ବଜାରରେ ରାସ୍ତା ଜାମ୍ କରୁଛି ଫାଷ୍ଟଫୁଡ ଦୋକାନ

 ରାଜକନିକା : ରାଜକନିକା ସଦର କଣ୍ଟପଡା ବଜାରରେ ସନ୍ଧ୍ୟାରେ ଟ୍ରାଫିକ ଚିନ୍ତା ବଢାଉଛି ଫାଷ୍ଟଫୁଡ ଦୋକାନ । ରାସ୍ତା ପାଖରେ ଖୋଲିଥିବା ଫାଷ୍ଟଫୁଡ ଦୋକାନ ସମ୍ମୁଖରେ ସନ୍ଧ୍ୟା ହେଲେ ଗ୍ରାହକଙ୍କ ଭିଡ ଲାଗୁଛି  । ଫଳରେ କଣ୍ଟପଡା ସ୍କୁଲ ପାଖରୁ ଷ୍ଟ୍ରକଚର ଛକ ଯାଏ ରାସ୍ତା ଯାମ ରହୁଛି  । ଗ୍ରାହକମାନେ କିଏ ସାଇକେଲ, ମଟର ସାଇକେଲ, ୩ ଚକିଆ, ୪ ଚକିଆ ଠାରୁ ଆରମ୍ଭ କରି ବିଭିନ୍ନ ଗାଡିମଟର ରାସ୍ତା ଉପରେ ରଖି ଫାଷ୍ଟଫୁଡ ଖାଇବାରେ ବ୍ୟସ୍ତ ରହୁଥିବା ଯୋଗୁଁ ରାସ୍ତାରେ ଦୂରଦୂରାନ୍ତକୁ ଯାତାୟତ କରୁଥିବା ଯାନବାହାନ ବସ୍, ଟ୍ରକ ଓ ଅନ୍ୟାନ୍ୟ ଭାରିଜାନ ସମେତ ସମସ୍ତ ଗାଡିମଟର ଯାତାୟତରେ ବାଧା ସୃଷ୍ଟି ହେଉଛି । ଏମିତିକି କେବେ କେବେ ଛୋଟବଡ ଦୁର୍ଘଟଣା ଘଟୁଛି । ସେହିପରି ସକାଳ ସମୟରେ କଲେଜ ଛକଠାରୁ ଷ୍ଟ୍ରକଚର ଛକ ଯାଏଁ ଉଠା ପରିବା ଦୋକାନୀ ରାସ୍ତା ଉପରେ ପସରା ମେଲେଇ ବେପାର ବଣିଜ କରୁଥିବା ବେଳେ, ବଜାରରେ ବହୁଳ ମାତ୍ରାରେ ଟ୍ରାଫିକ ସମସ୍ୟା ଉପୁଜିବା ସହ କଲେଜକୁ ଯାତାୟାତ କରୁଥିବା ଛାତ୍ରୀଛାତ୍ର ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆହୁରିମଧ୍ୟ ବଜାରର ପଞ୍ଚାୟତ ଅଫିସ୍ ଛକ ଓ ଷ୍ଟ୍ରକଚର ଛକ ପାଖ ରାସ୍ତା ପାଖରେ ମାଛ, କଙ୍କଡା, ମାଂସ (ଚିକେନ, ଖାସି, ଘୁଷୁରୀ), ଶୁଖୁଆ ବିକ୍ରି କରିବାର ସରକାରୀ ପ୍ରବଧାନ ନ ଥିବା ସତ୍ତ୍ୱେ ବୁଧବାର, ଶୁକ୍ରବାର ଓ ରବିବାର ଦିନମାନଙ୍କରେ ପ୍ରବଳ ମାତ୍ରାରେ ଭିଡ ହେଉଛି । ଛକ ଦେଇ ପାସ୍ କରିବା ମୁସ୍କିଲ  ହେଇ ପଡୁଛି  । ବିଶେଷକରି ସୋମବାର କଣ୍ଟପଡା ପଞ୍ଚାୟତର ସାପ୍ତାହିକ ହାଟ ଥିବା ଦୃଷ୍ଟିରୁ ନିକଟ ଯାଜପୁର, ଭଦ୍ରକ ଜିଲ୍ଲାର ବିଭିନ୍ନ ବଜାରରୁ ବିଭିନ୍ନ ଦୋକାନୀମାନେ ଆସିଥାନ୍ତି । ସେଥିପାଇଁ ମଧ୍ୟ ବଜାରରେ ଅଧିକ ଭିଡ ପରିଲକ୍ଷିତ ହୁଏ । ଭିଡ ସମୟରେ ଆମ୍ୱୁଲାନ୍ସ, ଦମକଳ ଗାଡି ଫସି ରହୁଥିବାର ଅନେକଥର ନଜିର ଅଛି । ତେବେ ବହୁଳ ମାତ୍ରାରେ ଟ୍ରାଫିକ୍ ସମସ୍ୟା ହେଉ ଥିବା ନେଇ ଏପରି ସମସ୍ୟା ଉପୁଜୁଥିବା ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ମତ ପୋଷଣ କରିଛନ୍ତି । ତେବେ ଏହି ଟ୍ରାଫିକ୍ ସମସ୍ୟା କିପରି ନିୟନ୍ତ୍ରଣ ହୋଇପାରିବ ସେଥିପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।