ପ୍ରଶାସନର ଅବହେଳା ଓ ଅଣଦେଖାକୁ ପ୍ରତିବାଦ : ଧାରଣାରେ ବସିଲେ ସାମ୍ବାଦିକ

 ଢେଙ୍କାନାଳ:  ସାମ୍ବାଦିକମାନଙ୍କୁ ବ୍ଲକ ପ୍ରଶାସନର ଅବହେଳା ଓ ଅଣଦେଖା ପ୍ରଦର୍ଶନ କରୁଥିବା ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ପ୍ରେସ କ୍ଲବ ସଭାପତି ମହେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା  ଓ ଧାରଣା ଗଁଦିଆ ବ୍ଲକ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଯେ, ଗଁଦିଆ ବ୍ଲକରେ ଦୀର୍ଘ ଦିନରୁ ବ୍ଲକ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନେ ସାମ୍ବାଦିକମାନଙ୍କୁ ଅବହେଳା ପ୍ରଦର୍ଶନ କରୁଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ଅଣଦେଖା କରାଯାଉଛି । ଏହାର ପ୍ରତିବାଦରେ ଗଁଦିଆ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ପ୍ରତିନିଧିମାନେ ଏକତ୍ର ହୋଇ ବ୍ଲକ ପରିସରରେ ଗାନ୍ଧିଜୀଙ୍କ ଫଟୋ ଚିତ୍ର ରଖି କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦରେ ଧାରଣାରେ ବସିଥିଲେ । ଖବର ପାଇଁ ଘଟଣାସ୍ଥଳକୁ ଗଁଦିଆ ବିଡ଼ିଓ ପବିତ୍ର କୁମାର ବେହେରା, ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଯୋଗାଣ ମନ୍ତ୍ରୀଙ୍କ ପ୍ରତିନିଧି ରତିକାନ୍ତ ସାହୁ, ସାଂସଦଙ୍କ ପ୍ରତିନିଧି ଲଳିତ ମୋହନ ଦାସ ପ୍ରମୁଖ ପହଞ୍ଚô ସାମ୍ବାଦିକମାନଙ୍କୁ ବୁଝାସୁଝା କରିଥିଲେ । ପରେ ସାମ୍ବାଦିକମାନଙ୍କ ପ୍ରତିନିଧି ମହେନ୍ଦ୍ର ସାହୁ, ଶିଶିର ଶତପଥୀ, ତାରାକାନ୍ତ ନାୟକ, ଆନନ୍ଦ ଚନ୍ଦ୍ର ମହାନ୍ତି, ବାଦଲ ମହାନ୍ତି, ସରୋଜ ଶତପଥୀ, ସୌମ୍ୟରଞ୍ଜନ ମହାନ୍ତି ଓ ପୁଷ୍ପଲତା ସାମଲ ଓ ପ୍ରଶାସନ ପକ୍ଷରୁ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ଆଲୋଚନା ହୋଇଥିଲା । ପ୍ରଶାସନ ପକ୍ଷରୁ ଦୋଷ ତ୍ରୁଟିକୁ ସୁଧାର କରାଯିବା ପାଇଁ ସହମତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ସାମ୍ୱାଦିକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ପଥରେ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ । ଏବଂ ସମସ୍ତ ଲୋକ ପ୍ରତିନିଧିମାନେ ସହମତି ହୋଇଥିଲେ । ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶାନ୍ତନୁ ପ୍ରଧାନ ବୈଠକରେ ଉପସ୍ଥିତ ଥିଲେ ।