ଫାଇଲେରିଆ ନିରାକରଣ ପାଇଁ ୧୦ରୁ ସାମୂହିକ ଔଷଧ ସେବନ
ଭୁବନେଶ୍ୱର : ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମ୍ଡିଏ) ଆସନ୍ତା ୧୦ ତାରିଖ ଠାରୁ ଆରମ୍ଭ ହେବ । ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୧କୋଟି ୭ ଲକ୍ଷ ଜଣଙ୍କୁ ଫାଇଲେରିଆ ନିରୋଧୀ ଔଷଧ ଦିଆଯିବ । କାର୍ଯ୍ୟସୂଚୀ ଅନୁଯାୟୀ ଅନୁଗୁଳ,ବାଲେଶ୍ୱର, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲାରେ ୧୦ରୁ ୧୯ ତାରିଖ ମଧ୍ୟରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସହିତ ଜାତୀୟ କୃମିନାଶକ ଦିବସ(ଏନ୍ଡିଡି) କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ । ଫାଇଲେରିଆ ନିରାକରଣ ପାଇଁ ଏହି ୧୨ଟି ଜିଲ୍ଲାର ୧୧୫ ଟି କାର୍ଯ୍ୟାନ୍ୱୟନ ୟୁନିଟରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅଧୀନରେ ୩ଟି ଔଷଧ ଯଥା – ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ ବଟିକା ଖାଇବାକୁ ଦିଆଯିବ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥଙ୍କୁ ଏହି ଔଷଧକୁ ଖାଇବାକୁ ବାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୪୧ ,୦୦୦ ଡ୍ରଗ ଆଡ୍ମିନିଷ୍ଟ୍ରେଟର ନିୟୋଜିତ ହୋଇଛନ୍ତି । ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୪୧୦୦ ଜଣ ପର୍ଯ୍ୟବେକ୍ଷକ ରହିଛନ୍ତି ବୋଲି ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ସମ୍ମିଳନୀରେ ସ୍ୱାସ୍ଥ୍ୟ ସେବା ନିଦେ୍ର୍ଦଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି, ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ନୀଳକଣ୍ଠ ମିଶ୍ର, ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିଦେ୍ର୍ଦଶକ ଡା. ଦିଲୀପ କୁମାର ପଣ୍ଡା , ପରିବାର କଲ୍ୟାଣ ନିଦେ୍ର୍ଦଶକ ଡା. ରାଜ୍ୟଶ୍ରୀ ପଟ୍ଟନାୟକ, ବରିଷ୍ଠ ଆଞ୍ଚଳିକ ନିଦେ୍ର୍ଦଶକ ଡା. ସୁଚିତ୍ରା ସାସମଲ, ଅତିରିକ୍ତ ନିଦେ୍ର୍ଦଶକ ଡା. ପ୍ରଭାକର ସାହୁ , ଅତିରିକ୍ତ ନିଦେ୍ର୍ଦଶକ ଡା. ପ୍ରମିଳା ବରାଳ, ଯୁଗ୍ମ ନିଦେ୍ର୍ଦଶକ ଶୁଭାଶିଷ ମହାନ୍ତିଙ୍କ ସହିତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।