ପୁଣି ନିଜକୁ ଚଳଚିତ୍ର ପ୍ରଯୋଜକ କହୁଥିବା ସୀତାଂଶୁ ଗିରଫ
ଭୁବନେଶ୍ୱର, ୪ା୫ : ରାଜଧାନୀର ବିଭିନ୍ନ ଥାନାରେ ବିଭିନ୍ନ ମାମଲା ରହିଥିବା କେନ୍ଦ୍ରପଡ଼ା ଜିଲ୍ଲା କରିଲୋ ପାଟଣାର କୁଖ୍ୟାତ ଠକ ସୀତାଂଶୁ ମହାନ୍ତି ଗିରଫ । ସେ ନିଜକୁ ଜଣେ ଚଳଚିତ୍ର ପ୍ରଯୋଜକ କହି ଗଣମାଧ୍ୟମ ସାମ୍ନାରେ ଅନ୍ୟ ଚଳଚିତ୍ର ପ୍ରଯୋଜକଙ୍କ ନାମରେ ବିବାଦୀୟ ମନ୍ତବ୍ୟ ଦେଇ ସୀତାଂଶୁ ଚର୍ଚ୍ଚାରେ ଆସୁଥିଲା ସେପଟେ ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲ ଯାଉଥିଲା । ଏଥର ପୁଣି ମିଥ୍ୟା କଥା କହି ବିବାହ କରିଥିବା ଓ ଯୌତୁକ ଆକାରରେ ମିଳିଥିବା ସୁନା, ରୂପା ଓ ଘରୋଇ ସାମଗ୍ରୀକୁ ବିକ୍ରି କରି ସ୍ତ୍ରୀକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଗିରଫ କରିଛି ଧଉଳି ଥାନା ପୁଲିସ ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଜଣଙ୍କ ଅଭିଯୁକ୍ତ ସୀତାଂଶୁକୁ ଗତ ୧୮.୬.୨୦୨୨ ରିଖରେ ହିନ୍ଦୁ ରୀତିନୀତି ଅନୁଯାଇ ପରିବାର ସମ୍ନତି କ୍ରମେ ବିବାହ କରିଥିଲେ । ବିବାହ ସମୟରେ ଅଭିଯୁକ୍ତ ସୀତାଂଶୁ ଅଭିଯୋଗକାରିଣୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ନିଜକୁ ଜଣେ ଚଳଚିତ୍ର ପ୍ରଯୋଜକ ଭାବେ ପରିଚୟ ଦେଇଥିବା ବେଳେ ତାଙ୍କର ଭୁବନେଶ୍ୱରରେ ବଡ଼ ଟେଣ୍ଟ ହାଉସ ବ୍ୟବସାୟ ଥିବାର ଜଣାଇଥିଲେ । ବିବାହ ପରେ ଅଭିଯୁକ୍ତର ସେପରି କିଛି ଆୟର ପନ୍ଥା ନଥିବା ଅଭିଯୋଗକାରିଣୀ ଜାଣିବାକୁ ପାଇଥିଲେ । ବିବାହ ସମୟରେ ଦାବୀ ମୁତାବକ ସୁନା/ରୂପା ଗହଣା ଓ ଗୃହପୋଯୋଗୀ ଉପକରଣ ତଥା ପରେ ଏକ ବୁଲେଟ୍ ବାଇକ କିଣିବା ବାବଦକୁ ୧ ଲକ୍ଷ ଟଙ୍କା ଅଭିଯୁକ୍ତକୁ ଦିଆଯାଇଥିଲା । ବିବାହ ପରେ ଅଭିଯୁକ୍ତ ସ୍ତ୍ରୀକୁ ଆଣି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲା । କିଛିଦିନ ପରେ ତାଙ୍କ ସ୍ତ୍ରୀ ବିଭିନ୍ନ ଚୋରୀ, ଠକେଇ ଆଦି ମାମଲାରେ ସମ୍ପୃକ୍ତ ଥିବା ଏବଂ ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା କଥା ଜାଣିବାକୁ ପାଇଥିଲେ । ଅର୍ଥ ଅଭାବ ହେତୁ ଅଭିଯୁକ୍ତ ଜଣକ ଯୌତୁକ ଆକାରରେ ମିଳିଥିବା ସମସ୍ତ ସୁନା/ରୂପା, ଜିନିଷ ବିକ୍ରି କରିଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେବା ପରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । ଫଳରେ ଅଭିଯୋଗକାରିଣୀ ୯ ମାସର କନ୍ୟା ସନ୍ତାନକୁ ସାଙ୍ଗରେ ନେଇ ଶିଶୁପାଳଗଡ଼ରେ ରହୁଥିବା ବାପା ଘରକୁ ଚାଲିଯାଇଥିଲେ । ଗତ ୨ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ଶିଶୁପାଳଗଡ଼ରେ ପହଞ୍ଚି ସ୍ତ୍ରୀ ଓ ତାଙ୍କ ପରିବାରକୁ ଗାଳିଗୁଲଜ କରିବା ସହିତ ୯ ମାସର ଶିଶୁ କନ୍ୟାକୁ ଛଡାଇ ଆଣିଥିଲା । ଏନେଇ ସ୍ତ୍ରୀ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ମାଡ ମାରିଥିଲା ଏବଂ ସମସ୍ତଙ୍କୁ ହତ୍ୟା କରିବାର ଧମକ ଦେଇଥିଲା । ଏଭଳି ଧମକ ପରେ ଅଭିଯୋଗକାରିଣୀ ଓ ତାଙ୍କ ପରିବାର ଧଉଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।