ପୋକତୁଙ୍ଗା ସମବାୟ ସମିତି ଟଙ୍କା ହଡ଼ପ ଘଟଣା ସମିତି କାର୍ଯ୍ୟାଳୟ ଘେରିଲେ ମହିଳା ଗୋଷ୍ଠୀ

ଅନୁଗୁଳ:  ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ସତେ ଯେମିତି ଦୁର୍ନୀତିର ଗନ୍ତାଘର ପାଲଟିଯାଇଛି । ଆଉ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଉପଭୋକ୍ତା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ପ୍ରାଥମିକ କୃଷି ସମବାୟ ସମିତିରେ । ଉକ୍ତ ସମିତିର ସମ୍ପାଦକ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ସୁଝିଥିବା ଋଣ ଟଙ୍କାକୁ ଚଳୁ କରି ନିଲମ୍ବିତ ହୋଇଥିବାବେଳେ ମହିଳା ସଂଘକୁ ଆଉ ଋଣ ମଳିପାରୁନାହିଁ । ଯାହାକୁ ତୀବ୍ର ବିରୋଧ କରି ମହିଳା ସଂଘ ପକ୍ଷରୁ ସମିତି କାର୍ଯ୍ୟାଳୟ ଘେରାଉ କରିଥିବା ଜଣାପଡିଛି ।
ପ୍ରକାଶ ଯେ, ୨୦୨୧ ମସିହାରେ ପୋକତୁଙ୍ଗା ପ୍ରାଥମିକ ସମବାୟ ସମିତିର ସମ୍ପାଦକ ୨୮ ଲକ୍ଷ ଟଙ୍କା ହଡ଼ପ କରି ନିଲମ୍ୱିତ ହୋଇଛନ୍ତି । ଏହାପର ଠାରୁ ସମିତି ଏକ ପ୍ରକାର ଠପ୍ ହୋଇ ପଡ଼ିଛି । ଏହି ସମବାୟ ସମିତି ଜରିଆରେ ପୋକତୁଙ୍ଗା, ଧୋକୁଟା ଓ ନନ୍ଦପୁର ଆଦି ତିନୋଟି ପଞ୍ଚାୟତର ସମୁଦାୟ ୬୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛି ।୨୦୨୧ ମସିହା ଠାରୁ ଅଧିକାଂଶ ସ୍ୱଂୟ ସହାୟକ ଗୋଷ୍ଠୀ ନିଜେ ସ୍ୱବାଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହେବା ପାଇଁ ୨ରୁ ୫ ଲକ୍ଷ ଟଙ୍କା ସମିତି ମାଧ୍ୟମରେ ସଂଯୁକ୍ତ ସମବାୟ ବ୍ୟାଙ୍କ ଲିଃ ଅନୁଗୁଳରୁ ଋଣ ନେଇଛନ୍ତି । ୨୦୨୪ ମସିହା ମଧ୍ୟରେ ସଠିକ୍ ସମୟରେ ସମିତିର ସମ୍ପାଦକଙ୍କୁ ଋଣ ପଇଠ କରିଛନ୍ତି । ଏଥି ସହିତ ଋଣ ସୁଝିବାର ଭାଉଚର ସହିତ ସମିତି ପାସ୍ବୁକ ବହିରେ ମଧ୍ୟ ଟଙ୍କା ସୁଝା ଯାଇଥିବା ସମ୍ପାଦକ ନିଜେ ଲିପିବଦ୍ଧ କରିଛନ୍ତି । କିନ୍ତୁ ସମ୍ପାଦକ ମହିଳା ଗୋଷ୍ଠୀ ସୁଝିଥିବା ଋଣ ଟଙ୍କାକୁ ବ୍ୟାଙ୍କରେ ଡିିପୋଜିଟ ନ କରି ମହିଳା ସଂଘ ଟଙ୍କାକୁ ହଡ଼ପ କରିଛନ୍ତି । ଫଳରେ ମହିଳା ସଂଘ ନେଇଥିବା ଋଣ ଟଙ୍କା ଖିଲାପି ଦେଖାଇବା ସହିତ ୮୨ ଲକ୍ଷ ଟଙ୍କା ଓଭରଡିୟୁ ଦେଖାଉଛି । ଫଳରେ ତିନୋଟି ପଞ୍ଚାୟତର କେତେକ ମହିଳା ସଂଘ ୬ ମାସ ହେଲା ନୂତନ ଋଣ ପାଇଁ ସମସ୍ତ କାଗଜପତ୍ର ସଠିକ୍ ଭାବରେ ଦେଇଥିଲେ ମଧ୍ୟ ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଲିଃ ମ୍ୟାନେଜର ୮୨ ଲକ୍ଷ ଓଭରଡିଉ ଦେଖାଉଥିବା ନେଇ ମହିଳା ସଂଘ ଓ ବ୍ୟାଙ୍କ ମିତ୍ରଙ୍କୁ ଋଣ ଦେବାକୁ ସିଧାସଳଖ ମନା କରିଦେଇଥିଲେ । ଋଣ ଟଙ୍କା ସୁଝି ସାରିଥିବାବେଳେ ଋଣ ନ ମିଳିବା ନେଇ ସମସ୍ତ ମହିଳା ସଂଘ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯାହାକୁ ନେଇ ଗତ ସୋମବାର ସମସ୍ତ ମହିଳା ସଂଘର ସଦସ୍ୟାମାନେ ସମିତିକୁ ଆସି ଘେରାଉ କରିବା ସହିତ ଋଣ ସୁଝିଥିବାର କିଲୟରାନ୍ସ ସାର୍ଟିଫିକେଟ ବର୍ତ୍ତମାନର ସମ୍ପାଦକଙ୍କୁ ମାଗିଥିଲେ ମଧ୍ୟ ସମ୍ପାଦକ ଦେଇନଥିଲେ । ଏ ନେଇ ସମସ୍ତ ମହିଳାମାନେ ଜିଲ୍ଲାପାଳ ଓ ଥାନାରେ ଅଭିଯୋଗ କରିବା ସହିତ ରାଜରାସ୍ତାରେ ଆନେ୍ଦାଳନ କରିବା ନେଇ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସମିତିର ପୂର୍ବତନ ସମ୍ପାଦକ ରବି ନାରାୟଣ ସାହୁ ସମିତିର ୨୮ଲକ୍ଷ ହ୍ୟାଣ୍ଡ କ୍ୟାସ ହଡ଼ପ କରିବା ନେଇ ୮ ଜଣ ନିଦେ୍ର୍ଦଶକ ଅଭିଯୋଗ କରିବା ସହିତ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ତଥାପି ମଧ୍ୟ ବୋର୍ଡ ଉକ୍ତ ସମ୍ପାଦକଙ୍କୁ ଏଆରସିସି ଓ ବ୍ୟାଙ୍କ ମ୍ୟାନେଜରଙ୍କ ଚିଠି ଓ ନିଦେ୍ର୍ଦଶରେ କେବଳ ନିଲମ୍ବିତ କରିବା ସହିତ ସଂପାଦକଙ୍କ ବିରୁଦ୍ଧରେ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି । ଫଳରେ ଏହି ସାଧାରଣ ଓ ମହିଳା ଗୋଷ୍ଠୀଙ୍କ ଟଙ୍କା ହଡ଼ପ ଘଟଣାରେ କେତେକ ଲୋକ ଓ କର୍ମଚାରୀଙ୍କ ହାତ ରହିଥିବା ସନେ୍ଦହ ସୃଷ୍ଟି ହୋଇଛି । ତୁରନ୍ତ ଉକ୍ତ ଘଟଣାକୁ ଗୁରୁତର ଭାବେ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି । ନଚେତ ତିନୋଟି ପଞ୍ଚାୟତର ସମସ୍ତ ମହିଳା ସଂଘ ଓ ଚାଷୀମାନେ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।