ପୁଣି ଫେଭର୍ ପ୍ରସଙ୍ଗ : ଜେଲ ଗଲେ ଡାଟା ଏଣ୍ଟ୍ରି ଅପରେଟର୍
ଭବାନୀପାଟଣା : ଓଡିଶାରେ ସଂପ୍ରତି ଛାତ୍ରୀ ନିର୍ଯ୍ୟାତନା ପ୍ରସଙ୍ଗ ଜୋର ଧରି ଥିବାବେଳେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଞ୍ଚଳରେ ପୁଣିଥରେ ଏକ ଫେଭର ପ୍ରସଙ୍ଗରେ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡା ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଭାବରେ କାମ କରୁଥିବା ସୌମ୍ୟରଞ୍ଜନ ତ୍ରିପାଠୀ(ସିଲୁ) ଉକ୍ତ ବିଦ୍ୟାଳୟର ଜୈନିକା ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହିତ ୨୦୨୩ ମସିହାରେ ନାମ ଲେଖାଇଥିବା ଏହି ଛାତ୍ରୀଜଣଙ୍କୁ ପରୀକ୍ଷାରେ ଫେଲ କରେଇଥିବା ନେଇ ଅଭିଯୋଗ ହୋଇଛି । ଏଥି ପୂର୍ବରୁ ଉକ୍ତ ଛାତ୍ରୀଜଣଙ୍କ ଜିଲ୍ଲାପାଳଙ୍କ ପାଖରେ ମଧ୍ୟ ଅଭିଯୋଗ କରିଥିଲେ । ଏହାକୁ ନେଇ ଉପଜିଲ୍ଲାପାଳ କିଛି ଦିନ ତଳେ ଅଭିଯୁକ୍ତଙ୍କ ସମେତ କଲେଜ ଅଧ୍ୟକ୍ଷଙ୍କୁ ଡାକି ଘଟଣାର ତଦନ୍ତ କରିଥିଲେ ଏବଂ କିଛି ଦିନ ହେବ ସୌମ୍ୟ ରଞ୍ଜନଙ୍କୁ ବେଲଖଣ୍ଡି ବଦଳି କରିଥିଲେ । ତେବେ ପୁଣିଥରେ ପ୍ରଶାସନ ତତ୍ପରତା ଦେଖାଇବା ସହିତ ଗତକାଲି ମଧ୍ୟ ଉକ୍ତ ଛାତ୍ରୀଙ୍କ ଘରକୁ ଯାଇ ପୁଲିସ,ମ.ରାମପୁର ତହସିଲଦାର ଓ ସିଡିପିଓଙ୍କ ଉପସ୍ଥିତିରେ ପଚରାଉଚୁରା କରିଥିଲେ । ଆଜି ମ.ରାମପୁର ପୁଲିସ ବେଲଖଣ୍ଡି ବିଦ୍ୟାଳୟକୁ ଯାଇ ଅଭିଯୁକ୍ତଙ୍କୁ ଥାନାକୁ ଆଣିବା ପରେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କରି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କୋର୍ଟ ଚାଲାଣ କରିଥିଲା ।