ପୁଲିସ ଫାଶରେ ମୋ ବସ ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ୱର, ୧୭ା୮ : ରାଜଧାନୀର ବିଭିନ୍ନ ରୁଟ୍ରେ ଯାଉଥିବା ମୋ ବସ ମାନଙ୍କରୁ ମୋବାଇଲ, ପର୍ସ, ସୁନା ଚେନ୍ ଲୁଟ୍ ପାଟ୍ କରି ଫେରାର ହୋଇଯାଉଥିବା ୩ ଜଣ ଲୁଟେରା ଗ୍ୟାଙ୍ଗକୁ ଧରିଛି ନୟାପଲ୍ଲୀ ଥାନା ପୁଲିସ । ସେମାନଙ୍କ ଠାରୁ ୧୨ଟି ଚୋରା ମୋବାଇଲ, ଏକ ଲାପଟପ୍ ଓ ୨୧୦୦ ଟଙ୍କା ଜବତ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ, ଯାଜପୁର ଜିଲ୍ଲାର ଏସ.କେ ରାଜା, ନୟାଗଡ଼ ଜିଲ୍ଲାର ରାକେଶ ପଣ୍ଡା ଓ କଟକର ମୁନା ସ୍ୱାଇଁ । ଏମାନଙ୍କ ନାମରେ ନୟାପଲ୍ଲୀ ଥାନାରେ ୨ଟି ମାମଲା ଓ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରହିଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଗତ କିଛିଦିନ ହେବ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ପ୍ରତେକ ଦିନ ମୋ ବସରୁ ମୋବାଇଲ, ପର୍ସ, ସୁନା ଚେନ୍ ଲୁଟ୍ ପାଟ୍ ହେଉଥିବା ଅଭିଯୋଗ ହୋଇଆସୁଛି । ହେଲେ ଲୁଟେରା ମାନେ ଲୁଟ୍ କରି ବିଭିନ୍ନ ଷ୍ଟପେଜ୍ରେ ଓହ୍ଲାଇ ଫେରାର ହୋଇଯାଉଛନ୍ତି । ସବୁଦିନ ଭଳି ଗତ ୧୪ ତାରିଖ ଦିନ ୪.୩୦ରେ ଖଣ୍ଡଗିରି ଏମସ୍ ହସ୍ପିଟାଲରୁ ଜୟଦେବ ବିହାରକୁ ଆସୁଥିଲେ ଅଭିଯୋଗକାରୀ ଶ୍ରୀଧର ମହାଲିକ୍ । ଠିକ ନୟାପଲ୍ଲୀ ନାବାଡ ସାମ୍ନାରେ ସେ ତାଙ୍କ ପକେଟ ଦେଖିଲା ବେଳକୁ ତାଙ୍କର ମନିପର୍ସ ଟି ଚୋରି ହୋଇଯାଇଛି । କେହି ଜଣେ ତାଙ୍କ ପକେଟ ମାର କରି ନାବାଡ ନିକଟରେ ଓହ୍ଲାଇ ପଡ଼ିଥିଲା । ଏନେଇ ଅଭିଯୋଗକାରୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ମଞ୍ଚେଶ୍ୱର ଥାନାର ମିଳିତ ସହଯୋଗରେ ଆଜି ୩ ଜଣ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି ।