ପୁରୁଣାକୋଟ ବିସ୍ଥାପନକୁ ନେଇ ପଲ୍ଲୀସଭା
ଅନୁଗୁଳ : ଅନୁଗୁଳ ବ୍ଲକ ଅନ୍ତର୍ଗତ ପୁରୁଣାକୋଟ ରାଜସ୍ୱ ଗ୍ରାମକୁ ସ୍ୱତଃ ବିସ୍ଥାପନ ସମ୍ବନ୍ଧୀୟ ଏକ ପଲ୍ଲୀସଭାର ଆହ୍ୱାନ ନେଇ ଅନୁଗୁଳ ବିଡ଼ିଓ ଗ୍ରାମ ପଞ୍ଚାୟତକୁ ଚିଠିରେ ନିଦେ୍ର୍ଦଶ ଦେଇଥିଲେ । ବିଡ଼ିଓଙ୍କ ଚିଠି ନିଦେ୍ର୍ଦଶ ବଳରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପଲ୍ଲୀସଭା ନିମନ୍ତେ ତାରିଖ ଓ ସ୍ଥାନ ଧାର୍ଯ୍ୟ କରି ଏକ ସର୍ବସାଧାରଣ ନୋଟିସ୍ ଗତ ମାସ ୨୧ ତାରିଖରେ ଜାରି କରିଥିଲେ । ଏହି ନୋଟିସ ଜାଣିବା ପରେ ଗ୍ରାମ ବିସ୍ଥାପନକୁ ବିରୋଧ କରୁଥିବା ଗୋଷ୍ଠୀ ନୋଟିସରେ ତ୍ରୁଟି ଥିବା ଏବଂ ସ୍ୱେଚ୍ଛାକୃତ ଗ୍ରାମ ବିସ୍ଥାପନ ଯୋଜନା ପୁରୁଣା ଗ୍ରାମ ପାଇଁ ପ୍ରଯୁଜ୍ୟ ନ ଥିବା ଅନୁଗୋଳ ବିଡ଼ିଓ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ହେଲେ ବିସ୍ଥାପନ ବିରୋଧୀଙ୍କ ଅଭିଯୋଗର କୌଣସି ଶୁଣାଣି ନ କରି ଆଜି ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା । ହେଲେ ଗ୍ରାମରେ ଥିବା ତିନିଗୋଟି ୱାର୍ଡର ମେମ୍ବର କେହି ଉପସ୍ଥିତ ନ ଥିବା ବେଳେଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ ପଲ୍ଲୀସଭାରେ ଯୋଗ ଦେଇ ନଥିଲେ । ଫଳରେ ଗ୍ରାମର ଅନନ୍ତ ବାସୁଦେବ ମହାନ୍ତି ପଲ୍ଲୀସଭାର ସଭାପତିତ୍ୱ କରିଥିଲେ । ପଲ୍ଲୀସଭା ପ୍ରାରମ୍ଭରେ ଗ୍ରାମ ବିସ୍ଥାପନର ଉଭୟ ସପକ୍ଷ ଓ ବିରୋଧୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ କଥା କଟାକଟି ହୋଇଥିଲା । ସପକ୍ଷବାଦୀ ଗୋଷ୍ଠୀ ଗ୍ରାମରୁ ଉଠିଯିବା ପାଇଁ ଜିଦ୍ ଧରିଥିବା ବେଳେ ବିରୋଧୀ ଗୋଷ୍ଠୀ ବେଆଇନ ବିସ୍ଥାପନକୁ ଘୋର ବିରୋଧ କରିଥିଲେ । ପଲ୍ଲୀସଭାରେ ଅନୁଗୋଳ ବିଡ଼ିଓ ଏବିଡ଼ିଓ, ଅତିରିକ୍ତ ତହସିଲଦାର ଏବଂ ସାତକୋଶିଆ ଡ଼ିଏଫଓ, ଏସିଏଫ ଯୋଗ ଦେଇଥିଲେ । ପଲ୍ଲୀସଭାରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେବା ସମ୍ଭାବନା ଥିବାରୁ ତରବରିଆ ଭାବେ ପଲ୍ଲୀସଭା ସରିବା ଘୋଷଣା କରାଯାଇଥିଲା । ପଲ୍ଲୀସଭାରେ ଗ୍ରାମର ସମସ୍ତ ସାବଳକ ନିଜର ମତାମତ ଦେଇନଥିବାବେଳେ ଗ୍ରାମ ବିସ୍ଥାପନ ସମ୍ବନ୍ଧୀୟ ସମସ୍ତ ଆଇନ, ନିୟମାବଳୀ, କ୍ଷତିପୂରଣ ପ୍ୟାକେଜ ବ୍ୟବସ୍ଥା ଉପରେ ଆଲୋଚନା ହୋଇ ନ ଥିଲା । ଉଲ୍ଲେଖ ଯେ, ଗ୍ରାମ ବିସ୍ଥାପନକୁ ନେଇ ବହୁ ଦିନରୁ ସପକ୍ଷ ଓ ବିରୋଧୀଙ୍କ ମଧ୍ୟରେ ମତଭେଦ ଓ ବିବାଦ ଲାଗି ରହିଛି ।