ମୁଖିଆ ପାଉନାହାନ୍ତି ରାଜ୍ୟ ବିଜେପି ଓ କଂଗ୍ରେସ

ମୁଖିଆ ପାଉନାହାନ୍ତି ରାଜ୍ୟ ବିଜେପି ଓ କଂଗ୍ରେସ

ଭୁବନେଶ୍ବର: ମୁଖିଆ ପାଉନାହାନ୍ତି ରାଜ୍ୟ ବିଜେପି ଓ କଂଗ୍ରେସ। ୭ ମାସ ଧରି କଂଗ୍ରେସ ବିନା ମୁଖିଆରେ ଚାଲିଥିବା ବେଳେ, ନିର୍ବାଚନ ପ୍ରକ୍ରିୟାର ଡେଡଲାଇନ ପରେ ବି ନୂଆ ସଭାପତି ବାଛିପାରୁନି ବିଜେପି । ଦୁଇ ଦଳରେ ସଭାପତି ହେବା ପାଇଁ ବହୁ ଆଶୀୟୀ ଥିବାରୁ ଛିଡୁନି ଅଙ୍କ । ଡେଡଲାଇନ ସରିବା ପରେ ବି ବିଜେପି ଓ କଂଗ୍ରେସରେ ଚୟନ ହୋଇପାରୁ ନାହାନ୍ତି ମୁଖିଆ । ଶାସକ ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଏଯାଏଁ ଘୋଷଣା ହୋଇପାରୁନାହିଁ ୧୪ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ । ଦଳୀୟ ବିଧାୟକ ଅଶୋକ ମହାନ୍ତିଙ୍କ ଯୁକ୍ତି, ଶୀର୍ଷ ନେତୃତ୍ବ ସବୁ ଦିଗକୁ ବିଚାର କରି ସଭାପତି ଚୟନ କରିବେ । ରାଜନୀତିରେ ଆଶାୟୀ ଅଧିକ ରହିବା ସ୍ବାଭାବିକ କଥା । କେନ୍ଦ୍ରୀୟ ସଭାପତି ଦକ୍ଷ ଲୋକଙ୍କୁ ସଭାପତି ଚୟନ କରିବେ । ବିଜେପି ରାଜ୍ୟ ସଭାପତି ରେସରେ ବର୍ତ୍ତମାନର ସଭାପତି ମନମୋହନ ସାମଲ ଆଗରେ ରହିଥିବା ବେଳେ, ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଛି ।

ଅନ୍ୟପଟେ ୭ ମାସ ହେବ ଚୟନ ହୋଇପାରୁନି କଂଗ୍ରେସ ମୁଖିଆ। ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ରେସରେ ସାଂସଦ ସପ୍ତଗିରି ଉଲାକା ଆଗରେ ଥିବା ବେଳେ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଭକ୍ତ ଚରଣ ଦାସଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଏଆଇସିସିର ଦୁଇ ପର୍ୟ୍ୟବେକ୍ଷକ ମତାମତ ନେବା ପରେ ବି ସଭାପତି ଚୟନ କରିପାରୁନି ଦଳ ।ନିର୍ବାଚନର ୮ ମାସ ପରେ ଦୁଇ ଜାତୀୟ ଦଳରେ ମୁଖିଆ ଚୟନ ହୋଇ ନପାରିବା ଉଭୟ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।