ଶ୍ରୀଜଗନ୍ନାଥଙ୍କଠୁ ଭେଙ୍କଟନାଥ


ସକ୍ଷାତ ବୈକୁଣ୍ଠରୂପଂ ତତକ୍ଷେତ୍ରଂ ଶ୍ରୀପୁରୁଷୋତ୍ତମ, କ୍ଷେତ୍ରାଣାମ୍ ଅପି କ୍ଷେତ୍ରଂ ଚ ତୀଥନାମପି, ଯଦବରମ୍ ।’ ଯୁଗେ ଯୁଗେ ପାବକତ୍ୱର ମହାମହିମାରେ ଶ୍ରୀକ୍ଷେତ୍ର ତୀର୍ଥରାଜର ଗୌରବ ଲାଭ କରିଛି । କାରଣ ଏ କ୍ଷେତ୍ର ଦେବ ଦୁର୍ଲ୍ଲଭ, ସମସ୍ତ ତୀର୍ଥର ମୌଳିକତା ତୀର୍ଥରାଜ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପ୍ରକଟିତ । ଏହା କେବଳ ସମ୍ଭବ ହୋଇଛି ତୀର୍ଥ ଶିରୋମଣି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ କୃପାରୁ । ତେଣୁ ଭାଗବତକାର ଯଥାର୍ଥରେ କହିଛନ୍ତି - “ସକଳ ତୀର୍ଥ ଘେନି କରି, ନୀଳ କନ୍ଦରେ ବିଜେ ହରି ।’
ଜଗନ୍ନାଥ ମହାପ୍ରଭୁ ସମଗ୍ର ହିନ୍ଦୁ ସନାତନ ଜଗତର ପରମାରାଧ୍ୟ ଦେବତା ଓ ଅବତାରୀ ପୁରୁଷର ସାର୍ଥକ ବିଗ୍ରହ । ସେ ସର୍ବଧର୍ମ ମତବାଦ ସମନ୍ୱୟର ମହାନ ପ୍ରତୀକ । ସେ ଦାରୁଦେବତା ସେ ସନ୍ଥ ତୁଳସୀ ଦାସଙ୍କ ନୟନାଭିରାମ, ସେ ବୈଷ୍ଣବୀୟ ଦର୍ଶନରେ ବୃନ୍ଦାବନ ଚନେ୍ଦ୍ରଶ୍ୱର ଶ୍ରୀକୃଷ୍ଣ ଓ ରସବତୀ ରାଧିକାଙ୍କ ଘନଯୁଗଳ ବିଗ୍ରହ । ଶୈବ ବିଚାରରେ ସେ ଶିବ ବା ଭୈରବ । ଶାକ୍ତ ମତରେ ସେ ହେଉଛନ୍ତି ଗଣେଶ, ଜୀବ ମାନଙ୍କର ଜୀବନାଥ । ଏଣୁ ତାଙ୍କର ତତ୍ତ୍ୱ ରୂପ ଓ ଦର୍ଶନ ମାନବ ଚିନ୍ତା ଓ ଚେତନାର ବହୁ ଊଦ୍ଧ୍ୱର୍ରେ । 
ପ୍ରତିିବର୍ଷ ଆନ୍ଧ୍ରପ୍ରଦେଶର ପବିତ୍ର ତୀର୍ଥକ୍ଷେତ୍ର ତିରୁପତିଠାରେ ନୀଳାଦ୍ରିରେ ଜଗନ୍ନାଥଙ୍କର ରଥୋତ୍ସବ ଭଳି ଶେଷାଦ୍ରିରେ ପ୍ରଭୁ ଭେଙ୍କଟନାଥଙ୍କର ମଧ୍ୟ ବ୍ରହ୍ମୋତ୍ସବ ନଅ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥାଏ । ଜଗନ୍ନାଥ ଏବଂ ତାଙ୍କ ମନ୍ଦିରର ଉତ୍ପତ୍ତି, କ୍ରମବିଶକା, ନିର୍ମାଣବିଧି, ପୂଜାପର୍ବାଣ, ମହୋତ୍ସବ, ଦୈନନ୍ଦିନ ନୀତି, କ୍ଷେତ୍ର ମାହାତ୍ମ୍ୟ ଇତ୍ୟାଦି ବିଷୟରେ ଅନେକ ଉପାଖ୍ୟାନ ଯେଭଳି ଅନେକ ପୁରାଣ ଯଥା ସ୍କନ୍ଦ, ନୀଳାଦ୍ରି ମହୋତ୍ସବ, ପଦ୍ମ, ବାମଦେବ ସଂହିତା ପ୍ରଭୃତିରୁ ମିଳିଥାଏ, ଠିକ ସେହିଭଳି ପ୍ରଭୁ ଙ୍କେଟେଶ ତଥା ଭେଙ୍କଟାଚଳ ବା ଶେଷାଚଳଙ୍କର ଆବିର୍ଭାବ, ମାହାତ୍ମ୍ୟ, ଯାନିଯାତ୍ରା ବିଷୟରେ ସ୍କନ୍ଦ, ପଦ୍ମ ପ୍ରଭୃତି ବିଭିନ୍ନ ପୁରାଣରୁ ସମ୍ୟକ ସୂଚନା ମିଳିଥାଏ । ଏହି ପୌରାଣିକ ଉପାଖ୍ୟାନ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପରେ ଏହାର ପ୍ରତିଷ୍ଠା କାର୍ଯ୍ୟ ଯେଭଳି ଭଗବାନ ବ୍ରହ୍ମା ସ୍ୱୟଂ ସଂପାଦନ କରି ତାଙ୍କର ନବଦିନ ବ୍ୟାପୀ ରଥଯାତ୍ରା କରିବା ପାଇଁ ରାଜା ଇନ୍ଦ୍ରଦୁ୍ୟମ୍ନଙ୍କୁ ନିଦେ୍ର୍ଦଶ ଦେଇଥିଲେ, ଠିକ ସେହିଭଳି ଶେଷାଚଳ ବା ଭେଙ୍କଟେଶଙ୍କର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସ୍ୱୟଂ ବ୍ରହ୍ମା ସଂପାଦନ କରି ତାଙ୍କର ନବଦିନ ବ୍ୟାପୀ ରଥଯାତ୍ରାର ପ୍ରବର୍ତ୍ତନ କରାଇଥିଲେ, ଯାହାକି, ଆଜି “ବ୍ରହ୍ମୋତ୍ସବ’ ବୋଲି କୁହାଯାଏ । 
ଜଗନ୍ନାଥଙ୍କର ରଥୋତ୍ସବ ଏକ ପର୍ବତ ନୀଳାଚଳ ବା ନୀଳାଦ୍ରିରେ ଯେଭଳି ଅନୁଷ୍ଠିତ ହୋଇଥାଏ, ଠିକ୍ ସେହିଭଳି ପ୍ରଭୁ ଭେଙ୍କଟନାଥଙ୍କର ରଥଯାତ୍ରା ମଧ୍ୟ ବ୍ରହ୍ମୋତ୍ସବ ନାମରେ ଅନ୍ୟ ଏକ ପବିତ୍ର ପର୍ବତ ତାମିଲ ଭାଷାରେ ତିରୁମଲ୍ଲ ତିରୁ ଅର୍ଥ ଶ୍ରୀ ମଲ୍ଲ ଅର୍ଥ ପର୍ବତ । ଶେଷାଚଳ ବା ଶେଷାଦ୍ରିରେ ଅନୁଷ୍ଠିତ ହୋଇଥାଏ । ଜଗନ୍ନାଥଙ୍କ ରଥୋତ୍ସବ ଯେଭଳି ନଅ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥାଏ ଠିକ୍ ସେହିଭଳି ବ୍ରହ୍ମୋତ୍ସବ ମଧ୍ୟ ନଅ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥାଏ । ପୌରାଣିକ ଆଖ୍ୟାନ ଅନୁସାରେ ରଥଯାତ୍ରାର ପ୍ରବର୍ତ୍ତକ ଯେଉଁଭଳି ସ୍ୱୟଂ ବ୍ରହ୍ମା, ଠିକ ସେହିଭଳି ବ୍ରହ୍ମୋତ୍ସବର ଆଦିମ ପ୍ରବର୍ତ୍ତକ ମଧ୍ୟ ସ୍ୱୟଂ ବ୍ରହ୍ମା । ଏଠାରେ ଉଲ୍ଲେଖନୀୟ ଯେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ତିରୁପତି କ୍ଷେତ୍ର ବହୁତ ଦିନ ଧରି ତାମିଲନାଡୁର ଏକ ଅଂଶବିଶେଷ ଭାବରେ ରହିଥିଲା ଏବଂ ୧୯୫୬ ମସିହାରେ ସ୍ୱତନ୍ତ୍ର ଆନ୍ଧ୍ରପ୍ରଦେଶ ଗଠନ ପରେ ଏହାକୁ ଆନ୍ଧ୍ରରେ ମିଶାଇ ଦିଆଯାଇଥିଲା । ତେଣୁ ମନ୍ଦିରର ପୂଜା ପଦ୍ଧତି, ସଂସ୍କୃତି ଓ ପରମ୍ପରା ତଥା ତିରୁପତିର ଭାଷା, ଚଳଣି ଓ ପରମ୍ପରା ମଧ୍ୟ ତାମିଲନାଡୁର ପରମ୍ପରା ଦ୍ୱାରା ପ୍ରଭାବିତ ହୋଇଛି । 
ଗୀତାରେ ଭଗବାନ ପ୍ରକାଶ କରିଛନ୍ତି, “ମୁଁ ଜଡ଼ସମୂହର ଅତୀତ, ଚେତନ ପଦାର୍ଥ ଅପେକ୍ଷା ଶ୍ରେଷ୍ଠ । ମୁଁ ବେଦ ଓ ପୁରାଣରେ ପୁରୁଷୋତ୍ତମ ନାମରେ ଖ୍ୟାତ । ଶ୍ରୀକ୍ଷେତ୍ରରେ ଅନ୍ୟନାମ ପୁରୁଷୋତ୍ତମ କ୍ଷେତ୍ର ଓ ଅଧିଷ୍ଠିତ ଦେବତା ପୁରୁଷୋତ୍ତମ ନାମରେ ପ୍ରସିଦ୍ଧି ଲାଭ କରି ଅଛନ୍ତି । ଗୀତାର ବାଣୀକୁ ତତ୍ତ୍ୱବିଦମାନେ ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରତ୍ୟକ୍ଷ କରିଅଛନ୍ତି । ସକଳ ଧର୍ମ, ସକଳ ଦର୍ଶନ, ସକଳ ସଂସ୍କୃତିର କେନ୍ଦ୍ରବିନ୍ଦୁ ଶ୍ରୀଜଗନ୍ନାଥ । 
ସୌରଚନ୍ଦ୍ର ମହାପାତ୍ର
ମୋ : ୯୪୩୭୦୦୪୪୬୬