ଅସଂଗଠିତ ଶ୍ରମିକଙ୍କ ଦୁଃଖ

ଯୁଧିଷ୍ଠିର ମହାରଣା : ଅସଂଗଠିତ ଶ୍ରମଜୀବୀ ସଂଗଠିତ ହୋଇ ନଥିବାରୁ ସେମାନଙ୍କ ଦୈନନ୍ଦିନ ସମସ୍ୟା ସମାଧାନ କରିବା ଦିଗରେ କୌଣସି ସଂଗଠିତ ଉଦ୍ୟମ ହୁଏନାହିଁ । ଇଟା, ପଥର, ଗୃହନିର୍ମାଣ, କାଠକାମ, ସାଧାରଣ କାମର ମହତ୍ତ୍ୱ ସରକାର ବା ବେସରକାରୀ ସଂସ୍ଥା ଠିକ୍‌ ଭାବେ ବୁଝିନଥିବାରୁ ସେମାନଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । ଧାନ ଅମଳ ଶେଷ ହେଲେ ଗାଁରେ ବାସ କରୁଥିବା କୃଷକ ଶ୍ରମିକମାନଙ୍କ ମଧ୍ୟରୁ ଅନେକ ଦାଦନ ଖଟିବା ପାଇଁ ପ୍ରତିବେଶୀ ରାଜ୍ୟକୁ ଯାଆନ୍ତି । ଏମାନଙ୍କ ସଂଖ୍ୟା ଲକ୍ଷାଧିକ । ଏମାନଙ୍କର କୌଣସି ମଧ୍ୟ ସଂଗଠନ ନାହିଁ । ରାଜନୀତିକ ଦଳମାନେ ସଭା ଶୋଭାଯାତ୍ରା କରିବା ଦିନ ଏମାନଙ୍କୁ କିଛି ଅର୍ଥ ଦେଇ କାମ କରାନ୍ତି ଶୋଭାଯାତ୍ରାରେ ଯିବା ପାଇଁ ଓ ପିଏମଜି ଛକରେ ଇନ୍‌କିଲାବ ଜିନ୍ଦାବାଦ କରିବା ପାଇଁ । ଓଡ଼ିଶାର ସବୁଆଡେ଼ ଏହି ଚିତ୍ର ଦେଖିବାକୁ ମିଳେ ତେବେ ସବୁଠାରୁ ବଡ଼ ଗହଳି ଭୁବନେଶ୍ୱରରେ ଦେଖାଯାଏ । ଷ୍ଟେସନ ସ୍କୋୟାର, ରାଜମହଲ ଛକ, କଳ୍ପନା ଛକ, ରାମମନ୍ଦିର ଓ ରସୁଲଗଡ଼ ଛକରେ ପ୍ରତିଦିନ ସକାଳେ ଏମାନେ ଅପେକ୍ଷା କରନ୍ତି କାଳେ ସାମୟିକ ନିଯୁକ୍ତି ଦବା ପାଇଁ ଲୋକ ଖୋଜୁଥିବା କାହା ସହିତ ଦେଖା ହୋଇଯିବ ଓ କାମ ମିଳିଯିବ ଏଇ ଆଶାରେ । ଘର ନିର୍ମାଣ କାମ, ରାସ୍ତା ନିର୍ମାଣ କାମ, ଇଟା ତିଆରି କରିବା କାମ, ବୋଝ ବୋହିବା କାମ ପାଇଁ ଏମାନଙ୍କୁ ଖୋଜାଯାଏ । ସାମୟିକ ନିଯୁକ୍ତି ମଧ୍ୟ ମିଳିଯାଏ । କିନ୍ତୁ ସମସ୍ତଙ୍କୁ ନିଯୁକ୍ତି ମିଳେ ନାହିଁ । ସେମାନେ ନିରାଶ ହୋଇ ଘରକୁ ଫେରନ୍ତି ଖାଲି ହାତରେ । ଏମାନଙ୍କୁ କେବଳ ଅଧପେଟରେ ଶୋଇବାକୁ ପଡେ଼ନାହିଁ, ପୁଅ ଝିଅ, ସ୍ତ୍ରୀ ସମସ୍ତଙ୍କୁ ଭୋକ ଉପାସରେ ସଢ଼ିବାକୁ ହୁଏ । 


  ଦେଶର ଶ୍ରମଜୀବୀମାନଙ୍କ ମଧ୍ୟରୁ ଅଶୀ ପ୍ରତିଶତ ଅସଂଗଠିତ ଶ୍ରମିକ । ଏମାନେ ଦିନମଜୁରିଆ ହୋଇଥିବାରୁ ମାଲିକ ସହିତ ଦର ଦାମ ନକରି ପାଚେରୀକୁ ଲାଗି ଅସ୍ଥାୟୀ କୁଡ଼ିଆମାନଙ୍କରେ ବାସ କରନ୍ତି । ଏମାନଙ୍କର ଜାଗା ଜମି ନାହିଁ, ରାସନକାଡର଼୍, ଗରିବଭତ୍ତା, ବାର୍ଦ୍ଧକ୍ୟଭତ୍ତା, କାମ କଲାବେଳେ ଆହତ ହେଲେ ଏମାନଙ୍କୁ କିଛି ମିଳେ ନାହିଁ । ଏପରିକି ନିର୍ମାଣ ସ୍ଥଳରେ ପିଇବା ପାଣି ଓ ପ୍ରାଥମିକ ଚିକିତ୍ସାର ସୁବିଧା ନାହିଁ । ନିର୍ବାଚନ ସମୟରେ ଏମାନଙ୍କୁ ରାଜନୀତିକ ଦଳମାନେ ଅନେକ ପ୍ରକାର ପ୍ରଲୋଭନ ଓ ପ୍ରତିଶ୍ରୁତି ଦିଅନ୍ତି । ନିର୍ବାଚନ ଶେଷ ହେଲେ ଏମାନେ ଅଦକାରୀ ହୋଇଯାଆନ୍ତି । ସ୍ୱାଧୀନ ଭାରତରେ ଏପରି ଶ୍ରମଜୀବୀଙ୍କ ସଂଖ୍ୟା ପଚିଶ କୋଟିରୁ କମ୍‌ ହେବନାହିଁ । ଦେଶ କାମ, ସଚିବାଳୟ, ହୋଟେଲ, ମୋଟରଗାଡ଼ିର ଅର୍ଥ ଏମାନେ ବୁଝନ୍ତି ନାହିଁ । ସକାଳୁ ସନ୍ଧ୍ୟା ଏମାନେ ଖଟନ୍ତି ଗୋରୁ ପରି । ଏମାନଙ୍କ ପାଇଁ ବୀମା କରିବା ସକାଶେ ସରକାର ବ୍ୟବସ୍ଥା କରୁଥିବା ଶୁଣି ସେମାନେ ଆଶ୍ୱସ୍ତ ହୋଇଛନ୍ତି । କିନ୍ତୁ ଏହା ଅପେକ୍ଷା ସେମାନଙ୍କୁ ଯଦି ଉଚିତ ମଜୁରିରେ କିଛି କାମ ଦିଆଯାଆନ୍ତା ତେବେ ଏମାନେ କୃତକୃତ୍ୟ ହୁଅନ୍ତେ । ଭାରତ ସରକାର ଜନଧନ ଯୋଜନାରେ ଏମାନେ ବ୍ୟାଙ୍କରେ କିଛି ଅର୍ଥ ଜମା କଲେ ଅଧିକ ସୁବିଧା ମିଳିବ ବୋଲି ଯୋଜନା କରିଛନ୍ତି । ବ୍ୟାଙ୍କରେ ସାମାନ୍ୟ ଅର୍ଥ ଜମା କଲେ ଏମାନଙ୍କ ନିରାପତ୍ତା ପାଇଁ ମଧ୍ୟ କିଛି ଅର୍ଥ ମିଳେ । ସେମାନେ ଗ୍ରାମାଞ୍ଚଳ ବିକାଶ ଯୋଜନାରେ କାମ ପାଇଲେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସରକାରଙ୍କ ଠାରୁ ପ୍ରାପ୍ୟ ଅର୍ଥ ଶ୍ରମିକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ପଠାଇ ଦବାର ବ୍ୟବସ୍ଥା ହୋଇଛି ।

   ସମସ୍ତଙ୍କୁ ରାସନ କାଡର଼୍ ଦବା ପାଇଁ ସେମାନଙ୍କୁ ତାଲିକାଭୁକ୍ତ କରାଯାଇଛି । କିନ୍ତୁ ଭୁବନେଶ୍ୱରରେ ଝୁମ୍ପୁଡ଼ିମାନଙ୍କରେ ବାସ କରୁଥିବା ହଜାର ହଜାର ଲୋକଙ୍କ ଠିକଣା ନାହିଁ, ତେଣୁ ଏମାନଙ୍କୁ ରାସନ କାଡର଼୍, ବ୍ୟାଙ୍କ ସୁବିଧା ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ଦବା ପାଇଁ କିଛି ସୁଯୋଗ ନାହିଁ । ଧନଜନ ଯୋଜନାଭୁକ୍ତ ହେଲେ ଏମାନଙ୍କୁ କିଛି ସୁବିଧା ମିଳିବ । କିନ୍ତୁ ନିଯୁକ୍ତି ତ ସବୁଦିନ ମିଳିବ ନାହିଁ ।  ଗ୍ରାମାଞ୍ଚଳରେ ମୋଟରଗାଡ଼ି, ଦୁଇଚକିଆ ଓ ଚାରି ଚକିଆ ଯାନ, ବିଦ୍ୟୁତ୍‌ ଉପଲବ୍ଧ ହେବା ପରେ ଶଗଡ଼, ସବାରୀ ପ୍ରଭୃତି ଅଚଳ ହୋଇଯାଇଛି । ଗ୍ରାମାଞ୍ଚଳରେ ଚାଉଳ କଳ, ଚୁଡ଼ା ଓ ମୁଢ଼ି ପ୍ରସ୍ତୁକ ରକିବା ପାଇଁ କଳ ବସିବାରୁ ଯେଉଁ ଗରିବ ମାନେ ଏ କାମ କରି ପେଟ ପୋଷୁଥିଲେ ସେମାନଙ୍କ ସାହା ଭରସା ତୁଟିଗଲା । ସରକାର ଏମାନଙ୍କ ପାଇଁ ମା ବାପା । ମା ବାପା ଯଦି ଗରିବମାନଙ୍କ ଜୀଇଁବା ପାଇଁ ଯୋଜନା ମାଧ୍ୟମରେ ସେମାନଙ୍କୁ ନିଯୁକ୍ତି ଦିଅନ୍ତେ ତେବେ ସ୍ୱାଭିମାନ ସୃଷ୍ଟି ହୁଅନ୍ତା ସେମାନଙ୍କ ମନରେ । କାମ କରିବାର ମର୍ଯ୍ୟାଦା ଅନୁଭବ କରନ୍ତେ ସେମାନେ । ଆମେ କେତେ ଟ୍ରିଲେଅନ୍‌ ଡଲାର ଅର୍ଥନୀତି କରିବା ପାଇଁ ସ୍ୱପ୍ନ ଦେଖୁଛନ୍ତି । ଏହା ଶୁଣି ଭରସା ଆସୁଛି ମନରେ ଦିନେ ନା ଦିନେ ଦୁଃଖ ଯିବ ବୋଲି । ମେଡ଼ ଇନ୍‌ ଇଣ୍ଡିଆ ନୀତି କାର୍ଯ୍ୟକାରୀ ହେଲେ ନିଯୁକ୍ତିର ବାଟ ଫିଟିଯିବ । ସେତେବେଳକୁ ଏଇ ବଳକା ଶ୍ରମଜୀବୀମାନଙ୍କୁ ଯଦି କୁଶଳୀ ହେବା ପାଇଁ ପ୍ରଶିକ୍ଷଣ ଦବା ବ୍ୟବସ୍ଥା ହୁଅନ୍ତା ତେବେ ରାଜ୍ୟ ବାହାରକୁ ଗଲେ ମଧ୍ୟ ସେମାନଙ୍କ ରୋଜଗାର ବଢ଼ନ୍ତା ।

 
କଟକ
ମୋ : ୯୪୩୭୧୬୩୫୨୮