ପୋଲିସ-ମାଓବାଦୀ ମୁହାଁମୁହିଁ
ବଲାଙ୍ଗିର : ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ପୋଲିସ-ମାଓବାଦୀ ମୁହାଁମୁହିଁ। ଖପ୍ରାଖୋଲ ବ୍ଲକ ଭାନପୁର ଗାଁ ନିକଟରେ ଏନକାଉଣ୍ଟର ହୋଇଛି। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଗନ୍ଧମାର୍ଦ୍ଦନରେ ଏବେ ବଲାଙ୍ଗିର ଓ ବରଗଡ଼ ପୋଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ କରାଯାଉଛି। ବଲାଙ୍ଗିର ଏସପି ରିସିକେଶ ଖିଲାରୀ ଏନେଇ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ମାଓବାଦୀମାନେ ଲୁଚିଥିବା ନେଇ ଗୁନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ବଲାଙ୍ଗିର ଓ ବରଗଡ଼ ପୋଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ତେବେ ଏହି ଏନକାଉଣ୍ଟରରେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।