ଫୁଡ ବ୍ଲଗ ଉପରେ ନିୟନ୍ତ୍ରଣ ଅଣାଯାଉ

ଫୁଡ ବ୍ଲଗ ଉପରେ ନିୟନ୍ତ୍ରଣ ଅଣାଯାଉ

ଶ୍ୟାମ ସୁନ୍ଦର ସାମଲ : କୁହାଯାଏ,  “ଯାହା ଦେଖାଯାଉଛି ତା’ର ଚାହିଦା ଅଧିକ” । ତେବେ ନିଜ ପସନ୍ଦ ମୁତାବକ ଦେଖିବା ଏବଂ ନିର୍ଦ୍ଦିଷ୍ଟ ଦୃଶ୍ୟକୁ ଦେଖିବାକୁ ବାଧ୍ୟ କରାଯିବା ଭିତରେ ଫରକ ବି ରହିଛି, ଯାହା ଏବେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି । ମାଳ ମାଳ କଣ୍ଟେଣ୍ଟ କ୍ରିଏଟର ବା ଇନଫ୍ଲୁଏନ୍ସର ଏବେ ନିଜ ସୋସିଆଲ ମିଡ଼ିଆ ଫଲୋଅର୍ସଙ୍କୁ ମାଧ୍ୟମ କରି ବିଭିନ୍ନ ବସ୍ତୁ, ସାମଗ୍ରୀ ଓ ବ୍ୟବସାୟିକ ପ୍ରତିଷ୍ଠାନର ପ୍ରଚାର ପ୍ରସାର କରୁଛନ୍ତି । ଏଥିରେ କାହାର କିଛି ଆପତ୍ତି ବି ରହୁନି । କିନ୍ତୁ ଖାଦ୍ୟ ସାମଗ୍ରୀକୁ ନେଇ ପ୍ରଚାର ପ୍ରସାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପୂର୍ବରୁ ସମ୍ପୃକ୍ତ ବ୍ୟବସାୟିକ ଅନୁଷ୍ଠାନ ବା ଦୋକାନର ପରିବେଶ ଦେଖୁଛନ୍ତି କି ? କେତେ ସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି? ଇନଷ୍ଟାଗ୍ରାମ, ଫେସବୁକରେ ରିଲ୍ସ କରିବା କିମ୍ବା ୟୁଟ୍ୟୁବ ଚ୍ୟାନେଲରେ ଭିଡ଼ିଓ ପ୍ରସ୍ତୁତି କରି ପୋଷ୍ଟ କରିବାରେ ଏବେ ଅସଂଖ୍ୟ କଣ୍ଟେଣ୍ଟ କ୍ରିଏଟର ମାତିଛନ୍ତି । ସୋସିଆଲ ମିଡ଼ିଆ ଭାଷାରେ ଏମାନଙ୍କୁ ବ୍ଲଗର କୁହାଯାଉଛି । କଟକ, ଭୁବନେଶ୍ୱର ଭଳି ସହରରେ ଖାଦ୍ୟକୁ ନେଇ ଭିଡ଼ିଓ ପ୍ରସ୍ତୁତ କରୁଥିବା କ୍ରିଏଟରଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଟୁଇନ ସିଟିରେ ପ୍ରାୟ ଶହେରୁ ଅଧିକ ଫୁଡ ବ୍ଲଗର ଏବେ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି ।


    ହୋଟେଲ, ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ଷ୍ଟ୍ରିଟ ଫୁଡ଼ ଯାଏ ସବୁଠି ପହଞ୍ôଚ ଏମାନେ ଭିଡ଼ିଓ କରିଥାନ୍ତି । ଏହାର ଏକ ସକାରାତ୍ମକ ଦିଗ ବି ରହିଛି । ଏମାନଙ୍କ ସୂଚନା ଆଧାରରେ ସାଧାରଣ ଲୋକେ କୌଣସି ନିର୍ଦ୍ଦିଷ୍ଟ ହୋଟେଲ, ରେଷ୍ଟୁରାଣ୍ଟ ବା ଷ୍ଟ୍ରିଟ ଫୁଡ ଷ୍ଟଲ ଉପରେ ବିସ୍ତୃତ ସୂଚନା ପାଇପାରୁଛନ୍ତି । ମୂଲ୍ୟ କେତେ, ଟେଷ୍ଟ କେମିତି, କେତେ ଭେରାଇଟି ଉପଲବ୍ଧ ସହ ବିଭିନ୍ନ ସୂଚନା ଲୋକେ ମୋବାଇଲ ମାଧ୍ୟମରେ ପାଇପାରିଥାନ୍ତି । ଯାହାଫଳରେ ସାଧାରଣ ଲୋକେ ସମ୍ପୃକ୍ତ ବ୍ୟବସାୟ ପ୍ରତିଷ୍ଠାନ ପାଖକୁ ଯାଇ ସାମଗ୍ରୀ ପରଖିଥାନ୍ତି । କିନ୍ତୁ ସମୟକ୍ରମେ କଣ୍ଟେଣ୍ଟ କ୍ରିଏଟର ବା ବ୍ଲଗରମାନେ ଏହାକୁ ନିଜ ବୃତ୍ତିରେ ପରିଣତ କରିଦେଲେଣି । ତେବେ ଯେଉଁ ଭିଡ଼ିଓ ପ୍ରସ୍ତୁତ କରୁଛନ୍ତି ଭିଡ଼ିଓରେ ଅନେକ କଣ୍ଟେଣ୍ଟ କ୍ରିଏଟର ଏହା ବିଜ୍ଞାପନ ପ୍ରଚାରଧର୍ମୀ ବା ପ୍ରାୟୋଜିତ ଭିଡ଼ିଓ ବୋଲି ଉଲ୍ଲେଖ କରୁନାହାନ୍ତି । ଫଳରେ ଲୋକେ ଏହାକୁ ଦେଖି ପ୍ରଭାବିତ ହେବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି କି ନାହିଁ ତାହା ଜାଣୁନାହାନ୍ତି । ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ଉପୁଜିଥିବାବେଳେ ଫୁଡ ବ୍ଲଗକୁ ସ୍କାନରରେ ରଖାଯିବା ଜରୁରି । ବ୍ଲଗରମାନେ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପୂର୍ବରୁ ରିଏଲିଟି ଚେକ କରନ୍ତୁ । ବ୍ୟବସାୟ କେତେ ସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଦେଖି ଭିଡ଼ିଓ କରନ୍ତୁ । କାରଣ ବ୍ଲଗରମାନଙ୍କ ଫଲୋଅର୍ସ ଅଧିକ ରହିଥିବାରୁ ଲୋକେ ଅନ୍ଧ ଭାବେ ସବୁକିଛି ସହଜରେ ବିଶ୍ୱାସ କରିନିଅନ୍ତି । ଏମିତି ନହେଉ ଆସନ୍ତାକାଲି ରିଏଲିଟି ଚେକ ନକରି ଭିଡ଼ିଓ ଦେଖି ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟ ଖାଇ କେହି ହଇରାଣରେ ପଡ଼ନ୍ତୁ । 

ସୁଭଦ୍ରା ନଗର, ବିଡ଼ାନାସୀ, କଟକ
ମୋ: ୯୭୭୮୬୩୫୯୨୬