ଠକେଇ ଶିକାର ବ୍ୟାଙ୍କ କର୍ମଚାରୀଙ୍କ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ: ସହରର ପେଣ୍ଠସ୍ଥଳ ମହାବୀର ବଜାରରେ ଥିବା ଆକ୍ସିସ୍ ବ୍ୟାଙ୍କର ପରିଚାଳକ ଏବଂ କର୍ମଚାରୀମାନେ ଜମାକାରୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କୁ ଜମା ପୁଞ୍ଜି ବାବଦରେ ଚଞ୍ଚକତା କରି ଠକିଥିବା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପ୍ରକାଶ ଯେ, ଶ୍ରୀ ପଟ୍ଟନାୟକ ଆକ୍ସିସ୍ ବ୍ୟାଙ୍କକୁ ଜମା ପୁଞ୍ଜି ବାବଦରେ ଏକ ଫିକ୍ସ ଡିପୋଜିଟ୍ କରିଥିଲେ । ଉକ୍ତ ଡିପୋଜିଟ୍ ପୁଞ୍ଜି ଭାଙ୍ଗି ଇନ୍ସୁ୍ୟରାନ୍ସ ପଲିସି କରିବା ପାଇଁ ସଂପୃକ୍ତ ବ୍ୟାଙ୍କର ପରିଚାଳକ କାର୍ତ୍ତିକେଶ୍ୱର ସାହୁ, ସହ ପରିଚାଳକ ଦେବ ପ୍ରସାଦ ଭୂୟାଁ, ସୁଧାଂଶୁ ପରିଡା, ଆରିଫ ହୋସେନ୍, ସ୍ୱାତୀ ମିଶ୍ର ଓ ମଧୁସ୍ମିତା ସାହୁ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କ ଘରକୁ ବାରମ୍ବାର ଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କର ଇନ୍ସୁ୍ୟରାନ୍ସ କରାଇଥିଲେ । ଯେଉଁ ଇନ୍ସୁ୍ୟରାନ୍ସରେ କେବଳ ମାସିକ ପେନ୍ସନ୍ ଭଳି ଅର୍ଥ ପ୍ରାପ୍ୟ ପାଇବେ ବୋଲି ତାଙ୍କୁ ପ୍ରଲୋଭିତ କରିଥିଲେ । ସେମାନଙ୍କ ପ୍ରଲୋଭନରେ ପ୍ରଭାବିତ ହୋଇ ଶ୍ରୀ ପଟ୍ଟନାୟକ ବ୍ୟାଙ୍କ କର୍ମଚାରୀଙ୍କ ପ୍ରସ୍ତାବରେ ରାଜି ହୋଇ ଇନ୍ସୁ୍ୟରାନ୍ସ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ ସେ ଜମା କରିଥିବା ପୁଞ୍ଜି ଇନ୍ସୁ୍ୟରାନ୍ସ ବାବଦକୁ ହୋଇଥିଲେ ମଧ୍ୟ ମୂଳ ପୁଞ୍ଜି ଆଉ ସେ ପାଇପାରିବେ ନାହିଁ । ଏପରି କାହିଁକି ହେଲା ବୋଲି ସଂପୃକ୍ତ ବ୍ୟାଙ୍କ କର୍ମଚାରୀମାନଙ୍କୁ ପ୍ରଶ୍ନ କରିବାରୁ ସେମାନେ ଉତ୍ତର ଦେଇଥିଲେ ଯେଉଁ କର୍ମଚାରୀମାନେ ଆପଣଙ୍କର ଇନ୍ସୁ୍ୟରାନ୍ସ କରାଇଛନ୍ତି ସେମାନଙ୍କୁ କୁହନ୍ତୁ, କିନ୍ତୁ ଆପଣଙ୍କ ପାଇଁ ଏ ବାବଦରେ କିଛି କରିପାରିବୁ ନାହିଁ । ଉକ୍ତ ବ୍ୟାଙ୍କ କର୍ମଚାରୀମାନେ ବର୍ତ୍ତମାନ ବଦଳି ହୋଇ ଯାଇଛନ୍ତି । ସେମାନଙ୍କୁ ସମସ୍ତ କଥା ଜଣାନ୍ତୁ ବୋଲି କହିଥିଲେ । ଏକଥା ଶୁଣି ଶ୍ରୀ ପଟ୍ଟନାୟକ ହତାଶ ହୋଇ ଜାଣିବାକୁ ପାଇଥିଲେ ଯେ, ସଂପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ସେ ବଡ ଠକେଇର ଶିକାର ହୋଇଛନ୍ତି । ଏ ସଂପର୍କରେ ଶ୍ରୀ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି ।