ପ୍ରହସନ ପାଲଟିଛି ଯୋଜନା : କେବେ ଦୂର ହେବ ଦାଦନ ସମସ୍ୟା?

 କୋରାପୁଟ : ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲେ ଓଡିଶାରୁ ଦାଦନ ଚାଲାଣ ରୋକାଯିବ ବୋଲି ଗତ ୨୦୨୪ ମସିହା ଅପ୍ରେଲ ମାସ ୨୫ ତାରିଖରେ ସୋନପୁର ଠାରେ ଏକ ନିର୍ବାଚନୀ ସଭାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ । ଇତି ମଧ୍ୟରେ ଦୀର୍ଘ ୧୬ ମାସ ବିତିଗଲାଣି । ଦାଦନ ଚାଲାଣ ରୋକାଯିବା ପରିବର୍ତ୍ତେ ପଶ୍ଚିମ ଓଡିଶାରୁ ଦାଦନ ଚାଲାଣ ଅହେତୁକ ଭାବେ ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୫ ତାରିଖରେ ଦାଦନ ଚାଲାଣ ରୋକିବା ସମ୍ପର୍କିତ ଟାସ୍କଫୋର୍ସର ଏକ ବୈଠକ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଦାଦନ ଚାଲାଣକୁ ନିୟନ୍ତ୍ରଣ, ଦାଦନ ଚଲାଣକାରୀ ସର୍ଦ୍ଦାରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ, ଦାଦନ ଖଟିବାକୁ ଯାଉଥିବା ବିଭିନ୍ନ ରାଜ୍ୟକୁ ଗସ୍ତ କରି ଦାଦନ ଭାବେ ଯିବାର କାରଣ ଓ ଅନୁଧ୍ୟାନ ଖୋଜିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଟାସ୍କଫୋର୍ସରେ ଅଧ୍ୟକ୍ଷତା କରିଥିବା ଖୋଦ୍‌ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ଓ ରାଜ୍ୟ ବାହାରେ ପଞ୍ଜୀକୃତ ବହୁ ସଂଖ୍ୟାରେ ଘରୋଇ ବସ୍ରେ ଦୈନିକ କୋରାପୁଟ ଜିଲ୍ଲା ଦେଇ ବ୍ୟାପକ ଭାବେ ଦାଦନ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଦିନକୁ ଦିନ ପଶ୍ଚିମ ଓଡିଶାର କିଛି ସ୍ଥାନରୁ ଘରୋଇ ବସ୍‌ ସଂଖ୍ୟା ବଢୁଥିବାବେଳେ ରାଜ୍ୟ ବାହାରେ ପୀଞ୍ଜିକୃତ କିଛି ଅଣଓଡିଆ ବସ୍ର ପ୍ରାଦୁର୍ଭାବ ଓ ଗାଁ ଗାଁକୁ ଯାଇ ସର୍ଦ୍ଦାର ଭଳି ଦାଦନ ଯୋଗାଡ କରି ଚାଲାଣ କରାଯାଉଥିଲେ ମଧ୍ୟ ପ୍ରଶାସନ ବିଶେଷ କରି ଶ୍ରମ ବିଭାଗ, ପରିବହନ ବିଭାଗ ଓ ପୁଲିସ ମଧ୍ୟରେ ସମନ୍ୱୟ ଅଭାବରୁ ହେଉ ଅବା ବିଭିନ୍ନ ଉପାୟରେ ପ୍ରଭାବିତ ହୋଇ ହେଉ ଦୃଢ କାର୍ଯ୍ୟାନୁଷ୍ଠାନ ଅଭାବରୁ ଧାର୍ଯ୍ୟ ସିଟ୍‌ ବା ସ୍ଲିପରର ଦୁଇରୁ ଅଢେଇ ଗୁଣା ଅଧିକ ସଂଖ୍ୟାରେ ଦାଦନ ବୋହି ହାଇଦ୍ରାବାଦ୍‌, ବିଜୟୱାଡାକୁ ନିର୍ବିଘ୍ନରେ ଯାତାୟତ କରିଥାନ୍ତି ।
 କାମ ଧନ୍ଦା ନ ପାଇ ପେଟ ପାଟଣା ଉଦେ୍ଦଶ୍ୟରେ ଲୋକେ ପ୍ରାୟତଃ ଦାଦନ ଖଟିବାକୁ ବିଭିନ୍ନ ରାଜ୍ୟକୁ ବିଭିନ୍ନ ଉପାୟରେ ଚାଲାଣ ହୋଇଥାନ୍ତି । ଗାଁରେ ଯଦି ପେଟପାଟଣାର ଆବଶ୍ୟକତା ଅନୁଯାୟୀ କାମ ମିଳୁଥାନ୍ତା ତା’ ହେଲେ ପରିବାର ଓ ଭିଟାମାଟି ଛାଡି ଲୋକେ କଦାପି ଦାଦନ ଭାବେ ଯିବାକୁ ଚାହିଁ ନଥାନ୍ତେ । ମନେରଗା ଯୋଜନାରେ କାମ କରିଥିବା ଟଙ୍କା ତକ ଆକାଉଣ୍ଟକୁ ଯାଇଥାଏ କିନ୍ତୁ ଦାଦନ ଖଟିବାକୁ ଗଲେ ୨ଗୁଣା ଟଙ୍କା ସାଙ୍ଗକୁ ନଗଦ ମିଳୁଥିବା ପ୍ରଲୋଭନର ଶିକାର ହୋଇ ଗ୍ରାମାଞ୍ଚଳର ଲୋକେ ବିଭିନ୍ନ ମାଧ୍ୟମରେ ଦାଦନ ହୋଇ ଯିବାକୁ ଶ୍ରେୟ ମଣିଥାନ୍ତି । ଦଳ ବଦ୍ଧ ଭାବେ ବସ୍ ଯୋଗେ ଓ ସମୟ ସୁବିଧା ଦେଖି ରେଳ ଯୋଗେ ଗାଁରୁ ଲୋକେ ଯାଇଥାନ୍ତି । ଲୋକେ ଦାଦନ ସକାଶେ ପରିବାର ଓ ଭିଟାମାଟି ଛାଡିବାବେଳେ ସମିତି ସଭ୍ୟ, ୱାର୍ଡ ମେମ୍ବର, ସରପଞ୍ଚ ଆଦି ନିର୍ବାଚିତ ପ୍ରତିନିଧିଙ୍କ ନଜରକୁ ଏହା ଆସୁନଥିବାରୁ ଦାଦନ ଚାଲାଣକାରୀ ଗଦ ଶୁଘାଂଇଥିବା ସାଧାରଣରେ ଆଲୋଚନା ହେଉଛି । କିନ୍ତୁ କୌଣସି ଜାଗାରେ ଦାଦନକୁ ବନ୍ଦୀଭାବେ ରଖାଗଲେ ହେଉ ଅବା କୌଣସି ଅସୁବିଧା ଉପୁଜିଲେ ହେଉ ତତ୍‌କ୍ଷଣାତ୍‌ ସରକାରଙ୍କୁ ଦାୟୀ କରାଯିବା ଆମ ଓଡିଶାରେ ଏକ ପରମ୍ପରା କହିଲେ ଅତୁ୍ୟକ୍ତି ହେବ ନାହିଁ । ଆବଶ୍ୟକୀୟ ସଚେତନତା ଅଭାବରୁ ଦାଦନ ହୋଇ ଯିବାକୁ ଲୋକେ ବାହାରିଥାନ୍ତି । ଅନ୍ୟପକ୍ଷରେ ଦାଦନ ଖଟାଇବାକୁ ନେଉଥିବା ଦଲାଲ ବା ବ୍ୟକ୍ତିବିଶେଷ ଓ ସଂସ୍ଥାର କୌଣସି ଉତ୍ତର ଦାୟିତ୍ୱ ରହୁନାହିଁ । ଦାଦନ ଚାଲାଣ ଖିଲାଫକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସକାଶେ ନିୟମ ପ୍ରଣୟନ ହେବା ସହ ବେଳ ଥାଉଣୁ ହାଇଦ୍ରାବାଦ୍‌ ଓ ବିଜୟୱାଡାକୁ ପଶ୍ଚିମ ଓଡିଶାରୁ ଘରୋଇ ବସ  ବାହରୁଥିବା ବିଭିନ୍ନ ସ୍ଥାନର ପୁଲିସ ଥାନା ସମେତ କଳାହାଣ୍ଡିର ଆମ୍ବପାଣି ଥାନା ନିଷ୍ଠାର ସହ ଯାଞ୍ଚ କଲେ ଦାଦନ ଚାଲାଣ ଗୋଟିଏ ଦିନରେ ନିୟନ୍ତ୍ରଣକୁ ଆସି ବନ୍ଦ ହୋଇ ଯାଇପାରିବ । ଏହସହ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କରାଗଲେ ଦାଦନ ଖଟିବାକୁ ଆଉ କେହି ଯିବେ ନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।