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାକୁ କୁଲଡ଼ିହା ବନ ବିଭାଗ ଲୁଚାଇବା ଚେଷ୍ଟା କରିଥିବା ବେଳେ ଆଜି ଅଭୟାରଣ୍ୟର ବାବନ୍ଧ ଫରେଷ୍ଟ ବିଟର ପାହାଡ ଉପରେ ହାତୀଟି ୫/୬ ଦିନ ପୂର୍ବରୁ ମରି ପଡ଼ିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ବନ୍ୟଜନ୍ତୁ ସୁରକ୍ଷା ପ୍ୟାଟ୍ରୋଲିଂ ଫେଲ ମାରିଥିବା ଜଣାପଡିଛି । ସୁଚନା କୁଲଡ଼ିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ସେକ୍ସନ ବାବନ୍ଧ ବିଟ ପାର୍ବତୀ କୁଣ୍ଡନାଳ ନିକଟରେ ହାତୀଟି ଚତୁରୀ ଉପରେ ମରି ପଡିଥିବା ରବିବାର ପୂର୍ବାହ୍ନରେ ବନ କର୍ମଚାରୀ ମାନେ ପ୍ୟାଟ୍ରୋଲିଂ ବେଳେ ଦେଖିବାକୁ ପାଇଥିଲେ । ବନ ବିଭାଗ ବାଲେଶ୍ୱର ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଏ.ସି.ଏଫ୍ ତଟିନି ସେଠି, କୁଲଡିହା ରେଞ୍ଜର ସୁବ୍ରତ୍ କୁମାର ବେହେରା, ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ପାହାଡ଼ ଉପରକୁ ଯାଇ ଘଟଣାସ୍ଥଳରେ ପହଞ୍ଚି ହାତୀର ଗଳିତ ଶବ ଦେଖି ହାତୀ ମୃତ୍ୟୁର ପ୍ରାଥମିକ ତଦନ୍ତ କରିଥିଲେ । ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ଘଟଣା ପ୍ରକୃତିପ୍ରେମୀ ଓ ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି ।