ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଲା ବାଇକ୍‌ : ଚିକିତ୍ସାଳୟରେ ଆହତଙ୍କ ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିଲେ

ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଲା ବାଇକ୍‌ : ଚିକିତ୍ସାଳୟରେ ଆହତଙ୍କ ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିଲେ

ଦେବଗଡ : ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଲା ବାଇକ୍‌ । ଦେବଗଡ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ କାର୍‌କୁ ଧକ୍କା ଦେଇ ୨ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟ୍ଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ବଳମ ସ୍ଥିତ ଜାଗୃତି ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜାର ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଯୋଗଦେବାକୁ ମନ୍ତ୍ରୀ ରବି ନାରାୟଣ ନିଜ କାର୍‌ ଯୋଗେ ଆସୁଥିଲେ ଏବଂ ଆଗରେ ପୁଲିସର ଗାଡି ମଧ୍ୟ ଯାଉଥିଲା । ତେବେ ମନ୍ତ୍ରୀ ନାୟକ ଅଳ୍ପ ଦୂରରେ ଥିବା ମଳମ ଶାସନ ସାହିରେ ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବାକୁ ଅଟକିଥିଲେ । ଫଳରେ ପୋଲିସ ପାଇଲଟିଂ ଗାଡିଟି ଆଗକୁ ଅଗ୍ରସର ହେବା ସହ ବଳମ ମୁଖ୍ୟ ଛକ ପାରି ହୋଇଥିଲା । କିଛି ସମୟ ପରେ ମନ୍ତ୍ରୀଙ୍କ କାର୍‌ଟି ବଳମ ମୁଖ୍ୟ ଛକରେ ଥିବା ମେଡିଆନ କ୍ରସିଂରେ ରାସ୍ତାର ଡାହାଣ ପାର୍ଶ୍ୱକୁ ବୁଲାଇଉଥିବା ବେଳେ ପଛପଟୁ ଏକ ବାଇକରେ ଆସୁଥିବା ଭାଲୁମୁଣ୍ଡା ଗ୍ରାମର ଦିଗାମ୍ବର ପ୍ରଧାନ( ୨୨) ଓ ପ୍ରଦୀପ ପଲେଇ ଉକ୍ତ କାର୍‌ଟିକୁ ପଛପଟୁ ଧକ୍କା ଦେବାସହ ରାସ୍ତା ଉପରକୁ ଛିଟିକି ପଡି ଆହତ ହୋଇଥିଲେ । ପୁଲିସ ଉଭୟ ଆହତଙ୍କୁ ଉଦ୍ଧର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଦିଗାମ୍ବରଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ମନ୍ତ୍ରୀ ବଳମ ଦୁର୍ଗାପୂଜା ମଣ୍ଡପରେ ପହଞ୍ଚି ଆୟୋଜିତ ରୌପ୍ୟ ଜୟନ୍ତୀ ସାମାରୋହରେ ଯୋଗ ଦେଇସାରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଆହତମାନଙ୍କୁ ସାକ୍ଷାତ କରିଥିଲେ ।