ପୁଣ୍ୟସଲିଳା ବ୍ରାହ୍ମଣୀର ଦୁଃଖ
ସରିତା ମହାନ୍ତି : ଇତିହାସ ସାକ୍ଷୀ ପ୍ରାଚୀନ ମାନବ ସଭ୍ୟତା ନଦୀ କୂଳରେ ହିଁ ଗଢ଼ିବା ଆରଂଭ ହୋଇଛି । ଜଳ ହିଁ ଜୀବନ । ମଣିଷ ସମେତ ସମଗ୍ର ପ୍ରାଣୀଜଗତ ବଞ୍ଚି ରହିବାର ଏକ ମୁଖ୍ୟ ଆଧାର ହେଉଛି ଜଳ । ଇତିହାସରେ "ମିଶରକୁ ନୀଳ ନଦୀର ଦାନ" ପଢ଼ିବା ବେଳେ ଭାରତକୁ ପବିତ୍ର ଗଙ୍ଗା, ଯମୁନା, ସରସ୍ୱତୀ, ଗୋଦାବରୀ, ବ୍ରହ୍ମପୁତ୍ର ନଦୀର ଦାନ ହେଉ କି ଓଡ଼ିଶାକୁ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ନଦୀର ଦାନ କ'ଣ ଆମ ମନକୁ ଆସେ ନାହିଁ? ଥରୁଟିଏ ମନରେ ଏହି ପବିତ୍ର ନଦୀ ଗୁଡ଼ିକ ବିନା ଆମ ରାଜ୍ୟ କିମ୍ବା ଦେଶର କଳ୍ପନା କରିପାରିବା! ଯାଜପୁର ଜିଲ୍ଲାରୁ ଢେ଼ଙ୍କାନାଳକୁ ବାଜିରାଉତ ସେତୁ ଉପର ଦେଇ ଗତ ପାଞ୍ଚ ବର୍ଷ ହେଲା ଯିବା ଆସିବା ବେଳେ ମନରେ ନଦୀକୁ ନେଇ ଅନେକ ଭାବନା ଆସେ । ନଦୀରେ ନାଉରୀ କେବେ କେବେ ଡଙ୍ଗା ନେଉଥିବା ବେଳେ ଗାଡି ଅଟକାଇ ଫଟୋ ଉତ୍ତୋଳନ କରି ରଖିଛି । ନଦୀ ପଠାର ବିସ୍ତୀର୍ଣ୍ଣ ବାଲିରେ ଖାଲି ପାଦରେ ବୁଲି ଆସିବାକୁ ଇଛା ହୁଏ ।
ମନେ ପଡେ ଢେଙ୍କାନାଳର ସର୍ବକନିଷ୍ଠ ସହିଦ ୧୨ ବର୍ଷର ବାଳକ ବାଜିରାଉତଙ୍କ କଥା । ନିଜର ବଳିଦାନ ଦେଇଗଲେ ନିଜ ମାଆ ମାଟି ପାଇଁ, ଟଳି ପଡିଲେ ବ୍ରାହ୍ମଣୀ ମାଆ କୋଳରେ । ନୀଳକଣ୍ଠପୁର ଗ୍ରାମବାସୀଙ୍କ ମୁଖରୁ ଶୁଣିବାକୁ ମିଳେ ବାଜିରାଉତଙ୍କ ସହିତ ବ୍ରାହ୍ମଣୀ ନଦୀର ଗାଥା । ମୋ ଜେଜେମାଆ ବ୍ରାହ୍ମଣୀ ନଦୀ କୂଳ ଗାଁ ର ଝିଅ । ଜେଜେମା ତାଙ୍କ ଗାଁକୁ ଗଲେ କେବଳ ବ୍ରାହ୍ମଣୀ ନଦୀରେ ଗାଧୋଇବା ଲୋଭରେ ଆମ ଯୌଥ ପରିବାର ଭାଇଭାଉଣୀ ସବୁ ବହୁତ୍ ଆଗ୍ରହ କରୁ ଜେଜେମାଙ୍କ ସହିତ ଯିବା ପାଇଁ । ନଅ ଭାଇଙ୍କର ଏକ ମାତ୍ର ଗେହ୍ଲା ଭଉଣୀ ଥିଲେ ମୋ ଜେଜେମା । ତେଣୁ ଆମକୁ ବାପାଙ୍କ ମାମୁଁ ଘରର ସବୁ ସଦସ୍ୟଙ୍କ ଭଲପାଇବା ସାଙ୍ଗକୁ ମିଳୁଥିଲା ବ୍ରାହ୍ମଣୀ ନଦୀର ଅପାର ସାନିଧ୍ୟ । ବ୍ରାହ୍ମଣୀ ନଦୀ ପାଖରେ ବସବାସ କରୁଥିବା ଗ୍ରାମବାସୀଙ୍କ ସହିତ ତାଙ୍କ ସମ୍ପର୍କୀୟଙ୍କର ମଧ୍ୟ ଅନେକ ଅଭୁଲା ସ୍ମୁତି ନିଶ୍ଚୟ ରହିଥିବ ।
ବ୍ରାହ୍ମଣୀ ନଦୀରେ ବାଜିରାଉତ ସେତୁ, ମୋ ଜେଜେମାର ସ୍ମୃୃତି । ପଦ୍ମଶ୍ରୀ ଡଃ ଅନ୍ତର୍ଯ୍ୟାମୀ ମିଶ୍ର କୁହନ୍ତି ମୋର ଜନ୍ମିତ ମା’ ପରେ ଦ୍ୱିତୀୟ ମା’ ହେଉଛି ବ୍ରାହ୍ମଣୀ । ପିଲାଦିନେ ବ୍ରାହ୍ମଣୀ ନଦୀରେ ସ୍ନାନ କରି ଶ୍ରୀ ବାଲୁଙ୍କେଶ୍ୱରଙ୍କର ନୀତି ଦର୍ଶନ କରିବା ତାଙ୍କ ପାଇଁ ପରମ ସୌଭାଗ୍ୟର ଦିନ ଗୁଡ଼ିକ ଥିଲା । ଏସବୁ ଶୁଣିଲା ବେଳକୁ ଯେତିକି ଆନନ୍ଦ ମିଳେ ତା' ଠାରୁ ଅଧିକ ଆଘାତ ସୃଷ୍ଟି ହୁଏ ମନରେ । ବର୍ତ୍ତମାନର ବ୍ରାହ୍ମଣୀ ନଦୀର ବିଷାକ୍ତ ଜଳ ରାଶି ବିଷୟରେ ଭାବି ।
ଓଡ୍ରମାନେ ବିନ୍ଧ୍ୟାଞ୍ଚଳ ପାର ହେବା ପରେ ଓଡ଼ିଶା ଅନୁପ୍ରବେଶ କାଳରେ ପୁଣ୍ୟ ସଲିଳା ବ୍ରାହ୍ମଣୀ ଉପତ୍ୟକାରେ ପ୍ରଥମେ ନିବାସ କରିଥିଲେ । ଇତିହାସରେ ମଧ୍ୟ ଏହି ଅଞ୍ଚଳ ଓଡ୍ରବିଷୟ ନାମରେ ପରିଚିତ । ଏହି ପୁରୋଦୃଷ୍ଟିରେ ବ୍ରାହ୍ମଣୀ ଅବବାହିକାକୁ "ଆଦି ଓଡ୍ରଭୂମି" ବୋଲି କୁହାଯାଇଛି । ସପ୍ତମ- ଅଷ୍ଟମ ଶତାବ୍ଦୀରେ ଉତ୍ତର ଭାରତରୁ ବହୁ ବିଦ୍ୱାନ ବ୍ରାହ୍ମଣ ଆସି ବ୍ରାହ୍ମଣୀ ଅବବାହିକାରେ ରହିଥିଲେ ବୋଲି ପ୍ରାପ୍ତ ତାମ୍ରଶାସନ ସମୁହରୁ ଉପଲବ୍ଧ ହୋଇଥାଏ । ବ୍ରାହ୍ମଣୀ ଅବବାହିକାରେ ମାର୍ଥାପୁର ଶାସନ, ମୁଣ୍ଡେଇଲ ଶାସନ, କନ୍ତିଓ ଓ ସାନ୍ଦା ପ୍ରଭୃତି ଗ୍ରାମରେ ଏହି ବ୍ରାହ୍ମଣ ମାନେ ନିବାସ କରିଥିଲେ । ଗବେଷକଙ୍କ ମତରେ ଢେ଼ଙ୍କାନାଳ, ଅନୁଗୁଳ, ତାଳଚେର ଓ ପାଲଲହଡ଼ା ପ୍ରଭୃତି ଅଞ୍ଚଳ ପ୍ରାଚୀନ ଓଡ଼ିଶାର ପଶ୍ଚିମାଞ୍ଚଳ ଥିଲା । ବ୍ରାହ୍ମଣୀ ନଦୀ ଦ୍ୱାରା ଏହି ଅଞ୍ଚଳ ଦୁଇ ଭାଗରେ ବିଭକ୍ତ ହୋଇଥିବାରୁ ଏହାକୁ ଉତ୍ତର ବ୍ରାହ୍ମଣୀୟ ଓ ଦକ୍ଷିଣ ବ୍ରାହ୍ମଣୀୟ ଏହି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ବ୍ରାହ୍ମଣୀ ଉପତ୍ୟକାରୁ ଆବିଷ୍କୃତ ପ୍ରଚୁର ପରିମାଣର ପ୍ରସ୍ତର ଉପକରଣ ସେ ଅଞ୍ଚଳରେ ଆଦିମାନବର ସୃଷ୍ଟି ଓ ବସତି ସ୍ଥାପନ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ । ବ୍ରାହ୍ମଣୀ ନଦୀର ଉତ୍ତର ପାର୍ଶ୍ୱରେ ଗଣ୍ଡମାନେ ବହୁପରିମାଣରେ ବାସକରୁଅଛନ୍ତି । ବ୍ରାହ୍ମଣୀ ଦକ୍ଷିଣାଞ୍ଚଳ ଶବର ଅଧ୍ୟୁଷିତ ଓ ପୂର୍ବ ଦକ୍ଷିଣାଞ୍ଚଳ ଡମ ଅଧ୍ୟୁଷିତ ଥିଲା । ବ୍ରାହ୍ମଣୀ ନଦୀର ଅବଦାନ ଏହି ଭୂଖଣ୍ଡକୁ ଅତୁଳନୀୟ । ଏହି ନଦୀ ପଥରେ ହିଁ ଆଦିମ ଅଧ୍ୟୁଷିତ ବିଶାଳ ଭୂଖଣ୍ଡକୁ ଆର୍ଯ୍ୟ ସଂସ୍କୃତିର ଅନୁପ୍ରବେଶ ଘଟି ଏକ ଉନ୍ନତ ସଂସ୍କୃତି ଓ ସଭ୍ୟତାର ବିକାଶ ଘଟିଥିଲା । ଦଶାର୍ଣ୍ଣ ବନ୍ଦରଠାରୁ ବ୍ରାହ୍ମଣୀ ନଦୀ ସଂଯୋଗରେ ଢେ଼ଙ୍କାନାଳ ଅଞ୍ଚଳରେ ସଭ୍ୟତାର ଅନୁପ୍ରବେଶ ଘଟିଥିଲା, ଯାହାକି ବୈଦେଶିକଙ୍କ ବିବରଣୀରେ ସୁସ୍ପଷ୍ଟ । ବ୍ରାହ୍ମଣୀ ଅବବାହିକାରେ ଖ୍ରୀ:ପୂ: କାଳରୁ ଓଡ୍ର ସଭ୍ୟତାର ଉନ୍ମେଷ ଘଟି ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀ ସମୟକୁ ଏହା ଅନ୍ତର୍ଜାତୀୟ ଖ୍ୟାତି ଲାଭ କରିଥିଲା ।
ପୁରାଣ ପ୍ରସିଦ୍ଧ ବ୍ରାହ୍ମଣୀ ନଦୀ ଢେ଼ଙ୍କାନାଳ ଜିଲ୍ଲାରେ ପ୍ରବାହିତ ହୋଇ ଏହି ମାଟିକୁ ପୂତ ଓ ପବିତ୍ର କରିଛି । ପୁରାଣ, ଶାସ୍ତ୍ର ଓ ଅଭିଲେଖରେ ଏହି ପୁଣ୍ୟସଲିଳା ନଦୀ ବ୍ରାହ୍ମୀ, ବ୍ରାହ୍ମଣୀ, ଦଶା ର୍ଣ୍ଣ, ଶଙ୍ଖଜ୍ୟୋତି ପ୍ରଭୃତି ବହୁନାମରେ ଖ୍ୟାତ । ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ଭାବରେ ଓଡ଼ିଶାର ଧର୍ମ, ଦର୍ଶନ, ସଂସ୍କୃତି, ସଭ୍ୟତା ଓ ପରମ୍ପରାକୁ ଏହାର ଦାନ ଅତୁଳନୀୟ । ବିନ୍ଧ୍ୟ ପର୍ବତମାଳାର ପୂର୍ବ କୋଣସ୍ଥ ଛୋଟନାଗପୁର ମାଳଭୂମି ଅନ୍ତର୍ଗତ ହଜାରିବାଗ ପର୍ବତ ଶ୍ରେଣୀରୁ ଶଙ୍ଖ ଓ ଜ୍ୟୋତି ନାମକ ଦୁଇଗୋଟି ଜଳଧାରା ପ୍ରବାହିତ ହୋଇ ପାନପୋଷ ଠାରେ ମିଳିତ ହେବାପରେ ଶଙ୍ଖଜ୍ୟୋତି ଏବଂ ପରେ ବ୍ରାହ୍ମୀ ବା ବ୍ରାହ୍ମଣୀ ନାମରେ ମହୋଦଧିରେ ମିଳିତ ହୋଇଛି । ଏହି ପୁଣ୍ୟତୋୟା ନଦୀ ଢେ଼ଙ୍କାନାଳର ମଧ୍ୟ ଭାଗରେ ପ୍ରବାହିତ । ଏହାରି ଅବବାହିକାରେ ଢେଙ୍କାନାଳର ପ୍ରାଚୀନ ଦୁର୍ଗ, ଜନପଦ, ମନ୍ଦିର, ମୂର୍ତ୍ତି ପ୍ରଭୃତି ଅବସ୍ଥିତ । ପ୍ରାଚୀନ ଶାସ୍ତ୍ରରେ ବ୍ରାହ୍ମଣୀକୁ ପୁଣ୍ୟତୋୟା, ପୁଣ୍ୟସଲିଳା, ପାପନାଶିନୀ, ନବଧାଗଙ୍ଗା, ବ୍ରହ୍ମା ତନୟା, ଉଲ୍ଲେଖ କରାଯାଇ ଗଙ୍ଗାର ଅନ୍ୟତମ ଧାରାର ମାନ୍ୟତା ପ୍ରଦାନ କରାଯାଇଛି ।
ଆଦ୍ୟା ଗୋଦାବରୀ ଗଙ୍ଗା ଦ୍ୱିତୀୟା ଚ ପୁନଃ ପୁନା
ତୃତୀୟା କଥିତା ରେବା ଚତୁର୍ଥୀ ଜାହ୍ନବୀ ସ୍ମୃତା ।
କାବେରୀ, ଗୋମତୀ, କୃଷ୍ଣା, ବ୍ରାହ୍ମୀ, ବୈତରଣୀ, ତଥା
ବିଷ୍ଣୁ ପାଦାଗ୍ର ସମ୍ବୁତା ନବଧା ଭୂମି ସଂସ୍ଥିତା ।
ବ୍ରାହ୍ମଣୀ ଅବବାହିକାରେ ବିକ୍ରମଖୋଲ ଶିଳା ଲିପିରୁ ଖ୍ରୀ:ପୂ: ୨୦୦୦ ପୂର୍ବରୁ ଏହି ନଦୀକୂଳରେ ଉନ୍ନତ ସଭ୍ୟତାର ବିକାଶ ଘଟିଥିଲା ବୋଲି ପ୍ରମାଣିତ ହୁଏ ଯାହା ପଣ୍ଡିତ ଡଃ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି ପୁସ୍ତକରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ । ବ୍ରାହ୍ମଣୀ ନଦୀ ଓଡିଶାର ଯେଉଁ ଭୁଖଣ୍ଡକୁ ସ୍ପର୍ଶ କରିଛି ସେ ସ୍ଥାନ ପୁତ, ପଲ୍ଲବିତ ହେବା ସହିତ ସମୟ ଅନୁସାରେ ଅନେକ ସମୃଦ୍ଧି ଲାଭ କରିଛି । କିନ୍ତୁ ପ୍ରତିବଦଳରେ ବ୍ରାହ୍ମଣୀ ପାଇଛି କ ' ଣ । ମାଆ ହୋଇ ନିଜ ସନ୍ତାନକୁ ଦେଇଚାଲିଛି, ସମ୍ଭାଳି ରଖିଛି । ମାଆକୁ ଦେବାର କ୍ଷମତା ଆମ ପାଖରେ ନାହିଁ । କିନ୍ତୁ ମାଆର ସୁରକ୍ଷା ତ ଆମର ପରମ କର୍ତ୍ତବ୍ୟ । କୁରୁସଭାରେ ଦ୍ରୌପଦୀ ବସ୍ତ୍ରହରଣ କଥାକୁ ଉଦାହରଣ କରି ଆଜିର ସଭ୍ୟ ସମାଜ ଯାହାଙ୍କ ମଧ୍ୟରେ "ମୁଁ ‘ ମଧ୍ୟ ଅଛି, ନାରୀ ସୁରକ୍ଷା ପାଇଁ ଦାବିପତ୍ର ଦାଖଲ କରେ, ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲେଇ ଆସେ, ସେ ସମାଜ ବ୍ରାହ୍ମଣୀ ସମେତ ଭାରତବର୍ଷର ପବିତ୍ର ନଦୀ ସମୂହର ଚିରହରଣରେ ମୌନ କାହିଁକି ? କୁରୁସଭାର ସଦସ୍ୟଙ୍କୁ ଦୋଷୀ କହିଲାବେଳକୁ ଆମକୁ ମଧ୍ୟ ହୃଦୟଙ୍ଗମ କରିବାର ଅଛି, ଯେ ସବୁକିଛି ଜାଣିଶୁଣି ଆମେ ମଧ୍ୟ ଦୋଷୀ, ଆମେ ମଧ୍ୟ ଚୁପ୍ ।
ବର୍ତ୍ତମାନ ସୁଦ୍ଧା ୧୫୮ ଟି ଶିଳ୍ପସଂସ୍ଥା ଗଢିଉଠିଛି ବ୍ରାହ୍ମଣୀ ନଦୀକୂଳରେ । ପବିତ୍ର ବ୍ରାହ୍ମଣୀ ନଦୀର ବିଷାକ୍ତ ଜଳକୁ ବ୍ୟବାହର କରି ବ୍ରାହ୍ମଣୀ ନଦୀ ସହିତ ରୁଗ୍ଣ ହେଉଛି ଜନଜୀବନ । ଜୀବନ ଜୀବିକା ନିମନ୍ତେ ଯୁଗେ ଯୁଗେ ପରିବର୍ତ୍ତନ ହୋଇଚାଲିଛି ଆଗକୁ ମଧ୍ୟ ହେବ ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ନିଜକୁ ବଞ୍ଚାଇବାକୁ ଯାଇ ଉନ୍ନତି ନାମରେ ଆଗାମୀ ପିଢ଼ି ପାଇଁ କ୍ଷଣେ କ୍ଷଣେ ବିପଦ ସୃଷ୍ଟି କରିବା କି ପ୍ରକାରର ମାନବିକତା ? ସୃଷ୍ଟି କରିପାରିବା ନାହିଁ ତ ନଷ୍ଟ କରିବାର କ୍ଷମତା କେଉଁଠୁ ଆସିଲା ? ସୁରକ୍ଷା ଦେଇପାରିବାନାହିଁ ତ ଅତ୍ୟାଚାର କରିବାର ଅଧିକାର କିଏ ଦେଲା? ସ୍ୱଚ୍ଛତା ରକ୍ଷା କରିପାରିବାନାହିଁ ତ କଳୁଷିତ ଓ ବିଷାକ୍ତ କରିବାକୁ ବିବେକ ବାଧା ଦେଉନାହିଁ କେମିତି ? କେଉଁଠି ନା କେଉଁଠି ଆମେ ଦୁଃଶାସନ ଠାରୁ ଭୟଙ୍କର ନୁହଁ ! ଓଡ଼ିଶାକୁ ବ୍ରାହ୍ମଣୀର ଦାନ ଭୁଲିଯାଇ ମାନବ ସମାଜ ନଦୀକୁ କରିଚାଲିଛି ବିଷାକ୍ତ ଏବଂ କଳୁଷିତ ।
ଭୁବନେଶ୍ୱର