ସିମ୍ ବକ୍ସ ଜବତ ଘଟଣା ; ଅଟକ ଅଭିଯୁକ୍ତ କୋର୍ଟ ଚାଲାଣ ; ବାଂଲାଦେଶରେ କିଙ୍ଗ୍ମେକର

ଭୁବନେଶ୍ୱର, ୧୭ା୮ : ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣାରେ ରହିଛି ଇଣ୍ଟରନ୍ୟାସନାଲ ଲିଙ୍କ । ଏହି ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରଦେଶରୁ ଆସୁଥିବା କଲକୁ ପରିବର୍ତ୍ତନ କରାଯାଇ ଭାରତ ଭିତରକୁ ଛଡା ଯାଉଥିଲା । ସାଇବର ଫ୍ରଡ୍, ଆତଙ୍କବାଦୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ଆଜି ଗଣମାଧ୍ୟମ ସମ୍ମୁଖରେ ଏପରି ସାଂଘାତିକ ଖୁଲାସା କରିଛନ୍ତି ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡା । ଏହା ଏକ ସାଂଘାତିକ ଘଟଣା ହୋଇଥିବା ବେଳେ ଏଥିରେ ଗତକାଲି ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଗିରଫ କରାଯାଇଛି । ମାତ୍ର ଏହି ପୂରା ମାମଲାର ମାଷ୍ଟର ମାଇଣ୍ଡ ହେଉଛି ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ ।
ସୂଚନା ଯୋଗ୍ୟଯେ, ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ମାଷ୍ଟର ମାଇଣ୍ଡ ଆଶାଦ୍ଦୁର ଜମାନ । ଭୁବନେଶ୍ୱର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା । କେଶୁରାରେ ଭଡା ଘର ନେଇ ସିମ୍ ବକ୍ସ ରାକେଟ୍ ଚଳାଇ ଆସୁଥିଲେ । ଆଶାଦ୍ଦୁର ନିଦେ୍ର୍ଦଶରେ ରାଜୁ ମଣ୍ଡଳ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲା । ଗତକାଲି ହୋଇଥିବା ଚଢ଼ାଉରେ ୭ଟି ଅପରେସନାଲ ସିମ୍ ବକ୍ସ ମିଳିଛି । ପ୍ରାୟ ୧ହଜାର ସିମ୍ ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ଅଛି । ରାଜୁକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରାଯିବ ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।
ସେ କହିଛନ୍ତି, ଏହି ସିମ୍ ବକ୍ସ ଜରିଆରେ ଅପରାଧୀ କେଉଁ ଦେଶରୁ କଲ କରିଛି, ତାହା ଜଣାପଡିବନି । ବାହାର ଦେଶରୁ କଲ ଆସିଲେ ବି ଲୋକାଲ ସିମ ଜରିଆରେ ଆସିବ । ବାହାର ଦେଶର ଅପରାଧୀ ଭାରତରେ ଅପରାଧ ଘଟାଇବା ନିମନ୍ତେ ଏହାକୁ ବ୍ୟବହାର କରିଥାନ୍ତି । ଆତଙ୍କବାଦୀ, ସାଇବର ଫ୍ରଡ, ଡ୍ରଗ୍ସ ଚାଲାଣ ନିମନ୍ତେ ଏହାକୁ ବ୍ୟବହାର କରାଯାଇଥାଏ । ମୁଖ୍ୟତଃ ସିମ୍ ବକ୍ସରୁ ପାକିସ୍ତାନ, ଚୀନ ଓ ମଧ୍ୟପ୍ରଦେଶର କଲକୁ ଲୋକାଲ ସିମ୍ ଜରିଆରେ ଭାରତକୁ ଛଡା ଯାଉଥିଲା । ଅପରାଧୀ ଜଣକ ବିଦେଶୀ ହୋଇଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହାର ତଦନ୍ତ କରାଯିବ । ଆବଶ୍ୟକ ସ୍ଥଳେ ଇଣ୍ଟରପୋଲର ବି ସାହାଯ୍ୟ ନିଆଯିବ । କଲ ଡିଟେଲ୍ସ ଆନାଲିସସ୍ କରାଯିବ । ଫଳରେ କେଉଁ କେଉଁ ଦେଶରୁ ଓ କେଉଁ ଉଦେ୍ଦଶ୍ୟରେ କଲ ଆସୁଥିଲା ସାଇବର ଏକ୍ସପର୍ଟଙ୍କ ଦ୍ୱାରା ତାହାର ତଦନ୍ତ କରାଯିବ । ଗତ ୮ ମାସ ଧରି ସିମ୍ ବକ୍ସ ଭୁବନେଶ୍ୱରର ଏକ ଘରେ ରଖିଥିବା ବେଳେ ମାସକୁ ଥରେ ଦୁଇଥର ରାଜୁ ସେଠାକୁ ଆସୁଥିଲେ । ସେମାନେ ଭାରତର ବିଭିନ୍ନ ସ୍ଥାନରେ ସିମ ବକ୍ସ ବସାଇଛନ୍ତି । ବାଂଲାଦେଶରୁ ତାହାକୁ ଅପରେଟ୍ କରାଯାଏ । ବାଂଲାଦେଶରୁ ମୁଖ୍ୟ ଅଭିଯୁକ୍ତ ଆସାଦ୍ଦୁର ଏହାକୁ ଅପରେଟ କରୁଥିଲେ । ଭୁବନେଶ୍ୱରରେ ବିଦେଶୀ ସିମ ବକ୍ସ ରଖି ଅପରାଧିକ କାର୍ଯ୍ୟକଳାପ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗତକାଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନିଦେ୍ର୍ଦଶରେ ଲକ୍ଷ୍ମୀସାଗର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଘରେ ଗୋଟିଏ ରାକ୍ରେ ୭ଟି ସିମ୍ ବକ୍ସ ଥିବା ଦେଖିବାକୁ ମିଳିଥିଲା । ସିମ୍ ବକ୍ସ ଗୁଡିକରେ ଇଣ୍ଟରନେଟ୍ କନେକ୍ସନ ଓ ପାୱାର ସପ୍ଲାଏ ବି ରହିଥିଲା । ଏହି ଘଟଣାରେ ରାଜୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖିଥିଲା । ଏହାପରେ ଆଜି ତାକୁ ଗିରଫ କରାଯାଇଛି ।
ସିମ୍ ବକ୍ସ କଣ?
ସିମ୍ ବକ୍ସ ଏକ ଡିଭାଇସ ହୋଇଥିବା ବେଳେ ସେଥିରୁ ବିଶ୍ୱର ଯେ କୌଣସି ସ୍ଥାନକୁ କଲ୍ ଓ ଗ୍ରୁପ୍ ମେସେଜ୍ ମଧ୍ୟ କରାଯାଇପାରିବ । ହେଲେ କଲ୍ କେଉଁଠୁ ଯାଉଛି ଏବଂ ତାହା ବିଦେଶୀ କଲ୍ ବୋଲି ରିସିଭରଙ୍କୁ ଜଣାପଡିନଥାଏ । ବିଶେଷଜ୍ଞଙ୍କ ମତରେ ସିମ୍ ବକ୍ସ ବ୍ୟବହାର କରି ଆତଙ୍କବାଦୀ ନେଟୱାର୍କ ପରିଚାଳନା, ସାଇବର୍ ଫ୍ରଡ୍ ଏବଂ ବିଦେଶକୁ ଗୁପ୍ତ ତଥ୍ୟ ପ୍ରଦାନ ଭଳି ସାଂଘାତିକ ଅପରାଧ ଘଟାଯାଇପାରେ ।