ଫସିଲେ ଆଉଜଣେ ଆପ୍ ନେତା: ୭ କୋଟି ଲାଞ୍ଚ ନେଇଥିଲେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ୍)ର ପିଛା ଛାଡ଼ୁନି ଦୁର୍ନୀତି । ସେ ମଦ ହେଉ ଅବା ଶିକ୍ଷାନୀତି । ପ୍ରାୟ ଅନେକ କ୍ଷେତ୍ରରେ ଦୁର୍ନୀତି କରିଥିବା ଆପ୍ର ପ୍ରମୁଖ ନେତା ଏବେ ସାଧାରଣ ଜନତାଙ୍କ ଘୃଣାର ଶିକାର ହେଉଛନ୍ତି । ପ୍ରଥମେ ଖୋଦ ଦଳ ମୁଖିଆ କେଜ୍ରିୱାଲ, ତା’ ପରକୁ ମନିଷ ସିସୋଦିଆ ଆଉ ଏବେ ପାଳି ପଡ଼ିଛି ସତ୍ୟେନ୍ଦ୍ର ଜୈନ୍ଙ୍କର । ନିର୍ବାଚନ ଶେଷ ହୋଇଗଲା ସିନା କିନ୍ତୁ ଦଳ ପଛରୁ ଦୁର୍ନୀତି ହଟିବାର ନାଁ ନେଉନି । ଦିଲ୍ଲୀରେ ସିସିଟିଭି ପ୍ରକଳ୍ପରେ ୫୭୧ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ସତ୍ୟେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି ଆଣ୍ଟି କରପ୍ସନ୍ ବୁ୍ୟରୋ (ଏସିବି) । ଦିଲ୍ଲୀରେ ସିସିଟିଭି ଲଗାଇବାରେ ବିଳମ୍ବ ଯୋଗୁ ଭାରତ ଇଲେକ୍ଟ୍ରୋନିକ୍ସ ଉପରେ ୧୬ କୋଟି ଟଙ୍କା ଜରିମାନା ପକାଯାଇଥିଲା । କିନ୍ତୁ ସତ୍ୟେନ୍ଦ୍ର ୭ କୋଟି ଟଙ୍କା ନିଜ ପକେଟ୍କୁ ନେଇ ଏହି ଜରିମାନା ହଟାଇ ଦେଇଥିବା କହିଛନ୍ତି ଏସିବି କମିଶନର ମଧୁର ବର୍ମା । ଦୁର୍ନୀତି ନିବାରଣ ଆଇନର ଧାରା ୧୭ଏ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । କମିଶନର ଏହା ମଧ୍ୟ କହିଛନ୍ତି ଯେ, କ୍ୟାମେରା ଲଗାଇବା ପୂର୍ବରୁ ଏଥିରୁ ଯାବତୀୟ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । କ୍ୟାମେରା ଠିକ୍ ଭାବେ ପରିଚାଳିତ ହେଉ ନ ଥିବା ବେଳେ ବିଭିନ୍ନସ୍ଥାନରେ ବ୍ଲର୍ ଭିଡିଓ ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ ଦିଲ୍ଲୀର ୭୦ଟି ବିଧାନସଭା କ୍ଷେତ୍ରରେ ୧.୪ ଲକ୍ଷ ସିସିଟିଭି କ୍ୟାମେରା ଲଗାଯିବା ପାଇଁ ତକ୍ରାଳୀନ ଦିଲ୍ଲୀ ସରକାର ଯୋଜନା କରିଥିଲେ । ଏଥିରେ ବିଳମ୍ବ ଯୋଗୁଁ ଆପ୍ ସରକାର ଅଗଷ୍ଟ ୨୦୧୯ରେ ଭାରତ ଇଲେକ୍ଟ୍ରୋନିକ୍ସ (ବେଲ୍) ଉପରେ ଜରିମାନା ଲଗାଇଥିଲେ । ତଦନ୍ତ ସମୟରେ କମ୍ପାନୀର ଜଣେ ଅଧିକାରୀ ଅଭିଯୋଗକୁ ସ୍ୱୀକାର ମଧ୍ୟ କରିଥିଲେ । ଯୁଗ୍ମ କମିଶନର ବର୍ମା କହିଛନ୍ତି ଯେ ଜରିମାନା ଛାଡ଼ କରିବା ସହିତ, ବେଲ୍କୁ ୧.୪ ଲକ୍ଷ ଟଙ୍କା ମୂଲ୍ୟର ଅଧିକ ସିସିଟିଭି ଲଗାଇବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଏହିସବୁ ଅଭିଯୋଗକୁ ଭିତ୍ତି କରି ଏସିବି ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୭ ଏବଂ ୧୩(୧)(ଏ) ସହିତ ଅପରାଧିକ ଷଡ଼ଯନ୍ତ୍ର ଅଧୀନରେ ଏକ ମାମଲା ରୁଜୁ କରାଯାଇଛି ।