ପ୍ଲାଷ୍ଟିକ୍ ସଙ୍କଟ
ଗୋଟିଏ ସମୟ ଥିଲା ଯେତେବେଳେ ବିଭିନ୍ନ ଘରୋଇ ପଦାର୍ଥରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସେବା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ଲାଷ୍ଟିକ୍ର ଉପଯୋଗକୁ ଉତ୍ସାହିତ କରାଯାଉଥିଲା । ବର୍ତ୍ତମାନ କିନ୍ତୁ ପ୍ଲାଷ୍ଟିକ୍ ମାନବ ସଭ୍ୟତା ପାଇଁ ଏକ ଅଭିଷାପରେ ପରିଣତ ହୋଇଗଲାଣି । ପ୍ଲାଷ୍ଟିକ୍ ହେଉଛି ଏକ ସିନ୍ଥେଟିକ୍ ପଦାର୍ଥ । ବିଭିନ୍ନ ରାସାୟନିକ ପଦାର୍ଥର ସଂଶ୍ଳେଷଣରେ ଏହାର ସୃଷ୍ଟି । ଏହି ପଦାର୍ଥଗୁଡ଼ିକ ଯେତେବେଳେ ବ୍ୟବହାର ପରେ ନଷ୍ଟ ହେବା ଆରମ୍ଭ କରେ ସେତେବେଳେ ହିଁ ଏହା ମନୁଷ୍ୟ ତଥା ଜୀବଜଗତ ପ୍ରତି ଅଭିଶାପରେ ପରିଣତ ହୁଏ ।
ବର୍ତ୍ତମାନ ଖାଉଟି ବଜାରରେ ମିଳୁଥିବା ପ୍ରାୟତଃ ସବୁ ପଦାର୍ଥ ପ୍ଲାଷ୍ଟିକ୍ ପ୍ୟାକିଂ ଏବଂ ପଲିଥିନ୍ ପ୍ୟାକିଂରେ ଆସୁଛି । ଟଙ୍କାକିଆ ତେଲ ପୁଡ଼ିଆରୁ ଆରମ୍ଭ କରି ମସଲା, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ପର୍ଯ୍ୟନ୍ତ ସବୁକିଛିର ୧୦/୨୦ ଗ୍ରାମରୁ ଆରମ୍ଭ କରି ଏକ କେଜି କିମ୍ବା ଏକ ଲିଟର୍ ପର୍ଯ୍ୟନ୍ତ ଓଜନ ଓ ପରିମାଣର ପ୍ଲାଷ୍ଟିକ୍ ପାଉଚ୍ ବର୍ତ୍ତମାନ ସମୟରେ ଏତେମାତ୍ରାରେ ବ୍ୟବହାର କରାଯାଉଛି ଯେ ସାମାନ୍ୟ ବର୍ଷାରେ ନାଳ ନର୍ଦ୍ଦମା ପାଣି ଅଟକିବା ପାଇଁ ଏ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ଖୋଳ ହିଁ ସବୁଠାରୁ ବଡ଼ କାରଣ ପାଲଟୁଛି । ବିଭିନ୍ନ ସମୟରେ ୫୦ ମାଇକ୍ରନ୍ରୁ କମ୍ ମୋଟେଇର ପଲିଥିନ୍ ବ୍ୟବହାରକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ହାଟବଜାରରେ ସବୁଠି ଏସବୁ ମିଳୁଛି । ଏହା କେବଳ ଭାରତର ସମସ୍ୟା ନୁହେଁ, ଏହା ଏକ ବିଶ୍ୱସ୍ତରୀୟ ସମସ୍ୟା । ପ୍ଲାଷ୍ଟିକ୍ର ନାନୋ କଣିବା ବା କ୍ଷୁଦ୍ର କଣିକା ମନୁଷ୍ୟ, ପଶୁପକ୍ଷୀ ଏପରିକି ଉଦ୍ଭିଦ ପର୍ଯ୍ୟନ୍ତ କୋଷ ଭିତରକୁ ଯାଇ ଭୟଙ୍କର ରୋଗ ସୃଷ୍ଟି କରୁଥିବାର ପ୍ରମାଣ ମିଳିଲାଣି । ଏବେ ନିକଟରେ ପ୍ଲାଷ୍ଟିକ୍ ରାଜିନାମାକୁ ନେଇ ଜେନିଭା ଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୭୦ଟି ଦେଶ ପ୍ଲାଷ୍ଟିକ୍ ଉପରେ ଅଙ୍କୁଶ ଲଗାଯିବା ସହିତ ଏଥିରୁ ନିର୍ଗତ ହେଉଥିବା କ୍ଷତିକାରକ ପଦାର୍ଥ ଉପରେ ନିୟନ୍ତ୍ରଣ ରଖାଯିବା ପାଇଁ ଆଇନ୍ ଅଣାଯିବାକୁ ଚାହୁଁଥିଲେ । ହେଲେ ଏହାରି ବିରୁଦ୍ଧରେ ଶହେଟି ଦେଶର ଏକ ଗୋଷ୍ଠି କେବଳ ରିସାଇକ୍ଲିଂ ପ୍ଲାଷ୍ଟିକ୍ ଆବର୍ଜନା ପରିଚାଳନା ଚାହିଁଥିଲେ । ଏହି ବୈଠକ ପୂର୍ବରୁ ଦୁଇପ୍ରକାର ମତକୁ ନେଇ କିଛି ଏକ ନିଷ୍କର୍ସ ବାହାରିବ ବୋଲି ସନେ୍ଦହ ସୃଷ୍ଟି ହୋଇଥିଲା । ପ୍ଲାଷ୍ଟିକ୍ର ବ୍ୟବହାରକୁ ନେଇ ଏ ପ୍ରକାରର ମତଭେଦ ଗତ ଦଶନ୍ଧି ଧରି ଚାଲିଆସିଛି, କିନ୍ତୁ ଏହାର ସମାଧାନ ହୋଇପାରୁନାହିଁ । ନିକଟରେ ୧୮୪ଟି ଦେଶ ୟୁଏନ୍ୟୁପି ସମ୍ମିଳନୀରେ ଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପର ବିରୁଦ୍ଧରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ତେଣୁ ଏହି ଆଲୋଚନା ଏକ ପ୍ରକାରର ବିଫଳ ବୋଲି କୁହାଯାଇପାରିବ । ଗତ ୩ ବର୍ଷ ମଧ୍ୟରେ ଏ ପ୍ରସଙ୍ଗରେ କିଛି ଏକ ସମସ୍ତେ ମାନିବା ଭଳି ରାଜିନାମାରେ ପହଞ୍ଚିବା ପାଇଁ ୬ ଥର ଉଦ୍ୟମ ହେଲାଣି । ୧୦ ଦିନ ଆଲୋଚନା ପରେ ମଧ୍ୟ ଏହାର କୌଣସି ଫଳ ବାହାରିଲା ନାହିଁ । ଭବିଷ୍ୟତରେ ପୁଣିଥରେ ଏ ସମ୍ପର୍କିତ ଏକ ଆଲୋଚନା ପାଇଁ ସଦସ୍ୟ ରାଷ୍ଟ୍ରମାନେ ରାଜି ହୋଇଛନ୍ତି । ତେବେ ପ୍ଲାଷ୍ଟିକ୍ ବର୍ତ୍ତମାନ ବିଶ୍ୱ ପାଇଁ ଏକ ଅଭିଶାପରେ ପରିଣତ ହୋଇଥିବା ବେଳେ ଏହା ଉପରେ କି ପ୍ରକାରର ନିୟନ୍ତ୍ରଣ ଲଗାଯିବ ଏବଂ ଏହାର ବିକଳ୍ପ ଭାବରେ କଣ ବ୍ୟବହାର କରାଯିବ ସେସମ୍ପର୍କରେ ମଧ୍ୟ ନିର୍ଦ୍ଧିଷ୍ଟ ଭାବରେ କିଛି ମତ ଆସିପାରୁନାହିଁ । ସମଗ୍ର ବିଶ୍ୱରେ ବର୍ଷକୁ ୪୩୦ ନିୟୁତ ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ଉତ୍ପାଦିତ ହେଉଛି । ବିଭିନ୍ନ ପ୍ରକାରରେ ଏସବୁ ସମୁଦ୍ରକୁ ହିଁ ଯାଉଛି । ସେଠାରେ ଜମି ରହି ସମଗ୍ର ଜୀବଜଗତ ଏପରିକି ଉଦ୍ଭିଦ ଜଗତ ପ୍ରତି ବିପଦ ସୃଷ୍ଟି କରୁଛି । ଏବେ ଏହାର ବିକଳ୍ପ ଉପରେ ଚିନ୍ତା କରାଯିବା ଆବଶ୍ୟକ ।