ପୋଖରୀ ପୁନରୁଦ୍ଧାରକୁ ନେଇ ଦାନା ବାନ୍ଧୁଛି ଆନେ୍ଦାଳନ


ଢେଙ୍କାନାଳ : ଢେଙ୍କାନାଳ ସହରର ମଧ୍ୟ ଭାଗରେ ଥିବା ଭାଗୀରଥି ସାଗର (ନୂଆ ପୋଖରୀ) ସହରର ଐତିହ୍ୟ ବହନ କରୁଥିବାବେଳେ ଏହା ସହରବାସୀଙ୍କ ସହ ଭାବାବେଗ ସହିତ ଜଡିତ ରହିଛି । ରାଜାଜାଜୁଡା ଅମଳରୁ ଆଜିଯାଏଁ ଏହା ଉପରେ ସହରର ଅର୍ଦ୍ଧାଧିକ ଅଞ୍ଚଳର ବାସିନ୍ଦାମାନେ ସ୍ନାନ ଶୌଚାଦି ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟପାଇଁ ନିର୍ଭର କରୁଛନ୍ତି । ସହରବାସୀଙ୍କ ପ୍ରାଣକେନ୍ଦ୍ର ଭାବେ ପରିଚିତ୨୬ ଏକର ପରିମିତ ଜାଗା ଉପରେ ଥିବା ଏହି ପୋଖରୀର ଅଧିକାଂଶ ହୁଡା ଅଞ୍ଚଳ ଏବେ ଜବର ଦଖଲରେ । ବର୍ଷବର୍ଷ ଧରି ଉପଯୁକ୍ତ ରକ୍ଷଣାବେକ୍ଷଣା ଅଭାବରୁ ଏହାର ଜଳଧାରଣ କ୍ଷମତା ସଂକୁଚିତ ହେଉଥିବାରୁ ପୌରପାଳିକା ପକ୍ଷରୁ ଗତ ୨୦୨୪ ମସିହାରୁ ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା । ଗତବର୍ଷ କାମ ନ ସରିବାରୁ ଚଳିତ ବର୍ଷ ପୁଣି କାର୍ଯ୍ୟ ଚାଲୁ ରହିଛି । ପୋଖରୀରୁ ବାହାରୁ ଥିବା ପଙ୍କ ଓ ମାଟି ବାହାରକୁ ନିଆନଯାଇ ପୋଖରୀ ମଧ୍ୟରେ ହୁଡା ଚାରିପାଖରେ ପକାଯାଉଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେବା ସହ କାର୍ଯ୍ୟ ଠିକ୍ ଭାବେ ହେଉନଥିବା ଅଭିଯୋଗ ହୋଇଛି ।
ଏହାକୁ ନେଇ ଢେଙ୍କାନାଳ ପୋଖରୀ ସୁରକ୍ଷା ସମିତିର ସଦସ୍ୟମାନେ ସଭାପତି ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଭିତର ପାଖ ହୁଡାରେ ପକାଯାଇଥିବା ପଙ୍କମାଟି ସାତ ଦିନ ଭିତରେ ବାହାରକୁ ନିଷ୍କାସନ କରାଯିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ପ୍ରଦାନ କରାଯାଇଛି । ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପୋଖରୀ ସୁରକ୍ଷା ସମିତିର ସଦସ୍ୟମାନେ ୨୦୨୧ ମସିହାଠାରୁ ଏପର୍ଯ୍ୟନ୍ତ ପ୍ରାୟ ଦଶ ଥର ଜିଲ୍ଲାପାଳଙ୍କୁ ଲିଖିତ ଆବେଦନ ପ୍ରଦାନ କରି ଆସୁଛନ୍ତି । ଗତ ୨୦୨୪ ମସିହା ଫେବୃଆରୀ ମାସରେ ଏ ନେଇ ପୌରପାଳିକା ପ୍ରକୋଷ୍ଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ  କାର୍ଯ୍ୟ ଠିକ୍ ନ ହୋଇ ପୌର ପ୍ରଶାସନ ପକ୍ଷରୁ ପୁନଃ ପଙ୍କମାଟିକୁ ପୋଖରୀ ଭିତର ପାଖରେ ଗଦା କରି ଆଉ ଗୋଟିଏ ହୁଡ଼ା କରାଯାଉ ଥିବାରୁ ଗତ ୧୨ଜୁଲାଇ ୨୦୨୪ ଦିନ ଢେଙ୍କାନାଳ ବନ୍ଦର ଆହ୍ୱାନ ଦିଆଯାଇଥିଲା । ଏହାର ସମାଧାନ ପାଇଁ ୧୦ ଜୁଲାଇ ୨୦୨୪ ରେ ଜିଲ୍ଲା ପ୍ରଶାସନ ବୈଠକ ଡାକିଥିଲେ ଏବଂ ତାଲିକାଭୁକ୍ତ ଭାବରେ ପୁନଃ ଆଦେଶ ଜାରି କରିଥିଲେ ଯେ ୧୫ ଦିନ ମଧ୍ୟରେ ସମସ୍ତ ପଙ୍କମାଟି ପୋଖରୀରୁ ବାହାରକୁ ନିଆଯିବ । ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ବିଷୟ ଯେ, ଏହି ସବୁ ନିଷ୍ପତ୍ତି ଓ ଆଦେଶକୁ ପାଳନ କରାଯାଇନାହିଁ ଏବଂ ଭାଗୀରଥି ସାଗର ପୋଖରୀର ଭିତର ପାଖରେ ୪୦ ରୁ ୫୦ ଫୁଟ ମାଟି ଗଦାଇ ଜଳଧାରଣ କ୍ଷମତାକୁ ହ୍ରାସ କରାଯାଉଛି ଓ ଏହାର ଆକାର ସଙ୍କୁଚିତ ହେଉଛି । ଯାହା ସହରବାସୀଙ୍କୁ ଭବିଷ୍ୟତରେ ବହୁ ପରିମାଣରେ ଜଳକଷ୍ଟ ଦେବ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମିତି ଅନୁରୋଧ କରିଛି ଯେ, ଆଗାମୀ ୭ ଦିନ ମଧ୍ୟରେ ପୋଖରୀ ମଧ୍ୟରେ ରହିଥିବା ସମସ୍ତ ପଙ୍କମାଟି ବାହାରକୁ ନେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ । ଅନ୍ୟଥା ପୋଖରୀ ସୁରକ୍ଷା ସମିତି ବାଧ୍ୟ ହୋଇ ଏହି ଆନେ୍ଦାଳନକୁ ଅଧିକ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି । ଦାବିପତ୍ର ପ୍ରଦାନ  ସମୟରେ ଓକିଲ ସଂଘ ଉପସଭାପତି ଟଙ୍କଧର ବେହେରା, ଆଇନଜୀବୀ ନିର୍ମଳ ମିଶ୍ର, ପୌର ଉପାଧ୍ୟାକ୍ଷ ପ୍ରକାଶ କୁଅଁର, ୪ନଂ ୱାର୍ଡ କାଉନସିଲର ଲିପିକା ଦାସ, ୬ନଂ ୱାର୍ଡ କାଉନସିଲର ସନ୍ଦୀପ ଷଡ଼ଙ୍ଗୀ, ୧୨ୱାର୍ଡ  କାଉନସିଲର ଶୁଭଲକ୍ଷ୍ମୀ ସାହୁ, ପୋଖରୀ ସୁରକ୍ଷା ସମିତି ଆବାହକ ପ୍ରଶାନ୍ତ ମିଶ୍ର, ଭରତ କୁମାର ଦାସ, ସଂପାଦକ ଅଶୋକ ସ୍ୱାଇଁ, ଅଖିଳ ମହାପାତ୍ର, ପ୍ରିୟବ୍ରତ ଗଡ଼ନାୟକ, ମନ୍ମଥ ରାଓ, ଦିଲ୍ଲୀପ ରାଉତ, ଉଦୟନାଥ ବେହେରା, ପ୍ରେମଶଙ୍କର ମିଶ୍ର, ପଙ୍କଜ ନାୟକ, ଚିତ୍ତରଞ୍ଜନ ରାଉତ, ଶାନ୍ତନୁ ସାହୁ, ମୁରଲୀ ପଟ୍ଟନାୟକ, ସବିତା ଦାସ, ବାସନ୍ତୀ ସ୍ୱାଇଁ, ବ୍ରଜେନ୍ଦୁ ନାୟକ, ରୁଦ୍ରପ୍ରକାଶ ଶରଣ, କିଶୋର ବେହେରା, ଜିତେନ୍ଦ୍ର ବେହେରା, ବିକାଶ ସ୍ୱାଇଁ, କେଶବ ବେହେରା, ଶଙ୍କର ରଥ, ମାୟାଧର ସେଠୀ, ଆନନ୍ଦ ସ୍ୱାଇଁ, ସ୍ୱପ୍ନାରାଣୀ ଜେମ୍ସ, ଗୋକୁଳାନନ୍ଦ ମାଝୀ, ପ୍ରଦୀପ ଦାସ, ମୁକ୍ତାର ଆବିଦ ବକ୍ସ, ଲଳିତ ବେହେରା ପ୍ରମୁଖଙ୍କ ସହିତ ଅନେକ ପୋଖରୀ ଚତୁର୍ପାଶ୍ୱ ଅଧିବାସୀ ଓ ବହୁ ଐତିହ୍ୟ ପ୍ରେମୀ ଉପସ୍ଥିତ ଥିଲେ ।