ବଡଯାତ୍ରା ପାଇଁ ଉସବମୁଖର ମାଲକାନଗିରି
ମାଲକାନଗିରି :ମାଲକାନଗିରି ଜିଲ୍ଲାରେ କାହିଁ କେଉଁ କାଳରୁ ପାଳନ ହେଇ ଆସୁଥିବା ବଡ ଯାତ୍ରା ଚଳିତ ବର୍ଷ ମଧ୍ୟ ପାଳନ ହେଉଛି । ପ୍ରତି ୨ ବର୍ଷରେ ଥରେ ପାଳନ ହେଉଥିବା ଏହି ଯାତ୍ରା ଚଳିତ ବର୍ଷ ପାଳନ ହେଉଥିବା ବେଳେ ପ୍ରାୟ ଏକ ମାସ ଧରି ଯାତ୍ରାର ବିଭିନ୍ନ ନୀତି କାନ୍ତି ଓ ପୂଜା ଆରମ୍ଭ ହୋଇଯାଇଛି । ବଡଯାତ୍ରା ପାଇଁ ଆନ୍ଧ୍ର ସ୍ଥିତ ତାଡକାରେଉ କୁଣ୍ଡରେ ତିନି ଠାକୁର ପ୍ରଭୁ କାନମ ରଜୁ, ବାଲରାଜୁ, ପୋତ ରାଜୁ ଓ ମା’ ମୁତିୟାଲୁ ଅମ୍ମାଙ୍କୁ ସ୍ନାନ ପରେ ମାଲକାନଗିରି ଅଭିମୁଖେ ଅଣାଯାଇଛି । ସୁସଜ୍ଜିତ ବୀମାନ ଯୋଗେ ଠାକୁରଙ୍କୁ ପ୍ରାୟ ୧୦୦ କିମି ବାଟ ଭକ୍ତ ମାନେ ବୋହି ବୋହି ଆଣିବା ପରେ ଠାକୁରଙ୍କ ବିମାନ ମାଲକାନଗିରି ଜିଲ୍ଲା ସଦର ସ୍ଥିତ କନ୍ୟାମାଝି ବନ୍ଧ ପୀଠରେ ପହଞ୍ଚିଥିଲା । ପବିତ୍ର ତମସା ନଦୀକୂଳରୁ ଭକ୍ତମାନେ ଶୋଭାଯାତ୍ରାରେ କନ୍ୟାମାଝି ପୁଜା ମଣ୍ଡପନିକଟରେ ଠାକୁରଙ୍କ ବିମାନ ପହଁଚାଇଥିଲେ । ରାସ୍ତା ତମାମ ଭୋଗପାଇ ଆସୁଥିବା ଠାକୁରଙ୍କ ବିମାନ ପହଞ୍ଚିବା ପରେ ପାଟପୂଜାରୀ, ପୁଜାକମିଟିର ସଭାପତି ତହସିଲଦାର ଓ ଅନ୍ୟାନ ଅଧିକାରୀ ପୁଜାକମିଟିର ସଦସ୍ୟ ମାନେ ରାଜ ଭୋଗ ଲଗାଇବା ପରେ ଠାକୁରଙ୍କୁ ପାଳ ମଣ୍ଡପକୁ ପ୍ରବେଶ କରାଯାଇଥିଲା । ମାନସିକ ଧାରୀ ଭକ୍ତମାନେ ଠାକୁରଙ୍କୁ ଦର୍ଶନକରି ଭୋଗ ଲଗାଇଥିଲେ । କାଳଶି ନୃତ୍ୟ ସାଙ୍ଗକୁ ଦିଶାରି ପୂଜାରୀ ଗୁଣିଆଙ୍କ ଲାଠିଧାରିଙ୍କ ନାଟବେଶ ଚମକôାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରେ ପୁଲିସ ପ୍ରଶାସନ, ସତ୍ୟସାଇ ସେବା ସଂସ୍ଥା, ଶିବାନନ୍ଦ ଆଶ୍ରମ, ଜୟ ମାଲକାନଗିରି ସହ କେତକ ସ୍ୱେଚ୍ଛାସେବି ଅନୁଷ୍ଠାନ, ଯୁବକ ସଂଘ ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ଦହିପଣା, ଲେମ୍ବୁପାଣି ଓ ଅର୍ନପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ । ଓଡିଶା, ଆନ୍ଧ୍ର, ତେଲାଙ୍ଗାନା, ଛତିଶଗଡ ଚାରି ରାଜ୍ୟରୁ ଭକ୍ତମାନେ ଏହି ପୂଜାରେ ସାମିଲ ହୋଇଥିଲେ । ବଡ ଠାକୁରଙ୍କ ବିମାନକୁ ବିରାଟ ଶୋଭାଯାତ୍ରାରେ କନ୍ୟାମାଝି ବନ୍ଧରୁ ମାଣ୍ଡିଆଭଟା ମଣ୍ଡପ ନିକଟକୁ ନିଆଯାଇ ସେଠାରେ ରାତ୍ର ରହଣି କରାଯିବ । ତେବେ ବଡ ଯାତ୍ରା ପାଇଁ ମାଲକାନଗିରି ସହର ରେ ମିନାବଜାର, ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ବଜାର ଖୋଲା ଯାଇଛି, ସମଗ୍ର ମାଲକାନଗିରି ସହର ଉସôବ ମୁଖର ହୋଇପଡିଛି ।